ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଭାଙ୍ଗିଲା ୨୦୦ ଗଛ

ପାଣି ବୋତଲକୁ ୩୫ଟଙ୍କା, ବେହାଲ ଟ୍ରାଫିକ୍‌, ସବୁ ମଲ୍ ବନ୍ଦ

ଭୁବନେଶ୍ବର : ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସୀମିତ ପରିସରରେ ପ୍ରାୟ ୨ଶହ ଗଛ ଭାଙ୍ଗିପଡ଼ିଛି। ଛାତ ପୁରୁଣା ହୋଇଥିବାରୁ ଛାତ ଚଟାଣରେ ଜମି ରହିଥିବା ପାଣି ଗ୍ୟାଲେରିର ଚଟାଣରେ ଜମି ରହିଛି। ପରିସରରେ ଥିବା ପ୍ରତିମୂର୍ତି ଗଳି ପଡ଼ିଥିବା ବେଳେ ପ୍ରକଳ୍ପ ଉପରେ ଗଛ ମାଡ଼ି ପଡ଼ିଛି। ଏହା ପରିସରରେ ଥିବା କ୍ୟାଣ୍ଟିନ୍‌ର ଫ୍ଲୋର ଛାତ ଉଡ଼ିଯାଇଛି। ସୀମିତ କର୍ମଚାରୀ ଥିବାରୁ ସଫା କରିବା ପାଇଁ ଆହୁରି ୧୦ ଜଣଙ୍କୁ ମଗାଯାଇଛି। ଅବସ୍ଥା ସୁଧାରିବା ପାଇଁ ୭ ଦିନ ଲାଗିଯିବ ବୋଲି କର୍ତୃପକ୍ଷ କହିଛନ୍ତି। ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ଗ୍ୟାଲେରିରେ ଆସନ୍ତା ସୋମବାରଠାରୁ ବୁଲାବୁଲି ପାଇଁ ସୁଯୋଗ ମିଳିପାରିବ। ଏପରିକି ଥ୍ରିଡି ସୋ’ ମଧ୍ୟ ଦେଖିହେବ।

ପାଣି ବୋତଲକୁ ୩୫ଟଙ୍କା

ଆଜି ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିଥିଲେ ହେଁ ସବୁଠି ପ୍ରବଳ ଭିଡ଼ ଜମିଥିଲା। ପାଣି ପାଇଁ ଲୋକ ଆଉଟୁପାଉଟୁ ହେଉଥିବ‌ାବେଳେ ଦୋକାନରୁ ପାଣି ବୋତଲ କିଣିକି ପିଇଥିଲେ। ଏହାର ଫାଇଦା ନେଇ କିଛି ଅଞ୍ଚଳରେ ବ୍ୟବସାୟୀମାନେ ଚଢ଼ା ଦରରେ ପାଣି ବୋତଲ ବିକୁଥିବା ଦେଖିବାକୁ ମିଳିଥିଲା। ବରମୁଣ୍ଡାର କିଛି ଅଞ୍ଚଳରେ ଏକ ଲିଟର ପାଣି ବୋତଲ ୩୫ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା।

