ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ବେଣ୍ଟପୁର-ବାଲିପାଟଣା ଗ୍ରାମ୍ୟ ଉନ୍ନୟନ ରାସ୍ତାର ପେଟ୍ରୋଲ ଟାଙ୍କି ନିକଟରେ ଆଜି ଜଣେ ଶିକ୍ଷୟିତ୍ରୀଙ୍କ ଟ୍ରକ୍ ଚାପାରେ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଟ୍ରକ୍କୁ ଜାଳିଦେବା ସହ ଚାଳକକୁ ନିର୍ଧୁମ୍ ଛେଚି ୪ଘଣ୍ଟା ଧରି ଅଟକ ରଖିଥିଲେ। ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ବାଲିଅନ୍ତା ଓ ବାଲିପାଟଣା ପୁଲିସ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା। ଟ୍ରକ୍ ଚାଳକକୁ ସେମାନେ ହସ୍ତାନ୍ତର ନ କରିବାରୁ ବାଧ୍ୟ ହୋଇ ପୁଲିସ ଲାଠିଚାର୍ଜ କରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଭିଙ୍ଗାରପୁର ଗ୍ରାମର ବେଣୁଧର ସାହୁଙ୍କ ଝିଅ ପୁଷ୍ପାଞ୍ଜଳି ଓରଫ ଲିଜା ସ୍ଥାନୀୟ ସତ୍ୟଭାମାପୁରସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି। ଆଜି ସେ ଦିନ ପ୍ରାୟ ୨ଟା ବେଳେ ଏକ ସ୍କୁଟିରେ ବାଲିପାଟଣା କଲେଜକୁ ତାଙ୍କ ଯୁକ୍ତ ୩ ସାର୍ଟିଫିକେଟ୍ ଆଣିବାକୁ ଯାଉଥିଲେ। ସେ ବେଣ୍ଟପୁର-ବାଲିପାଟଣା ଗ୍ରାମ୍ୟ ଉନ୍ନୟନ ରାସ୍ତାର ପେଟ୍ରୋଲ ଟାଙ୍କି ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଟ୍ରକ୍ (ଓଆର-୦୯ଏଫ ୯୧୨୬) ତାଙ୍କ ଉପରେ ଚଢ଼ି ଯାଇଥିଲା। ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ରେ ନିଆଁ ଲଗାଇ ଦେଇଥିଲେ। ଅସନ୍ତୋଷ ବଢ଼ୁଥିବା ଖବର ପାଇ ବାଲିଅନ୍ତା ଥାନା ଅଧିକାରୀ ମନୋଜ ସ୍ୱାଇଁ, ବାଲିପାଟଣା ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଓ ଜୋନ୍-୪ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକଙ୍କ ବିରୋଧ ଓ ଆକ୍ରୋଶ ଯୋଗୁଁ ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/balianta-1.jpg)