ମୁକୁଳା ଡ୍ରେନ୍‌ରେ ସ୍କୁଲ ଛାତ୍ରଙ୍କ ଜୀବନ ଯିବା ଘଟଣା: ରାଜାର ସ୍ମୃତିରେ ମହମବତି ଶୋଭାଯାତ୍ରା

ଗଠନ ହେଲା ଜ୍ୟୋତିପ୍ରକାଶ ସ୍ମୃତି କମିଟି, ସ୍କୁଲରେ ସ୍ମୃତିଚାରଣ କଲେ ସହପାଠୀ, ଗୁରୁଜୀ, ଗୁରୁମା

ଭୁବନେଶ୍ବର: ବରମୁଣ୍ଡା ଢିପସାହିର ଜ୍ୟୋତିପ୍ରକାଶ ବେହେରା ଓରଫ ରାଜା ଡ୍ରେନ୍‌ରେ ଭାସିଯାଇ ସଲିଳ ସମାଧି ନେବା ଘଟଣା ସମଗ୍ର ରାଜଧାନୀବାସୀଙ୍କୁ ମ୍ରିୟମାଣ କରି ଦେଇଛି। ଆଜି ସ୍ଥାନୀୟ ଲୋକଙ୍କୁ ନେଇ ବିଜେପି ଜ୍ୟୋତିପ୍ରକାଶ ସ୍ମୃତି କମିଟି ଗଠନ କରିଥିବାବେଳେ ଏହି କମିଟିରେ ଶତାଧିକ ସ୍ଥାନୀୟ ଲୋକେ ସାମିଲ ହୋଇ ରାଜାର ସ୍ମୃତି ଉଦ୍ଦେଶ୍ୟରେ ସୌଭାଗ୍ୟନଗର ପେଟ୍ରୋଲ୍ ପମ୍ପରୁ ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର ପର୍ଯ୍ୟନ୍ତ ମହମବତି ଶୋଭାଯାତ୍ରା କରିଛନ୍ତି।

ଏହି ମହମବତି ଶୋଭାଯାତ୍ରାରେ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂହ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଉନ୍ନତି ପରିଡ଼ା, ଜିଲ୍ଲା ମଣ୍ଡଳ ସଭାପତି ଦାମୋଦର ବେହେରା, ରାମ ରଣସିଂ, ସନ୍ତୋଷ ଜେନା, ସୁରେନ୍ଦ୍ର ପ୍ରଧାନ, ବିଜୟ ରାଉତ, ରଘୁ ମହାନ୍ତି, ସୁନୀଲ ସାହୁ, ତୃପ୍ତିମୟୀ ମକଦ୍ଦମ, ନିରଞ୍ଜନ ରାଉତରାୟ, ପ୍ରଶାନ୍ତ ମହାନ୍ତି, ପ୍ରଶାନ୍ତ ନାୟକ, ଭବାନୀ ସ୍ୱାଇଁ, ଅଭିଷେକ ପରିଡ଼ା, ସବିତା ପଟ୍ଟନାୟକ, ଲିପ୍ସା ଦାସ, ସୁମିତ୍ରା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ରାଜା ପଢ଼ୁଥିବା ୟୁନିଟ-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ଏକ ଶୋକସଭାର ଆୟୋଜନ କରାଯାଇ ରାଜାର ସ୍ମୃତିଚାରଣ କରାଯାଇଛି। ରାଜାର ସହପାଠୀ, ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ସ୍ମୃତି ସଭାରେ ରାଜା ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।

ମାନବାଧିକାର କମିସନରେ ମାମଲା

କଟକ: ଗତ ରବିବାର ଦିନ ଟ୍ୟୁସନ ଯାଉଥିବା ବେଳେ ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ଜଣେ ୧୫ ବର୍ଷୀୟ ନାବାଳକର ଜୀବନ ଚାଲିଯିବା ଘଟଣାର ଉପଯୁକ୍ତ ତଦନ୍ତ ଓ ପୀଡ଼ିତ ପରିବାରକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଆବେଦନ ଦାଖଲ ହୋଇଛି।
ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ କୁମାର ଦାଶଙ୍କ ପକ୍ଷରୁ ଏ ନେଇ କମିସନଙ୍କ ନିକଟରେ ଦାଖଲ ଅଭିଯୋଗରେ ଦର୍ଶାଯାଇଛି ଯେ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଘଟୁଛି। ମୁକୁଳା ଡ୍ରେନ ସମସ୍ୟାର କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ଗତ ୫ ବର୍ଷ ଭିତରେ ମୁକୁଳା ଡ୍ରେନରେ ପଡି ୬ ଜଣ ଶିଶୁଙ୍କର ଜୀବନ ଗଲାଣି। କିନ୍ତୁ ରାଜ୍ୟ ସରକାର କିମ୍ବା ବିଏମ୍‌ସି କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଫଳରେ ପୁଣି ଜଣେ ମେଧାବୀ ଛାତ୍ରଙ୍କ ଜୀବନ ଯାଇଛି। ଏପରି ଘଟଣାର ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ ପୀଡ଼ିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି କମିସନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି।

ଭାଇରାଲ୍ ହେଉଛି ରାଜାର ଶେଷ ଭିଡିଓ

ଭୁବନେଶ୍ବର: ଶତାବ୍ଦୀନଗର ଲେନ୍-୭ରେ ବିଏମ୍‌ସିର ୮ନଂ ଡ୍ରେନ୍‌ରେ ଭାସିଯାଇ ପ୍ରାଣ ହରାଇଥିବା ବରମୁଣ୍ଡା ଢିପସାହିର ରାଜାର ଶେଷ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ନିଜ ପାଠପଢ଼ାକୁ ନେଇ ବେଶ୍ ସଚେତନତା ଥିବା ରାଜା ଏହି ଭିଡିଓରେ ମଧ୍ୟ ପଢ଼ାକୁ ନେଇ ନିଜ ଏକାଗ୍ରତା ଦେଖାଇଛି। ସନ୍ଧ୍ୟା ୬ଟାରୁ ୯ଟା ତା’ର ଟ୍ୟୁସନ୍ ସମୟ ଥିବା ବେଳେ ଟ୍ୟୁସନ୍‌ରୁ ଫେରି ସେ ପ୍ରାୟ ୪୫ମିନିଟ୍ ବିଶ୍ରାମ ନେବା କଥା ସେ ଏହି ଭିଡିଓରେ କହୁଛି। ଏହା ପରେ ସେ ୯ଟା ୫୦ରୁ କେତେ ଘଣ୍ଟା ପାଠ ପଢ଼ୁଛି ତା’ସେ ଦେଖାଇବାକୁ ଚାହୁଁଛି ବୋଲି ଏହି ଭିଡିଓରେ ଶୁଣିବାକୁ ମିଳିଛି। ଯେଉଁଥିରୁ ପ୍ରତୀତ ହେଉଛି, ରାଜା ଦଶମ ଶ୍ରେଣୀର ପାଠପଢ଼ାକୁ ନେଇ କେତେ ବ୍ୟତିବ୍ୟସ୍ତ ଥିଲା। ଅପରପକ୍ଷରେ ସ୍କୁଲ୍‌ରେ ମଧ୍ୟ ସେ ଜଣେ ମେଧାବୀ ଛାତ୍ର ଓ ଗୁରୁଜୀ ଗୁରୁମାଙ୍କ ପ୍ରିୟ ତଥା ଆଜ୍ଞାଧୀନ ଥିଲା ବୋଲି ସ୍କୁଲ୍ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର