ଭ୍ରାମ୍ୟମାଣ ଭ୍ୟାନ୍‌ରେ ବୁଲିବ ‘ମାପ ବିଜ୍ଞାନ’

ଭୁବନେଶ୍ବର: ପିଲାଏ ଶିଖିବେ ମାପ ବିଜ୍ଞାନ। ଭୂପୃଷ୍ଠରୁ ସୂର୍ଯ୍ୟଙ୍କ ଦୂରତା ମାପିବାର କୌଶଳ ଜାଣିବେ। ଅସମ୍ଭବ ମନେ ହେଉଥିବା ଦୂରତାକୁ ଜାଣିବାର ବୈଜ୍ଞାନିକ ପଦ୍ଧତି ବାବଦରେ ଅବଗତ ହେବେ। ସମଗ୍ର ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ଏପରି ବୈଜ୍ଞାନିକ କଳା କୌଶଳ ବତାଇବ ମାପ ବିଜ୍ଞାନର ଭ୍ରାମ୍ୟମାଣ ଭ୍ୟାନ୍‌। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଏକ ଜ୍ଞାନ ଆହରଣର ମଜା ଉଠାଇବେ ସମଗ୍ର ରାଜ୍ୟର ଛାତ୍ରଛାତ୍ରୀ। ସମଗ୍ର ଦେଶରେ ବିଭିନ୍ନ ବିଜ୍ଞାନ ଭିତ୍ତିକ ୨୫ଟି ଭ୍ରାମ୍ୟମାଣ ବିଜ୍ଞାନ ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ଏଥିମଧ୍ୟରୁ ଓଡ଼ିଶା ଗୋଟିଏ ଭ୍ୟାନ୍‌ ପାଇଛି। ଏହି ଭ୍ରାମ୍ୟମାଣ ବିଜ୍ଞାନ ଗାଡ଼ି ମଧ୍ୟରେ ବିଭିନ୍ନ ମାପକ ଯନ୍ତ୍ର ରହିବ। ମାପକର ‌ବୈଶିଷ୍ଟ୍ୟତା ସମ୍ବନ୍ଧରେ ସୂଚନା ମଧ୍ୟ ରହିବ। ଯନ୍ତ୍ରରେ କିଭଳି ମପା ଯାଏ ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ରହିବ। ବିଭିନ୍ନ ସ୍କୁଲ୍‌ ବୁଲି ଏହି ଭ୍ରାମ୍ୟମାଣ ଭ୍ୟାନ୍‌ ଛାତ୍ରଛାତ୍ରୀମାନଙ୍କୁ ମାପ ବିଜ୍ଞାନର ଜ୍ଞାନ ବାଣ୍ଟିବ। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ‌ପ୍ରକଳ୍ପ ସଂଯୋଜକ ହରପ୍ରସାଦ ମିଶ୍ରଙ୍କ କହିବା ମୁତାବକ, ଏହି ଭ୍ରାମ୍ୟମାଣ ବିଜ୍ଞାନ ଭ୍ୟାନ୍‌ର ମଜା ଖୁବ୍‌ଶୀଘ୍ର ଛାତ୍ରଛାତ୍ରୀମାନେ ନେଇପାରିବେ। ଏହା ବ୍ୟତୀତ ଆଞ୍ଚଳିକ କେନ୍ଦ୍ର ମଧ୍ୟରେ ଥିବା ବିଭିନ୍ନ ପ୍ରକଳ୍ପକୁ ପୁନର୍ବାର ସଚଳ କରାଯାଇଛି। ବିଜ୍ଞାନ ଆଧାରରେ ପ୍ରସ୍ତୁତ ଟର୍ଣ୍ଣ ଫାଷ୍ଟରଠୁ ନେଇ ଅନ୍ୟ ସମସ୍ତ ପ୍ରକଳ୍ପ ପିଲାମାନଙ୍କୁ କେବଳ ଆଶ୍ଚର୍ଯ୍ୟ ଚକିତ କରିବ ନାହିଁ, ସେମାନଙ୍କୁ ସରଳ ଭାବେ ଜ୍ଞାନ ବାଣ୍ଟିବାରେ ସହାୟକ ହେବ।

ପୂର୍ବରୁ ଯେ ଭ୍ରାମ୍ୟମାଣ ବିଜ୍ଞାନ ଭ୍ୟାନ୍‌ରେ ଛାତ୍ରଛାତ୍ରୀମାନେ ‘ଲୋକପ୍ରିୟ ବିଜ୍ଞାନ’ର ମଜା ନେଉଥିଲେ। ତେବେ ନୂଆ କିଛି ଭେଟି ଦେବା ଉଦ୍ଦେଶ୍ୟ ନେଇ ଏହି ମାପ ବିଜ୍ଞାନ ଭ୍ୟାନ୍‌କୁ ଯୋଡ଼ାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଗାଡ଼ି ମଧ୍ୟରେ ମାପ ବିଜ୍ଞାନ ପ୍ରକଳ୍ପଗୁଡ଼ିକ ପ୍ରସ୍ତୁତ ସରିଛି। ଉଦ୍‌ଘାଟନ ପରେ ଏହା ଛାତ୍ରଛାତ୍ରୀଙ୍କ ମନୋରଂଜନ କରିପାରିବ ବୋଲି ସେ କହିଛନ୍ତି। ଏହାଛଡ଼ା ବାତ୍ୟା ପରେ ପରିସରରେ ବ୍ୟାପକ କ୍ଷତି ହୋଇଥିବା ବେଳେ ବଡ଼ ଗଛଗୁଡ଼ିକୁ ପୁଣି ଢେରା ଦେଇ ବ‌ଞ୍ଚାଯାଇଛି। ପରିସରରେ ଦୋଳିର ବ୍ୟବସ୍ଥା କରାଯାଇ ଶିଶୁମାନଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ହୋଇଛି। ପରିସରରେ ଥିବା ଜଳରାଶିକୁ ନୂଆ ରୂପରେ ପ୍ରସ୍ତୁତ କରାଯିବା ପାଇଁ ମଧ୍ୟ ଉଦ୍ୟମ ହୋଇଛି।

ସମ୍ବନ୍ଧିତ ଖବର