ଭୁବନେଶ୍ୱର : ଟେଷ୍ଟ ଡ୍ରାଇଭ୍ ଆଳରେ ସ୍କୁଟର ଲୁଟୁଥିବା ଗଞ୍ଜାମ ଭଞ୍ଜନଗର ରଥସାହିର ଏସ୍. ଅମିତ ପାତ୍ର ଓରଫ ଜଗୁର ଦିନିକିଆ ରିମାଣ୍ଡ ଅବଧି ସରିବା ପରେ ତାକୁ ଜେଲ ପଠାଇ ଦିଆଯାଇଛି। ରିମାଣ୍ଡ ବେଳେ କମିସନରେଟ୍ ପୁଲିସ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ରାଜ୍ୟର ଏକ ସୀମାବର୍ତ୍ତୀ ଜିଲ୍ଲାରେ ଜଣେ ଦଲାଲ ଜଗୁ ଠାରୁ ଏକାଧିକ ଗାଡ଼ି ବିଭିନ୍ନ ସମୟରେ ନେଇ ବେପାର କରିଛି। ଏହି ଦଲାଲକୁ ଧରିବା ପାଇଁ ସମ୍ପୃକ୍ତ ଜିଲ୍ଲାକୁ କମିସନରେଟ୍ ପୁଲିସ ଯିବାକୁ ସ୍ଥିର କରିଛି। ଜଗୁଠାରୁ ସୂଚନା ପାଇବା ପରେ ୧୬ଟି ବାଇକ୍ ଉଦ୍ଧାର ହୋଇଥିବା ବେଳେ ଦଲାଲ ଠାରୁ ଆହୁରି ୨୦ରୁ ଊର୍ଦ୍ଧ୍ବ ବାଇକ୍ ଉଦ୍ଧାର କରାଯିବା ନେଇ ପୁଲିସ ଆଶା କରିଛି। ଏହି ଦଲାଲ ସହ ପରିବହନ ବିଭାଗର କେତେକ ଅଧିକାରୀ ସାମିଲ ଥିବା ଅନୁମାନ କରାଯାଉଛି।
କେମିତି ସାଜିଲା ଲୁଟେରା: ଜଗୁ ଗଞ୍ଜାମରେ ବ୍ୟବସାୟ କରୁଥିଲା। ପରେ ଜିଲ୍ଲାର ବିଭିନ୍ନ ଜାଗାରେ ଚାଲିଥିବା ଆଇପିଏଲ୍ ବେଟିଂରେ ଭାଗ ନେଇ ପ୍ରାୟ ୨୫ ଲକ୍ଷ ଟଙ୍କା ହାରିଥିଲା। ଫଳରେ ତାକୁ ହାତ ଉଧାରି କରିବାକୁ ପଡ଼ିଥିଲା। ଧାର ସୁଝିବା ପାଇଁ ତା’ ସ୍କୁଟିକୁ ବିକିବା ପାଇଁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଲା। ଜଣେ ଗ୍ରାହକ ଦେଖିବା ପାଇଁ ଆସି ଟେଷ୍ଟ ଡ୍ରାଇଭ୍ରେ ଗଲେ। ପ୍ରାୟ ୫ ମିନିଟ୍ ପରେ ସେ ଆସିଥିଲେ। ଜଗୁ କିନ୍ତୁ ଚିନ୍ତା କଲା ଯଦି ଗ୍ରାହକ ଗାଡ଼ି ନେଇ ଫେରାର ହୋଇଯାଏ ତେବେ ଗାଡ଼ି ମାଲିକ କିଛି କରିପାରିବ ନାହିଁ। ଏଭଳି ଉପାୟରେ ଅନେକ ଗାଡ଼ି ଲୁଟି ହେବ। ଗୋଟିଏ ଗାଡ଼ିକୁ ୧୦ ହଜାରରେ ବିକିଲେ ମାସକରେ ୧୦ଟି ଗାଡ଼ିରୁ ଲକ୍ଷେ ଟଙ୍କା ଆସିଯିବ। ଏଭଳି ଏକ ଯୋଜନା କରି ଭୁବନେଶ୍ବରରେ ଏକ ଭଡ଼ା ଘର ନେଇ ଲୁଟ୍ ଆରମ୍ଭ କଲା।
