ଭୁବନେଶ୍ବର : ଚାକିରି ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ। କିନ୍ତୁ ତାଙ୍କ ନିକଟରେ ରହିଛି ଆୟଠାରୁ ଅଧିକ ୧.୪୫ କୋଟିର ସମ୍ପତ୍ତି। ତାହା ପୁଣି ମାତ୍ର ୧୦ ବର୍ଷ ଚାକିରି ଜୀବନ କାଳରେ। ଏଭଳି ଏକ ଅଭିଯୋଗରେ ଆଜି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍‌ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ତିଳୋତ୍ତମା ମହାନ୍ତି। ଘର ବାଲିଅନ୍ତା ଥାନା ଅଧୀନ ରଣପୁରରେ। ଏଠାରେ ସେ ୟୁନିଟ-୮ ଟୁଆରବି ୪/୪ ସରକାରୀ କ୍ବାର୍ଟର୍ସରେ ରହନ୍ତି। ତିଳୋତ୍ତମା ୟୁନିଟ-୬ଠାରେ ଥିବା ସିଟି ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସଂଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisment

ଆଜି ସକାଳୁ ଭିଜିଲାନ୍ସର ୩ଟି ଟିମ୍‌ ଶିକ୍ଷୟିତ୍ରୀଙ୍କ ସରକାରୀ ବାସଭବନ, ବାଲିଅନ୍ତା ରଣପୁର ଘର ଓ ସିଟି ସ୍କୁଲରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜଣାପଡ଼ିଥିଲା, ରାଜଧାନୀ ଉପକଣ୍ଠ ଚନ୍ଦକା, ଅରୁଗୁଳ, ସୁନ୍ଦରପଦା, ଉତ୍ତରା, ପିପିଲି ଓ ଜଟଣୀରେ ତାଙ୍କର ୯ଟି ପ୍ଲଟ୍‌ ରହିଛି। ସେହିପରି ଉତ୍ତରା ଛକରେ ୩ ମହଲା ଘର, ବାଲିଅନ୍ତା ରଣପୁରରେ ଦୁଇ ମହଲା ଘର ରହିଛି। ତିଳୋତ୍ତମାଙ୍କ ନାଁରେ ୧୦ଟି ବିଭିନ୍ନ ରାଷ୍ଟ୍ରା‌ୟତ୍ତ ବ୍ୟାଙ୍କରେ ଆକାଉଣ୍ଟ, ୩ କୋଟି ଟଙ୍କାର ଏଲଆଇସି, ୩୫ ଲକ୍ଷ ଟଙ୍କାର ଫିକ୍ସ ଜମା, ଲକ୍ଷାଧିକ ଟଙ୍କାର ସୁନାଗହଣା, ଦାମୀ କାର ଓ ବାଇକ୍‌ ଠାବ ହୋଇଛି।

ଭିଜିଲାନ୍ସ ଅଧିକାରୀଙ୍କ ଆକଳନ ଅନୁଯାୟୀ, ତଳୋତ୍ତମା ତାଙ୍କ ଆୟଠାରୁ ଅଧିକ ୧.୪୫ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। କେମିତି ସେ ଏତେ କମ ସମୟ ମଧ୍ୟରେ ଏତେଗୁଡ଼ିଏ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାଣୀ ହେଲେ, ସେ ନେଇ ଭିଜିଲାନ୍ସ ଅନୁସନ୍ଧାନ ଆରମ୍ଭ କରିଛି।