ଟାଟା ଏସ୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ବାରଙ୍ଗ : ଗୁରୁବାର ପୂର୍ବାହ୍ନରେ ବାରଙ୍ଗ-ବାଲିକୁଦା ମୁଖ୍ୟ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ସଦର ଥାନା ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ରାମନଗରର ବିରଞ୍ଚି ଷଡ଼ଙ୍ଗୀ(୬୫)ଙ୍କ ମୃତ୍ୟୁ ଘଟିଛି। ପୁଲିସ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ବିରଞ୍ଚି ଏକ ସ୍କୁଟି(ଓଡି୦୫-ଇ-୬୪୪୯) ଯୋଗେ ବାରଙ୍ଗ ମୁଖ୍ୟ ରାସ୍ତାରେ ଯାଉଥିଲେ। ସେ କେଏମ୍‌ବିବି କଲେଜ ନିକଟରେ ପହଞ୍ଚିଥିବା ବେଳେ ଭାରସାମ୍ୟ ହରାଇ ସ୍କୁଟି ସହ ତଳେ ପଡ଼ି ଯାଇଥିଲେ। ଏତିକିବେଳେ ପଛ ପଟୁ ଦ୍ରୁତ ବେଗରେ ଯାଉଥିବା ଏକ ଟାଟା ଏସ୍‌(ଓଡି-୦୫ଏଜେ-୪୩୨୪) ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ବାରଙ୍ଗ ଥାନା ପୁଲିସ ତାଙ୍କୁ ଆମ୍ବୁଲାନ୍‌ସ ଯୋଗେ କଟକ ବଡ଼ ମେଡିକାଲକୁ ପଠାଇଥିଲା। କିନ୍ତୁ ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନାଯୋଗ୍ୟ, କୁଆଖାଇ ସେତୁ ନିକଟରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ବାଲିଗାଡ଼ି ଚଳାଚଳ ଯୋଗୁଁ ରାସ୍ତାର ଏହି ଅଂଶରେ ବହୁତ ବାଲି ଜମି ରହୁଛି ଓ ଦୁଇଚକିଆ ଯାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର