ସ୍କୁଲ୍‌ରେ ତାଲା, କେବେ ଖୋଲିବ ଭାଗ୍ୟ

ମାଡ଼ି ଯାଇଛି ଉଇ ହୁଙ୍କା, ଗଡ଼ୁଛି ମଦ ବୋତଲ, ପ୍ରଥମ ଦିନରେ ପାଠପଢ଼ା ଠପ୍, ୭ ସ୍କୁଲରେ ତାଲା

ନାଁ ତା’ର ସମ୍ବିତ କୁମାର ସିଂହ। ବୟସ ୭ ବର୍ଷ। ପଢ଼ୁଥିବା ସ୍କୁଲ୍‌ ପରିସରରେ ସାଙ୍ଗମାନଙ୍କ ସହ ସେ ଖେଳରେ ମାତି ଯାଇଥିଲା। ମାତ୍ର ଆଜି ଯେ ସ୍କୁଲ୍‌ ଖୋଲିଛି ଏ ଖବର ତା’ ପାଖ‌ରେ ନଥିଲା। ତାକୁ ପଚାରିଲୁ, ଆଜି ତମ ସ୍କୁଲ୍‌ ଖୋଲିନି କି ? ସେ କହିଲା ନା। ବାସ୍ତବରେ ଆମେ ଯେତେବେଳେ ଆଦିବାସୀ ଗାଁ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲୁ ସେଠି ଶ୍ରେଣୀଗୃହରେ ତାଲା ଝୁଲୁଥିଲା।

ମିଳିଥିବା ସୂଚନା ମୁତାବକ, ପାଖାପାଖି କୌଣସି ସରକାରୀ ସ୍କୁଲ୍‌ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ସାଲିଆସାହିସ୍ଥିତ ଆଦିବାସୀ ଗାଁ ଲୋକ ସ୍କୁଲ୍‌ ଘର ଗଢ଼ି ଦେଇଥିଲେ। ‘ରୁଚିକା’ ଅନୁଷ୍ଠାନ ଏଠାରେ ଜଣେ ଶିକ୍ଷୟିତ୍ରୀଙ୍କୁ ରଖି ପଢ଼ାଇବା ଦାୟିତ୍ବ ନେଇଥିଲା। ମାତ୍ର ‘ଫନି’ ମାଡ଼ରେ ସ୍କୁଲ୍‌ର ଆଜବେଷ୍ଟସ ଉଡ଼ି ଯାଇଥିଲେ ବି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ସଜାଡ଼ିବାକୁ ଆଗେଇ ଆସିନାହିଁ। ଶ୍ରେଣୀଗୃହରେ କୋଉଠି ଚଟାଣ ଉପୁଡ଼ି ପଡ଼ିଛି ତ କୋଉଠି କବାଟ ଝୁଲି ଲାଖି ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ନିଜ ଅଧୀନକୁ ‌ନନେଲା ନାହିଁ। ମାତ୍ର ଏହି ସ୍କୁଲ୍‌ ଗୃହ ଭାଙ୍ଗିଯିବା ପରେ ଏହା ନିର୍ମାଣ କରିବାକୁ କେହି ଆଗେଇ ଆସି ନଥିବାରୁ ସ୍କୁଲ୍‌ ଖୋଲିବ ନା ନାହିଁ ତାହା ଏବେ ଆହ୍ବାନ ପାଲଟିଛି। ଏମିତିରେ ସେଇ ସ୍କୁଲ୍‌ ଉପରେ ନିର୍ଭରଶୀଳ ୩୦ରୁ ଅଧିକ ପିଲାଙ୍କ ଶିକ୍ଷା ଦିକ୍ଷା ‘ଫନି’ ପାଇଁ ଏଇଠି ଅଟକି ଯିବନି ତ? କୋମଳମତି ପିଲାଙ୍କ ଭବିଷ୍ୟତ ନିର୍ମାଣର ଦାୟିତ୍ବ ନେଇଥିବା ଏହି ଶ୍ରେଣୀଗୃହର ଅବସ୍ଥା ସୁଧାରିବାକୁ ସରକାରୀ କଳ ଆଗେଇ ଆସିବେ ତ? ଶହଶହ ସ୍ବେଚ୍ଛାସେବୀ ସଂସ୍ଥା ଥାଇ ପିଲାଙ୍କ ଭବିଷ୍ୟତରେ କ’ଣ ଏଇଠି ପୂର୍ଣ୍ଣଚ୍ଛେଦ ଟଣା ହେବ? ଏମିତି ଅନେକ ପ୍ରଶ୍ନର ଚକ୍ରବ୍ୟୂହରେ ଏବେ ଫସିଛି ୩୦ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ।