ବେହାଲ ଟ୍ରାଫିକ୍‌

ଭୁବନେଶ୍ୱର : ଫନି ପ୍ରଭାବରେ ରାଜଧାନୀର ୫୧ ଟ୍ରାଫିକ୍‌ ପୋଷ୍ଟରୁ ଅର୍ଦ୍ଧାଧିକ ପ୍ରଭାବିତ ହୋଇଛି। ମାତ୍ର ୫ଟି ପୋଷ୍ଟ୍‌ରେ ସିଗ୍‌ନାଲ ଲାଇଟ୍‌ କାମ କରୁଥିବା ବେଳେ ଅନ୍ୟ କୌଣସି ପୋଷ୍ଟରେ ସିଗ୍‌ନାଲ କାମ କରୁନାହିଁ। ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ପାଇଁ ଥିବା ଅଧିକାଂଶ ପୋଷ୍ଟ ଭାଙ୍ଗି ଯାଇଛି। ଫଳରେ ସହରରେ ଟ୍ରାଫିକ୍‌ ବେହାଲ ‌ହୋଇପଡ଼ିଛି। ଅର୍ଦ୍ଧାଧିକ ପୋଷ୍ଟ ନିୟନ୍ତ୍ରଣ ବାହାରେ ରହିଥିବା ବେଳେ କେତେକ ପୋଷ୍ଟକୁ ନିୟନ୍ତ୍ରଣ କରାଯାଉଛି। ନିୟନ୍ତ୍ରଣ କରାଯାଉଥିବା ପୋଷ୍ଟ ମଧ୍ୟରେ ଏଜି, ରୁପାଲି, ଆଚାର୍ଯ୍ୟ ବିହାର, ବାଣୀବିହାର, ଜୟଦେବ ବିହାର, କଳ୍ପନା, ଚନ୍ଦ୍ରଶେଖରପୁର, ଖଣ୍ଡଗିରି ପ୍ରଭୃତି ଛକ ରହିଛି। ରାତିରେ ସବୁଠାରୁ ଅଧିକ ସମସ୍ୟା ହୋଇଛି। ଗଛଡାଳ ରାସ୍ତା କଡ଼ରେ ପଡ଼ିଥିବା ବେଳେ ଅନ୍ଧାର ହୋଇଥିବାରୁ ବାଇକ୍‌ ଆରୋହୀମାନେ ସମସ୍ୟାରେ ପଡ଼ୁଛନ୍ତି।

ଅନ୍ଧାରରେ ଲିଙ୍ଗରାଜ ମନ୍ଦିର
ପୁରୁଣା ଭୁବନେଶ୍ୱର : ଫନିର ପ୍ରଭାବରେ ପୁରୁଣା ଭୁବନେଶ୍ବର ଅଞ୍ଚଳର ବିଭିନ୍ନ ମନ୍ଦିରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିର ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଅନ୍ଧାରେ ରହିଥିଲା। ତେବେ ଜେନେରେଟର୍‌ ସଜଡ଼ା ଯିବା ପରେ ମନ୍ଦିର ଆଲୋକିତ ହୋଇଥିଲା। ‌େସହିପରି ପଳାଶପଲ୍ଲୀ ଅଞ୍ଚଳରେ ସନ୍ଧ୍ୟାରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଅଞ୍ଚଳରେ ପାଣି ପାଇଁ ସମସ୍ୟା ଲାଗି ରହିଛି। ପାଣି ପାଇଁ ଲୋକେ ହସନ୍ତସନ୍ତ ହୋଇଛନ୍ତି। ତେବେ ଆସନ୍ତା କାଲି ସୁଦ୍ଧା ପାଣି‌ ଯୋଗାଣ ସ୍ବାଭାବିକ ହୋଇଯିବ ବୋଲି କୁହାଯାଉଛି। ତେବେ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ହୋଇଛି।

ସବୁ ମଲ୍ ବନ୍ଦ

ସାମୁଦ୍ରିକ ଝଡ଼ ‘ଫନି’ ତାଣ୍ଡବ ରଚିବା ପରେ ରାଜଧାନୀର ପ୍ରାୟ ସମସ୍ତ ରାସ୍ତାରେ ଆଜି ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇରହିଥିଲା। ଫଳରେ ‌ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ବିଭିନ୍ନ କାର୍ଯ୍ୟାଳୟ ଓ ମଲ୍‌ ଆଦି ଆଜି ବନ୍ଦ ରହିଥିଲା। ବିଦ୍ୟୁତ ସେବା ବନ୍ଦ ଯୋଗୁଁ ଜଳ ଯୋଗାଣରେ ମଧ୍ୟ ସମସ୍ୟା ଦେଖାଦେଇଛି। ଫଳରେ କିଛି ହଷ୍ଟେଲ ଓ ମେସ୍‌ରେ ରହୁଥିବା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଶୈାଚ ଓ ଗାଧୋଇବା ଆଶାରେ ମଲ୍‌ରେ ପହଞ୍ଚିଥିଲେ। ମାତ୍ର ଆଜି ସମସ୍ତ ମଲ୍‌ ବନ୍ଦ ଥିବାରୁ ନିରାଶ ହୋଇ ଫେରିଥିଲେ। ସେହିପରି ସହରର ସମସ୍ତ ସିନେମା ହଲ ମଧ୍ୟ ଆଜି ବନ୍ଦ ଥିଲା।

ସମ୍ବନ୍ଧିତ ଖବର