ଖାଲି ସ୍କୁଟର ଲୁଟୁଥିଲା: ରିମାଣ୍ଡ ବେଳେ ଜଗୁ ଖାଲି ସ୍କୁଟର ଲୁଟିବା ପଛର ରହସ୍ୟ ସଂପର୍କରେ କହିଥିଲା। ଓଏଲ୍ଏକ୍ସ ବିଜ୍ଞାପନ ଜରିଆରେ ମାଲିକ ପାଖରେ ପହଞ୍ଚି ଟେଷ୍ଟ ଡ୍ରାଇଭ୍ ଆଳରେ ଗୋଟିଏ ସ୍କୁଟି ଲୁଟିବାରେ ସଫଳ ହେବା ପରେ ଗୋଟିଏ ପରେ ଗୋଟିଏ ଗାଡ଼ି ଲୁଟି ଚାଲିଲା। ଆନେକ ସମୟରେ ଭଲ ଗାଡ଼ି ଲୁଟିବା ପାଇଁ ପୁରୁଣା ଚୋରା ଗାଡ଼ି ମାଲିକ ପାଖରେ ଛାଡ଼ି ଦେଇ ଚାଲି ଆସୁଥିଲା। ମାଲିକ ଭାବୁଥିଲା କି ଗାଡ଼ି ଅଛି, ଜଗୁ ଫେରିବ। କିନ୍ତୁ ଜଗୁ ଆଉ ଫେରୁନଥିଲା। ଏହି ଢଙ୍ଗରେ ଭୁବନେଶ୍ବର ଓ ଏହାର ଉପକଣ୍ଠରୁ ପାଖାପାଖି ୫୦ରୁ ଊର୍ଦ୍ଧ୍ବ ଗାଡ଼ି ଲୁଟି ନେଇଥିଲା।
କେମିତି ଧରାପଡ଼ିଲା: ଗତ କିଛି ଦିନ ହେଲା ରାଜଧାନୀ, କଟକ ଓ ଆଖପାଖ ଅଞ୍ଚଳରୁ ଟେଷ୍ଟ ଡ୍ରାଇଭ୍ ଆଳରେ ସ୍କୁଟର ଲୁଟ୍ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ନୂଆପଲ୍ଲୀ ଥାନା ଅଞ୍ଚଳରୁ ଗତ ମାସ ୨୬ ଓ ୨୭ ତାରିଖରେ ଲଗାତର ଦୁଇ ଦୁଇଟି ମାମଲା ରହିଥିବା ବେଳେ ଖଣ୍ଡଗିରି ଗଣ୍ଡମୁଣ୍ଡା ଅଞ୍ଚଳରୁ ମଧ୍ୟ ଏକ ଅଭିଯୋଗ ହୋଇଥିଲା। ବ୍ୟାଙ୍କ ଜବତ କରିଥିବା ଏକ ସ୍କୁଟରକୁ ବିକିବା ପାଇଁ ବ୍ୟାଙ୍କ ଅଧିକାରୀ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ। ଜଗୁ ଅଧିକାରୀଙ୍କୁ ଯୋଗାଯୋଗ କରି ଟେଷ୍ଟ ଡ୍ରାଇଭ୍ ଆଳରେ ଗାଡ଼ି ନେଇ ଫେରାର ହୋଇ ଯାଉଥିଲା। ଜଗୁର ଫଟୋ ବ୍ୟାଙ୍କ୍ ସିସିଟିଭି ଫୁଟେଜ୍ରେ ରହି ଯାଇଥିଲା। ଏହାକୁ ଆଧାର କରି ପୁଲିସ ଜଗୁକୁ ଚିହ୍ନଟ କରିଥିଲା। ଜଗୁକୁ ଧରିବା ପାଇଁ ପୁଲିସ ଓଏଲ୍ଏକ୍ସରେ ଗାଡ଼ି ବିକିବା ପାଇଁ ବିଜ୍ଞାପନ ଦେଇ ଜାଲ ବିଛାଇଥିଲା। ପୁଲିସର ଚାଲ୍ ବୁଝି ନପାରି ସେ ଫସି ଯାଇଥିଲା।