ଖୋର୍ଧା : ଜିଲ୍ଲାପାଳଙ୍କ ନିର୍ଦେଶ ମାନିଲେନି, ସ୍କୁଲ ବନ୍ଦ ରଖିଲେ

ଭୁବନେଶ୍ବର : ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି ଗତକାଲି ଖୋର୍ଧା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଥିଲା। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଖୋର୍ଧା ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଶିକ୍ଷକ/ଶିକ୍ଷୟିତ୍ରୀ ସାଙ୍ଗରେ ଚାବି ରଖିବାକୁ ବି କୁହାଯାଇଥିଲା। ‌ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପାଇଁ ୯ ଓ ୧୦ ତାରିଖ ପାଇଁ ଏଭଳି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ ଜିଲ୍ଲାପାଳଙ୍କ ନିର୍ଦେଶକୁ ରାଜଧାନୀର ଅଧିକାଂଶ ବିଦ୍ୟାଳୟ କର୍ତୃପକ୍ଷ ଖାତିର କରିନାହାନ୍ତି। ଗତକାଲିଠାରୁ ଘଣ୍ଟା ପ୍ରତି ୨୦ରୁ ୪୦କିମି ପବନ ସହ ହାଲକା ବର୍ଷା ଲାଗି ରହିଥିଲେ ମଧ୍ୟ ଅଧିକାଂଶ ସରକାରୀ ସ୍କୁଲରେ ତାଲା ପଡ଼ିଥିଲା। ଶିକ୍ଷକ/ଶିକ୍ଷୟିତ୍ରୀ ତ ଦୂରର କଥା, କର୍ମଚାରୀ ବି ଆସି ନଥିଲେ। ‘ସମ୍ବାଦ’ ପକ୍ଷରୁ ସ୍ଥିତି ଯାଞ୍ଚ କରିବା ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ବଡ଼ କଥା ‌ହେଉଛି ଯେ ବାତ୍ୟା ସମୟରେ ସହରର ବସ୍ତି ଅଞ୍ଚଳ ଅଧିକ ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ଏହି ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକରେ ତାଲା ଝୁଲୁଥିଲା। ଶନିବାର ସକାଳ ୯ଟା ୪୨ରେ ସାଲିଆସାହି ଜନତା ନଗର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ସ୍କୁଲ ଫାଟକରେ ତାଲା ଝୁଲୁଥିଲା। କ୍ୟାମ୍ପସ୍‌ରେ କେହି ନ ଥିଲେ କି କାର୍ଯ୍ୟାଳୟ ଖୋଲି ନଥିଲା। ଏହାପରେ ୯ଟା ୪୯ରେ ସାଲିଆସାହି ନୀଳଚକ୍ରନଗର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲୁ। ସେଠି ବି ସମାନ ଦୃଶ୍ୟ ଥିଲା। କେହି ନ ଥିଲେ। ଗୋଟିଏ ବିଲଡିଂ ହୋଇଥିଲେ ମଧ୍ୟ ମୁଖ୍ୟ ପ୍ରବେଶ ପଥରେ ତାଲା ପଡ଼ି ନଥିଲା। ହେଲେ ଭିତରେ କେହି ନ ଥିଲେ। ବିଦ୍ୟାଳୟର କାର୍ଯ୍ୟାଳୟ ଓ ଶ୍ରେଣୀଗୃହରେ ତାଲା ମରା ଯାଇଥିଲା। ଏ ତ ଗଲା ବସ୍ତି ଅଞ୍ଚଳରେ ଥିବା ଦୃଶ୍ୟ। ପୂର୍ବାହ୍ନ ୧୦ଟା ୧୩ରେ ଆଚାର୍ଯ୍ୟ ବିହାର ଉପ୍ରା ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ଫାଟକ‌ରେ ହିଁ ବଡ଼ ତାଲା ଝୁଲୁଥିଲା। ଭିତରକୁ ଯିବା ପାଇଁ ରାସ୍ତା ନଥିଲା। ଏନେଇ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିନି। ଏହାବ୍ୟତୀତ ଆଉ କିଛି ବିଦ୍ୟାଳୟ ବି ଗସ୍ତ କରିଥିଲୁ। ସେଠାକୁ ଜଣେ ଦୁଇ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଆସିଥିବା ଦେଖିବାକୁ ମିଳିଥିଲା। ତେବେ କୌଣସି ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ନ ଥିଲେ।

ସମ୍ବନ୍ଧିତ ଖବର