ମାଡ଼ି ଯାଇଛି ଉଇ ହୁଙ୍କା, ଗଡ଼ୁଛି ମଦ ବୋତଲ

ଶ୍ରେଣୀଗୃହରେ ଉଇ ହୃଙ୍କା। ଗଡ଼ୁଥିଲା ଏକାଧିକ ମଦ ବୋତଲ। ବାତ୍ୟାର ୪୯ ଦିନ ପରେ ସ୍କୁଲ୍‌ ପରିସର ପୂରା ଅସଜଡ଼ା। ଏପରି ଦୃଶ୍ୟ ଥିଲା ରାଜଧାନୀ ଉପକଣ୍ଠ ଫୁଲନଖରାସ୍ଥିତ ଲାଲ୍‌ ବାହାଦୂର୍‌ ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର। ଆଜି ସ୍କୁଲ୍‌ ଖୋଲିଥିବା ବେଳେ ପ୍ରଥମ ଦିନରେ ପିଲାମାନଙ୍କ ଉପାସ୍ଥାନ ଖୁବ୍‌ କମ୍‌ ଥିଲା। ଅତିବେଶିରେ ୧୫ କି ୨୦ ପିଲା ସ୍କୁଲ୍‌ ଆସିଥିଲେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଗୋଟିଏ କୋଠରିରେ ବସା ଯାଇଥିଲା। ଜଣେ ଶିକ୍ଷୟିତ୍ରୀ ଏହି ତିନି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ। ନବମ ଶ୍ରେଣୀ ପିଲା ବସିଥିଲେ କମ୍ପ୍ୟୁଟର ରୁମ୍‌ରେ। ଆଉ ଦଶମ ଶ୍ରେଣୀ ପିଲା ଅନ୍ୟ ଏକ ଗୃହରେ। ‘ଫନି’ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହର ଆଜ୍‌ବେଷ୍ଟସ ଉଡ଼ାଇ ନେଇଛି। ଫଳରେ ଆଜି ବର୍ଷାରେ ପିଲାମାନଙ୍କୁ ବସାଇବାକୁ ନେଇ ଏପରି ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଶ୍ରେଣୀଗୃହର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। କାନ୍ଥ ସବୁ ଭୁଶୁଡ଼ିବା ଅବସ୍ଥାରେ ଥିବା ବେଳେ ଅଧିକାଂଶ ଶ୍ରେଣୀ ଗୃହରେ ଛାତିଏଁ ଉଚ୍ଚାରେ ଉଇ ହୁଙ୍କା ଦେଖିବାକୁ ମିଳିଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକ କହିଛନ୍ତି, ସ୍କୁଲର ଶ୍ରେଣୀଗୃହଗୁଡ଼ିକ ବହୁ ଶୋଚନୀୟ ଅବସ୍ଥାରେ ରହିଛି। ତେଣୁ ଏହାକୁ ମରାମତି ବଦଳରେ ଭାଙ୍ଗି ନୂଆ କୋଠା ନିର୍ମାଣ ପାଇଁ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇବି। ଅନ୍ୟପକ୍ଷେ ବିଦ୍ୟାଳୟରେ ଏବେ ମାତ୍ର ୨ଟି କୋଠାଘର ଥିବାରୁ ୨ଟି ସେସନ୍‌ରେ ପିଲାମାନଙ୍କ କ୍ଲାସ୍‌ ହେବ। ଷଷ୍ଠ ଓ ୭ମ ପିଲାମାନେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଓ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନେ ୧୧ଟାରୁ ୪ଟା ସ୍କୁଲ ଆସିବେ। ଏନେଇ ଯଥାଶୀଘ୍ର ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ପ୍ରଥମ ଦିନରେ ପାଠପଢ଼ା ଠପ୍, ୭ ସ୍କୁଲରେ ତାଲା

ବାଲିପାଟଣା ବ୍ଲକର ୧୪୭ ସ୍କୁଲ ମଧ୍ୟରୁ ଆଜି ୧୪୦ଟି ସ୍କୁଲ୍‌ ଖୋଲିଥିବା ବେଳେ ୭ଟି ସ୍କୁଲ୍‌ରେ ତାଲା ପଡ଼ିଥିବା ସୂଚନା ମିଳିଛି। ତେବେ ଖୋଲାଥିବା ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍‌ ଥିବା ଦେଖାଯାଇଥିଲା। ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ଅସଜଡ଼ା ଥିବା ନଜରକୁ ଆସିଥିଲା। ‌କେତେକ ସ୍କୁଲ୍‌ରେ ପିଲାମାନେ ଶ୍ରେଶୀଗୃହକୁ ପରିଷ୍କାର କରିଥିଲେ। ବନ୍ଦ ଥିବା ୭ଟି ସ୍କୁଲ୍‌ ମଧ୍ୟରୁ ରାଜସ ପଞ୍ଚାୟତର ବାରିଲେ ଉପ୍ରା ବିଦ୍ୟାଳୟର ଘର ବିପଦସଂକୁଳ ଥିବାରୁ ପାଖ ଭୈରିପୁର ସ୍କୁଲରେ ପଢ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଅଭିଭାବକମାନେ ପିଲାଙ୍କୁ ସେ ସ୍କୁଲ୍‌କୁ ଛାଡ଼ି ନଥିଲେ। ଖରାପ ରାସ୍ତା ଓ ଦୂରତାକୁ ନେଇ ସେମାନେ ପିଲାଙ୍କୁ ଛାଡ଼ି ନଥିଲେ ବୋଲି କହିଥିଲେ। ଅନ୍ୟପକ୍ଷରେ ବାତିଲୋ ସ୍କୁଲର ଦୁଇଜଣ ଶିକ୍ଷକ ଭୈରିପୁରରେ ଯୋଗ ଦେଇଥିଲେ। ରାଜସ ନୋଡାଲ ବିଦ୍ୟାଳୟର ୪୩୪ ପିଲାଙ୍କ ମଧ୍ୟରୁ ୪୦ ସ୍କୁଲ ଆସିଥିଲେ। ସେହିପରି କୁଳନ୍ତିରା ଶାସନରେ ୧୨, କୁଳିନ୍ତିରା ଗ୍ରାମରେ ୧୪, ଟିଙ୍କିପଡ଼ା ଉପ୍ରା ବିଦ୍ୟାଳୟରେ ୫ଛାତ୍ରଛାତ୍ରୀ ପ୍ରଥମ ଦିନରେ ସ୍କୁଲ୍‌କୁ ଆସିଥିବା ଦେଖାଯାଇଥିଲା। ରାଜସ ଗୋପବନ୍ଧୁ ନୋଡାଲ ବିଦ୍ୟାଳୟରେ ବିଦ୍ୟୁତ୍ କାମ ପାଇଁ ଆସିଥିବା କର୍ମଚାରୀ ରହୁଥିବାରୁ ସେଠାରେ ପାଠପଢ଼ା ହୋଇ ପାରି ନଥିଲା। ଗତ ୧୨ ତାରିଖରେ ବାଲିପାଟଣା ବ୍ଲକ ଶିକ୍ଷାଧିକାରୀ ସ୍ଥାନୀୟ ବିପିନ୍ ବିହାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ କରିଥିଲେ। ଏଥିରେ ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିସରରେ ବିପଜ୍ଜନକ ଭାବେ ଥିବା ସ୍ଥାନକୁ ଚିହ୍ନଟ କରି ବାଡ଼ କିମ୍ବା ନିଲାଫିତା ଦ୍ବାରା ଆବଦ୍ଧ କରିବାକୁ କୁହାଯାଇଥିଲା। ମାତ୍ର ଏହାକୁ ଅନେକ ସ୍ଥାନରେ ପାଳନ କରାଯାଇ ନଥିବା ଦେଖାଯାଇଛି।

ଆଜି ସ୍କୁଲ୍‌ ଖୋଲିଥିବା ବେଳେ କେତେକ ସ୍କୁଲ୍‌ ପରିସରରେ ଗଛ ପଡ଼ିଥିବା ଦେଖାଯାଇଥିଲା। ରୋଷେଇ ଘର ଆଜବେଷ୍ଟସ୍ ଭାଙ୍ଗି ଯାଇଥିବାରୁ ପ୍ରଥମ ଦିନ ମଧ୍ୟାହ୍ନ ଭୋଜନରେ ବିଳମ୍ବ ହୋଇଥିଲା। ବଡ଼କଥା ହେଉଛି, ବିଦ୍ୟାଳୟ ପରିସର ବିପଦସଂକୁଳ ଥିବାରୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ କୁଣ୍ଠାବୋଧ କରୁଛନ୍ତି। ସରକାରଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇ ସ୍କୁଲ ପରିସର ନିରାପଦ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର