ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଶୀର୍ଷକ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ତଥା ସୂଚନା ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର, ଅତିରିକ୍ତ ପ୍ରମୁଖ ବନସଂରକ୍ଷକ ତଥା ଓର୍ସାକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପି.କେ ମଲ୍ଲିକ, ସିବିଏସ୍ଇର ଭୁବନେଶ୍ୱର ଆଞ୍ଚଳିକ ଅଧିକାରୀ କେ. ଶ୍ରୀନିବାସନ୍ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା।
ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମିଶ୍ର କହିଲେ, ପ୍ରକୃତି ଓ ପରିବେଶର ଗଭୀର ଅନୁଶୀଳନ ହେଉଛି ବିଜ୍ଞାନ। ଏହାକୁ ଆଗେଇନେବା ପ୍ରକ୍ରିୟା ହେଉଛି ବୈଷୟିକ ଜ୍ଞାନକୌଶଳ। ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନକୌଶଳ ଆମ ଜୀବନର ଅଂଶବିଶେଷ ପାଲଟି ଯାଇଛି। କରୋନା ମହାମାରୀ ସମୟରେ ଆମେ ଏହାର ପ୍ରମାଣ ପାଇଛେ। ଶ୍ରୀ ମଲ୍ଲିକ କହିଥିଲେ, ବଞ୍ଚିବା, ବଢ଼ିବା ଏବଂ ନିର୍ଭରଶୀଳ ପାଇଁ ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକ କରିଥାଉ। ବିଜ୍ଞାନ ଓ ବୈଷୟିକ କୌଶଳ ହେଉଛି ଆମର ଦୁଇ ହାତ ସଦୃଶ। ଆମେ ଯାହା ଚିନ୍ତା କରୁ, ତାହା ବିଜ୍ଞାନ ଏବଂ ଏହାକୁ କାର୍ଯ୍ୟରେ ପରିଣତ କରିବା ହେଉଛି ବୈଷୟିକ ଜ୍ଞାନ। ଛାତ୍ରଛାତ୍ରୀଙ୍କଠାରେ ବୈଜ୍ଞାନିକ ମନୋବୃତ୍ତି ବିକଶିତ କରିବା ସହ ଏହାକୁ ଅଭ୍ୟାସରେ ପରିଣତ କରିବା ଉଚିତ। ବିଜ୍ଞାନ ଓ କାରିଗରୀ କୌଶଳର ବିକାଶ କରି ଏହାକୁ କାମରେ ଲଗାଇବା ଦ୍ୱାରା ଆମର ସ୍ୱାଧୀନତା ସୁରକ୍ଷିତ ରହିପାରିବ ବୋଲି ସେ କହିଥିଲେ।
ଏହି ଅବସରରେ ବକ୍ତବ୍ୟ ଦେଇ ଶ୍ରୀନିବାସନ୍ କହିଲେ, ଆମ ଚାରିପଟେ ଘଟୁଥିବା ଘଟଣାକୁ ଆମେ ବୁଝିବା ଆବଶ୍ୟକ ଏବଂ ଏ ସବୁର ବିକାଶ ପାଇଁ ଆମେ ଆମର ଜ୍ଞାନକୁ କାର୍ଯ୍ୟରେ ଲଗାଇବା ଉଚିତ। ଆମେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳକୁ ଆମର ଉନ୍ନତମାନର ଜୀବନଧାରଣ ଓ ସମାଜ ପାଇଁ ବ୍ୟବହାର ଉପଯୋଗୀ କରିବା ଦିଗରେ କାର୍ଯ୍ୟ କରିବା ଉଚିତ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଏବେ ହେଉଛି ଜ୍ଞାନ ଓ ବିଜ୍ଞାନର ଯୁଗ। ପୂର୍ବରୁ ଛାତ୍ରଛାତ୍ରୀମାନେ ଜ୍ଞାନ ପାଇଁ କେବଳ ପୁସ୍ତକ ଉପରେ ନିର୍ଭର କରୁଥିଲେ। ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନକୌଶଳ ଆମର ଜୀବନର ଅଂଶବିଶେଷ ପାଲଟିଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଯୋଗୁଁ ଆମେ ଆଗକୁ ବଢ଼ିପାରିବା। ଗତ ଦୁଇବର୍ଷ ମଧ୍ୟରେ କରୋନା ମହାମାରୀରୁ ଏହା ପ୍ରମାଣିତ ହୋଇପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ।
କାର୍ଯ୍ୟକ୍ରମରେ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଦେଇଥିଲେ। ସପ୍ତାହେବ୍ୟାପୀ ଚାଲିବାକୁ ଥିବା ଏହି ବିଜ୍ଞାନ ମହୋତ୍ସବରେ ଅଗ୍ନି, ଆକାଶ, ପୃଥିବୀ, ବ୍ରହ୍ମୋସ, ଅସ୍ତ୍ର, ନାଗ ଆଦି ବିଭିନ୍ନ କ୍ଷେପଣାସ୍ତ୍ରର ମଡେଲ ପ୍ରଦର୍ଶିତ ହେବା ସହ ଅର୍ଜୁନ ଟ୍ୟାଙ୍କ, ଆର୍ଟିଲେରି ଗନ୍ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ କରିଛନ୍ତି। ଏହି ମହୋତ୍ସବରେ ବିଭିନ୍ନ ସ୍କୁଲ୍ର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ନ୍ୟାସ୍ନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ସହଯୋଗରେ ୨୦ରୁ ଊର୍ଦ୍ଧ୍ୱ ତୃଣମୂଳସ୍ତରର ବୈଜ୍ଞାନିକଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସମେତ ଦେଶର ୭୫ଟି ରାଜ୍ୟରେ ପାଳିତ ହେଉଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି।