ଭାରତୀୟ ହକି ଦଳକୁ ସ୍କୁଲ୍‌ ପିଲାଙ୍କ ବିଶ୍ବକପ୍‌ ଶୁଭେଚ୍ଛା

ଭୁବନେଶ୍ବର: ସଂପ୍ରତି କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରୋ-ଲିଗ୍‌ ଖେଳିବା ପାଇଁ ଭୁବନେଶ୍ବରରେ ଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ସ୍ଥାନୀୟ ସାଇ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌ ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ତିଳକ ଚନ୍ଦନ ଲଗାଇ ଖେଳାଳିମାନଙ୍କୁ ପାଛୋଟି ନେଇଥିଲେ। ଇନ୍ଦ୍ରପ୍ରସ୍ଥ ଅଡିଟୋରିୟମରେ ଛାତ୍ରଛାତ୍ରୀମାନେ ‘ଜୟ ହୋ’ ଗୀତ ଗାଇବା ସହିତ ନୃତ୍ୟ ପରିବେଷଣ କରିଥିଲେ। ଏଭଳି ଉତ୍ସର୍ଗୀକୃତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇପଡ଼ିଥିବା ଖେଳାଳିମାନେ ‌ପିଲାମାନଙ୍କ ସ୍ନେହ ଓ ସଦିଚ୍ଛା ଆମକୁ ଆଗାମୀ ବିଶ୍ବକପ୍‌ ବିଜେତା କରାଇବାରେ ସହାୟତା ହେବ ବୋଲି କହିଥିଲେ।

ଭାରତୀୟ ଖେଳାଳିମାନେ ସ୍କୁଲ୍‌ ଖେଳପଡ଼ିଆରେ ଛାତ୍ରଛାତ୍ରୀମାନଙ୍କୁ ହକି ଖେଳର ବିଭିନ୍ନ କୌଶଳ ମଧ୍ୟ ଶିକ୍ଷା ଦେଇଥିଲେ। ଶେଷରେ ଆଶାୟେଁ ଗୀତ ମାଧ୍ୟମରେ ଜାତୀୟ ପତାକା ଧରି ଛାତ୍ରଛାତ୍ରୀ ଆଗାମୀ ବିଶ୍ବକପ୍‌ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ ସାଇ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ୍‌ ଓ ଆବାସିକ ସ୍କୁଲ୍‌ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ସ୍କୁଲ୍‌ର ବରିଷ୍ଠ ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର