କେମିତି ପଢ଼ିବୁ ପାଠ?

ଦୁଇ ମାସର ଲମ୍ବା ଅବକାଶ ପରେ ଖୋଲିଛି ସ୍କୁଲ୍‌। ସକାଳୁ ସକାଳୁ ବର୍ଷା ହେଉଥିବା ସତ୍ତ୍ବେ ପିଲାମାନେ ସ୍କୁଲ୍‌ରେ ପହଞ୍ଚି ଯାଇଥିଲେ। ମାତ୍ର ‘ଫନି’ ମାଡ଼ରେ କ୍ଷତାକ୍ତ କିଛି ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କୁ ବହୁ ଦହଗଞ୍ଜ ହେବାକୁ ପଡ଼ିଥିଲା। କୋଉଠି ଶ୍ରେଣୀଗୃହରେ ଉଇ ହୁଙ୍କା ମାଡ଼ି ଯାଇଥିଲା ତ ଆଉ କେଉଁଠି ମଦ ବୋତଲ ଗଡ଼ୁଥିଲା। ସ୍କୁଲ୍‌ ଖୋଲିବା ନେଇ ଗତକାଲି ଘୋଷଣା ହୋଇଥିବାରୁ ସ୍କୁଲ୍‌ ଗୃହ ପରିଷ୍କାର ମଧ୍ୟ କରାଯାଇନଥିଲା। କିଛି ସ୍କୁଲ୍‌ରେ ବାତ୍ୟା କ୍ଷତକୁ ଭରିବା ପାଇଁ କାମ ଚାଲିଥିବାରୁ ଗୋଟିଏ ଶ୍ରେଣୀଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଏ ଏକାଠି ବସି ରହିଥିଲେ। ଏପରି ସ୍ଥିତିରେ ସେଠାରେ ପଢ଼ାଇବା ଅସମ୍ଭବ ହୋଇପଡ଼ିଥିଲା। ଆଉ କିଛି ସ୍କୁଲ୍‌ର ଆଜବେଷ୍ଟସ ଉଡ଼ିଯାଇଥିଲେ ହେଁ ଏଯାଏଁ କାମ ଆରମ୍ଭ ହୋଇପାରି ନଥିବାରୁ ସେଠି ତାଲା ଝୁଲୁଥିଲା। ସ୍କୁଲ୍‌ ଖୋଲିବା ପରେ କିଛି ସ୍କୁଲ୍‌ର ଦୟନୀୟ ଅବସ୍ଥା ପରଖିବାକୁ ‘ସମ୍ବାଦ’ ପକ୍ଷରୁ ଏକ ଅଭିଯାନ ହୋଇଥିଲା।

ଭୁବନେଶ୍ବର : ୫ଟା କ୍ଲାସ୍‌, ଗୋଟିଏ ଶ୍ରେଣୀ କକ୍ଷ। ସେଥିରେ ପୁଣି ଅଧା ଶ୍ରେଣୀଗୃହ, ଆର ଅଧକ ଷ୍ଟୋର୍‌ ରୁମ୍‌। କୋଉଠି ୩ ଜଣିଆ ଟେବୁଲ୍‌ରେ ୫ଜଣ ଖୁନ୍ଦାଖୁନ୍ଦି ହୋଇ ବସିଥିଲେ ତ ଆଉ କେଉଁଠି ଟେବୁଲ୍‌ ତଳେ ଗୁଞ୍ଜି ହୋଇ ବସ୍ତାନି ଧରି ବସି ରହିଥିଲେ କିଛି କୋମଳମତି ଛାତ୍ରଛାତ୍ରୀ। ଗୋଟେ ଶ୍ରେଣୀ ଗୃହରେ ପୁରୁଣା ଆଜବେଷ୍ଟସ୍‌ ଲଦା ହୋଇଥିଲା ତ ଅନ୍ୟ ଶ୍ରେଣୀ ଗୃହରେ ଚେୟାର ଟେବୁଲ୍‌ ଖଞ୍ଜା ଯାଇଥିଲା। କିଏ ଓଦା ସଡ଼ସଡ଼ ଦେହରେ ଥରୁଥିଲା ତ ଆଉ କିଏ ନିଜ ଭିଜିଲା ସାର୍ଟକୁ ଚିପୁଡ଼ି ଶୁଖେଇବାକୁ ଚେଷ୍ଟା କରୁଥିଲା। ୨ ମାସର ଛୁଟି ପରେ ଆଜି ସ୍କୁଲ୍‌ ଖୋଲିଥିବା ବେଳେ ସାଲିଆ ସାହିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଜନତା ନଗରର ଏ ବିକଳ ଚିତ୍ର ଦେଖିବାକୁ ମିଳିଥିଲା।

ବିଡ଼ମ୍ବନା ଏହି ଯେ ବାତ୍ୟା ‘ଫନି’ ଏହି ବିଦ୍ୟାଳୟକୁ ସାହା ହୋଇଥିବା ଟିଣ ଆଜବେଷ୍ଟସ୍‌ ସବୁକୁ ଉଡ଼େଇ ନେଇଥିଲା। ଏହି କ୍ଷତ ଭରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‌ରେ ନିର୍ମାଣ କାମ ଚାଲୁ ରହିଥିଲା। ପିଣ୍ଡାରେ ବାଲି ‌ସିମେଣ୍ଟ୍‌ ଗୋଳା ଚାଲିଥିଲା। ସ୍କୁଲ୍‌ ପରିସରରେ ପାଣି ଜମି ରହିଥିଲା। ପୁଣି ସ୍କୁଲ୍‌ରେ ଆଡ୍‌ମିସନ ପାଇଁ ଅନେକ ପହଞ୍ଚୁଥିଲେ। ସ୍ଥିତି ଏମିତି ଥିଲା ଯେ ପଢ଼ାଇବା ତ ଦୂରର କଥା, ପିଲାମାନଙ୍କୁ ଶାନ୍ତ କରିବା ମଧ୍ୟ ଶିକ୍ଷୟିତ୍ରୀଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ୁଥିଲା।

