ଭୁବନେଶ୍ୱର: ଏକଦା ପିଲାଙ୍କ ମନୋରଞ୍ଜନ ସହିତ ତାଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରିବାଲାଗି ଗଢ଼ା ଯାଇଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ସାଇନ୍ସ ପାର୍କ)କୁ ନୂଆରୂପ ଦେବାପାଇଁ ଯୋଜନା ହୋଇଥିଲା। ସବୁ ବୟସର ଲୋକଙ୍କ ପସନ୍ଦକୁ ଲକ୍ଷ୍ୟ ରଖି ସେ ଯୋଜନା ହୋଇଥିଲା। ଏହାସହ ଫନିରେ କ୍ଷତିଗ୍ରସ୍ତ ‘ପ୍ରି-ହିଷ୍ଟୋରିକ୍ ଲାଇଫ୍ ପାର୍କ’ର ପୁନରୁଦ୍ଧାର ହେବ ବୋଲି କୁହାଯାଇଥିଲା। କୋଲକାତାର ନ୍ୟାସ୍‌ନାଲ୍ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମ୍‌ ମୁଖ୍ୟାଳୟ ତରଫରୁ ସଂସ୍କୃତି ମନ୍ତ୍ରାଳୟକୁ ୨୦୨୦ ଡିସେମ୍ୱର ମାସରେ ଏଭଳି ଏକ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ୪ ବର୍ଷ ବିତିବାକୁ ବସିଛି, ହେଲେ ପୁନରୁଦ୍ଧାର ଯୋଜନା ପ୍ରସ୍ତାବରେ ହିଁ ରହିଯାଇଛି। 

Advertisment

ବିଭିନ୍ନ ଯନ୍ତ୍ରପାତି ଓ ପ୍ରୟୋଗ ମାଧ୍ୟମରେ ବିଜ୍ଞାନକୁ ଅତି ସରଳ ଶୈଳୀରେ ବୁଝାଇ ପାରୁଥିବା ସହରର ଏକମାତ୍ର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବେ ଆକର୍ଷଣ ହରାଇଛି। ପୃଥିବୀରେ ଜୀବନର କ୍ରମ ବିବର୍ତ୍ତନର କାହାଣୀକୁ ଅଡିଓ-ଭିଜୁଆଲ୍‌ ସୋ’ ମାଧ୍ୟମରେ ପରିବେଷଣ କରୁଥିବା ‘ପ୍ରି-ହିଷ୍ଟୋରିକ ଲାଇଫ୍‌ ପାର୍କ’ ଫନି ସମୟରୁ ଅଚଳ ‌ହୋଇପଡ଼ିଛି। ବିଲୁପ୍ତପ୍ରାୟ ଡାଇନୋସର, ସେମାନେ କରୁଥିବା ଗର୍ଜନ, ଅଙ୍ଗଭଙ୍ଗୀ ସମେତ ଆଦିମ ମଣିଷର କାହାଣୀ ମଧ୍ୟ ଏଥିରେ ପ୍ରଦର୍ଶିତ ହେଉଥିଲା। ଯାହାକୁ ଛୋଟ ଛୋଟ ପିଲାମାନେ କେବଳ ଦେଖିବାକୁ ଆଗ୍ରହ ପ୍ରକାଶ କରୁ ନଥିଲେ ବରଂ ବହି ଅପେକ୍ଷା ଏଠାରୁ ସହଜରେ ଶିକ୍ଷା ଲାଭ କରିପାରୁଥିଲେ। ଫନିବାତ୍ୟାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିବା ଯୋଗୁ ଏହା ବନ୍ଦ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ପୁନରୁଦ୍ଧାର ହୋଇ ପାରିଲାନାହିଁ। କେବଳ ସେତିକି ନୁହେଁ, ଛୋଟପିଲାଙ୍କ ମନୋରଞ୍ଜନ ପାଇଁ ତିଆରି କରାଯାଇଥିବା ଅନେକ ଜିନିଷ ଅଚଳ ହୋଇପଡ଼ିଛି। ତେଣୁ ପିଲାମାନେ ହତାଶ ହେଉଛନ୍ତି। ବିଭିନ୍ନ ବୈଜ୍ଞାନିକ ପ୍ରସଙ୍ଗରେ ପିଲାଙ୍କୁ ଶିକ୍ଷା ଦେବାଲାଗି ପରିସର ଭିତରେ ସ୍ଥାପନ କରାଯାଇଥିବା ଅଧିକାଂଶ କଳାକୃତି ଚାରିପଟେ ବଣବୁଦା ମାଡ଼ିଗଲାଣି। ଫଳରେ ପୂର୍ବରୁ ଯେଉଁଭଳି ଦର୍ଶକ ଗହଳି ହେଉଥିଲା, ତାହା ଆଦୃଶିଆ ଭାବେ କମିଯାଇଛି। 

