ଜଳାତଙ୍କ ରୋଗର କାରଣ ଖୋଜି ପାଇଲେ ବୈଜ୍ଞାନିକ

ଗବେଷଣାରେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବୈଜ୍ଞାନିକ ସାମିଲ

ଭୁବନେଶ୍ବର : ଆଗକୁ କୁକୁର କାମୁଡ଼ା ବା ଜଳାତଙ୍କ ରୋଗରେ କୌଣସି ବ୍ୟକ୍ତି ପ୍ରାଣ ହରାଇବେ ନାହିଁ। ଘାତକ ଜଳାତଙ୍କ ରୋଗର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକ। ମସ୍ତିଷ୍କର ମଲିକ୍ୟୁଲ ସ୍ତରରେ ଏହି ଭୂତାଣୁ କିଭଳି ପ୍ରଭାବ ପକାଇଥାଏ, ତାହାକୁ ଠାବ କରିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ଓଡ଼ିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନ ବା ଆଇଏଲଏସ୍‌ ସମେତ ମୁମ୍ବାଇର ‌ମୁମ୍ବାଇ ଭେଟେନାରି କଲେଜ ଓ ମୁମ୍ବାଇସ୍ଥିତ ହଫକିନ୍ ଇନଷ୍ଟିଚ୍ୟୁଟ୍‌ର ଏକ ବୈଜ୍ଞାନିକ ଟିମ୍ ଏହି ଘାତକ ରୋଗର ସାମାଧାନ ବାଟ ବାହାର କରିଛନ୍ତି। ଆଗାମୀ ଦିନରେ ଓଡ଼ିଶା ସମେତ ଦେଶରେ ଜଳାତଙ୍କ ରୋଗରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବା‌‌ରେ ଏହା ସହାୟକ ହୋଇପାରିବ।

ଦେଶରେ ପ୍ରତିବର୍ଷ ୨୦ ହଜାର ଲୋକ ଜଳାତଙ୍କ ରୋଗର ଶିକାର ହେଉଥିବା ବେଳେ ପୃଥିବୀରେ ୫୯ ହଜାର ଲୋକ ଏଥିରେ ପ୍ରାଣ ହରାଇଥା’ନ୍ତି। ତହିଁରୁ ୪୦ ପ୍ରତିଶତ ମୃତକ ହେଉଛନ୍ତି ୧୫ ବର୍ଷରୁ କମ୍। ଜଳାତଙ୍କ ରୋଗ ପାଇଁ ଟିକା ରହିଥିଲେ ହେଁ ଏହା ବିଶେଷ ଫଳପ୍ରଦ ହୋଇପାରୁନାହିଁ। କୁକୁର କାମୁଡ଼ିବା ଫଳରେ ମଣିଷ ଶରୀରରେ ଜଳାତଙ୍କ ଭୂତାଣୁ ପ୍ରବେଶ କରିଥାଏ। ଶରୀରରେ ପ୍ରବେଶ କରିବାର ୨୦-୯୦ ଦିନ ପର୍ଯ୍ୟନ୍ତ ଏହାର କୌଣସି ଲକ୍ଷଣ ପ୍ରକାଶ ପାଇ ନଥାଏ। ମାତ୍ର ଲକ୍ଷଣ ପ୍ରକାଶ ପାଇବା ବେଳକୁ ଏହାର ଚିକିତ୍ସା ଏକପ୍ରକାର ଅସମ୍ଭବ ହୋଇପଡ଼େ। ଫଳରେ ୨-୭ ଦିନ ଭିତରେ ଜଣେ ଜଳାତଙ୍କ ରୋଗର ଶିକାର ବ୍ୟକ୍ତି ପ୍ରାଣ ହରାଇଥା’ନ୍ତି। ଜଳାତଙ୍କ ରୋଗରେ ମୃତ୍ୟୁ ସୁନିଶ୍ଚିତ। ଆଜିର ସମୟରେ ଜଳାତଙ୍କ ରୋଗର ଚିହ୍ନଟ ପାଇଁ ଯେଉଁ ପଦ୍ଧତି ଅବଲମ୍ବନ କରାଯାଉଛି, ତାହା ଯଥେଷ୍ଟ ନୁହେଁ। ଫଳରେ ସାମାନ୍ୟ ଅବହେଳାରୁ ଅନେକ ମୂଲ୍ୟବାନ ଜୀବନ ଝଡ଼ି ଯାଉଛି।

‌ଗବେଷଣାରୁ ଜଣାପଡ଼ିଛି ଯେ କୁକୁର କାମୁଡ଼ା ଦ୍ବାରା ହିଁ ମଣିଷ ଶରୀରରେ ୯୫ ପ୍ରତିଶତ ଜଳାତଙ୍କ ରୋଗ ହୋଇଥାଏ। ତେଣୁ କୁକୁର ମସ୍ତିଷ୍କରେ ଜଳାତଙ୍କ ‌ଭୂତାଣୁ ରହିଥିବା ପ୍ରୋଟିନ୍‌କୁ ଠାବ କରିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ଡା. ଅମୋଲ ରତ୍ନାକର ସୂର୍ଯ୍ୟବଂଶୀ ଓ ଶୁଚିସ୍ମିତା ବେହେରା ପ୍ରୋଟୋମିକ୍ସ ଜରିଆରେ କୁକୁର ମସ୍ତିଷ୍କରେ ଭୂତାଣୁର ପ୍ରୋଟିନ୍‌କୁ ଠାବ୍ କରିପାରିଛନ୍ତି ଏ ସଂପର୍କିତ ଆହୁରି ଗବେଷଣା ଜାରି ରହିଛି। ଜଳାତଙ୍କ ରୋଗ ସଂପର୍କରେ ଏହି ଗବେଷଣା ନିକଟରେ ଅନ୍ତର୍ଜାତୀୟ ଜର୍ଣ୍ଣାଲ ପ୍ରୋଟିନ୍ ଏଣ୍ଡ ପ୍ରୋଟୋମିକ୍ସରେ ପ୍ରକାଶିତ ହୋଇଥିଲା।

ସମ୍ବନ୍ଧିତ ଖବର