ଆଜିର ସ୍କୁଲ୍‌ ଖୋଲିବା ପ୍ରସଙ୍ଗକୁ ବାଦ୍‌ ଦେଇ ଏ ସ୍କୁଲ୍‌ କଥା ଚିନ୍ତା କଲେ, ମୁଣ୍ଡ ଘୂରିଯିବ। ପ୍ରଥମରୁ ୫ମ ଯାଏଁ ପଢ଼ିବାର ବ୍ୟବସ୍ଥା ଥିବା ଏହି ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୯୧। ଛାତ୍ରଛାତ୍ରୀଙ୍କ ସଂଖ୍ୟା ମୁତାବକ ୭ଜଣ ଶିକ୍ଷୟିତ୍ରୀ ମଧ୍ୟ ନିୟୋଜିତ। ମାତ୍ର ୫ଟା ଶ୍ରେଣୀର ପିଲାଙ୍କୁ ୩ଟି ଶ୍ରେଣୀଗୃହରେ ପଢ଼ିବାକୁ ପଡ଼େ। ‌ଅର୍ଥାତ ଗୋଟେ ଶ୍ରେଣୀଗୃହରେ ୨ଟି କ୍ଲାସ୍‌ର ପିଲାଙ୍କୁ ଦୁଇଜଣ ଶିକ୍ଷୟିତ୍ରୀ କେମିତି ପଢ଼ାଉଥିବେ, ଏହା ସହଜରେ ଅନୁମେୟ। ବଡ଼ କଥା ହେଉଛି, ବାତ୍ୟ‌ା କ୍ଷତିଗ୍ରସ୍ତ ଏହି ସ୍କୁଲ୍‌ରେ ଯେଉଁ ୩ଟି ଶ୍ରେଣୀଗୃହ ରହିଛି ତାହା ବି ଏଯାଏଁ ସଜଡ଼ା ଯାଇନାହିଁ। ସ୍କୁଲ୍‌ର ପ୍ରଧାନଶିକ୍ଷୟିତ୍ରୀ ଭାସ୍ବତୀ ଦାସଗୁପ୍ତଙ୍କ କହିବା ମୁତାବକ, ସାଧାରଣ ନିର୍ବାଚନ ବେ‌ଳେ ଭୋଟ୍‌ ବୁଥ୍‌ ପାଲଟି ଥିବାରୁ ସବୁ ଚେୟାର ଟେବୁଲ୍‌ ଗୋଟେ ଶ୍ରେଣୀଗୃହରେ ଗଦା ଯାଇଛି। ତାହା ଏଯାଏଁ ଖାଲି କରାଯାଇନି। ସ୍କୁଲ୍‌ କାମ ବି ସରିନି। ତେଣୁ ବାଧ୍ୟ ହୋଇ ଗୋଟେ ଶ୍ରେଣୀ କକ୍ଷରେ ସବୁ ପିଲାଙ୍କୁ ଆଜି ଏକାଠି ବସାଇଛୁ।

ବାସ୍ତବରେ ସରକାର ଏଠି ସିନା ସ୍କୁଲ୍‌ ଘର ଗଢ଼ି ଦେଇଛନ୍ତି କିନ୍ତୁ ସାଲିଆସାହି ଭଳି ଏତେ ବଡ଼ ବସ୍ତି‌ରେ ପ୍ରାୟ ପିଲା ଏହି ସ୍କୁଲ୍‌ରେ ପାଠ ପଢ଼ିବାକୁ ନିର୍ଭର କରୁଥିଲେ ହେଁ ସେଇ ଅନୁଯାୟୀ ଭିତ୍ତିଭୂମି ସଜାଡ଼ିବାକୁ ଉଦ୍ୟମ କରିନାହାନ୍ତି। ସ୍କୁଲ୍‌ ଯେଉଁ ଜମି ଉପରେ ଛିଡ଼ା ହୋଇଛି ତାହା ଜଙ୍ଗଲ କିସମ। ତେଣୁ ଏହି ସ୍କୁଲ୍‌ ଉପରେ ଛାତ ଏଯାଏଁ ପଡ଼ି ପାରିନାହିଁ। ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ‌ଗୋଟେ ସରକାରୀ ସ୍କୁଲ୍‌ରେ ଜଙ୍ଗଲ ଜମି ବୋଲି ଆଳ କରି ଛାତ ନ ପଡ଼ିବା ଅବା ଅଧିକ ଶ୍ରେଣୀ ଗୃହ ଗଢ଼ା ନହେବା‌; ସରକାରୀ ବାବୁଙ୍କର ବସ୍ତି ପିଲାଙ୍କ ଭବିଷ୍ୟତ ପ୍ରତି କେତେ ପ୍ରୀତି ‌ଏଇଥିରୁ ବୁଝାପଡ଼ୁଛି।

ସମ୍ବନ୍ଧିତ ଖବର