ଏନେଇ କେନ୍ଦ୍ର ପ୍ରକଳ୍ପ ସଂଯୋଜକ କପିଲ ଜୈନ୍‌ କହିଛନ୍ତି ଯେ ପ୍ରି-ହିଷ୍ଟୋରିକ୍‌ ପାର୍କ କାମ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି। ମ୍ୟାଥ୍‌ ଗ୍ୟାଲେରି ଓ ମିରର୍‌ ଗ୍ୟାଲେରିର ପୁନରୁଦ୍ଧାର ସରିଛି। ପ୍ରସ୍ତାବ ଦିଆଯାଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ମନ୍ତ୍ରାଳୟ ପକ୍ଷରୁ ଏ ପର୍ଯ୍ୟନ୍ତ ବଜେଟ ଅନୁମୋଦନ ହୋଇନାହିଁ। ଆଗକୁ ଡିଏନଏ କ୍ଲାଇମ୍ୱର, ପାରାବୋଲିକ ଡିସ୍କ ଓ ଅପ୍ଟିକାଲ ଇଲ୍ୟୁଜନ ରିଫ୍ଲେକ୍ଟର ସ୍ଥାପନ ହେବା ପାଇଁ ଯୋଜନା ରହିଛି। ଓଡ଼ିଶାର ଐତିହାସିକ କଳିଙ୍ଗ ଯୁଦ୍ଧର ଡିଜିଟାଲ୍ ପାନୋରାମା, ରାଜ୍ୟରେ ଥିବା ଖଣିଜ ସଂପଦ, ଔଷଧୀୟ ବୃକ୍ଷ ବଗିଚା, ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ସୁବିଧା, କୃତ୍ରିମ ଜୀବାଶ୍ମ ପାର୍କ ଆଦି ନୂତନ ଭାବେ ଯୋଡ଼ିବା ପାଇଁ ଯୋଜନା ରହିଛି। ଅନ୍ୟପକ୍ଷରେ ଏଠାକୁ ଆସିଥିବା ଅଭିଭାବକଙ୍କ ଅଭିଯୋଗ ହେଉଛି, ପୂର୍ବ ଅପେକ୍ଷା ଟିକେଟ୍‌ ଦର ବଢ଼ିଛି। କିନ୍ତୁ ସେଭଳି କିଛି ଦେଖିବା ପାଇଁ ନାହିଁ। ଅଡିଓ-ଭିଜୁଆଲ୍‌ ସୋ’କୁ ପିଲାମାନେ ଉପଭୋଗ କରୁଥିଲେ। କିନ୍ତୁ ଏହା ଖରାପ ଥିବା କୌଣସି ପୂର୍ବ ସୂଚନା ନଥିବାରୁ ପିଲାମାନେ ଆସିବା ପରେ ହତାଶ ହୋଇ ଫେରୁଛନ୍ତି। କର୍ତ୍ତୃପକ୍ଷ ଯାହା ନୂଆ ଯୋଜନା କରିବେ ତାହା ପଛକଥା, କିନ୍ତୁ ଯାହା ଥିଲା ତାହା ଉପଲବ୍ଧ କରାନ୍ତୁ।