୨ ସ୍କୁଟି ମୁହାଁମୁହିଁ ଧକ୍କା: ଝିଆରି ସାମ୍ନାରେ ଚାଲିଗଲା ଦାଦା ଜୀବନ

ଭୁବନେଶ୍ବର: କାମ ସାରି ଭାଉଜ, ଝିଆରୀକୁ ସାଙ୍ଗରେ ନେଇ ଘରକୁ ଫେରୁଥିଲେ। ଘର ଆଉ ଅଳ୍ପ ବାଟ ଥିଲା। କିନ୍ତୁ ସେତକ ସେ ଅତିକ୍ରମ କରିପାରିଲେ ନାହିଁ। ଦୁର୍ଘଟଣା ତାଙ୍କ ଜୀବନ ନେଇଗଲା। ରବୀନ୍ଦ୍ର ମଣ୍ଡପ ଛକ ନିକଟ ରାଜ୍ୟ ଗେଷ୍ଟହାଉସ୍‌ ସମ୍ମୁଖରେ ଆଜି ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଦୀପ ଲିଭିଯାଇଛି। ମୃତକ ହେଲେ, ୟୁନିଟ୍‌-୪ ମାଛ ମାର୍କେଟ୍‌ ଅଞ୍ଚଳର ସତ୍ୟଜିତ୍‌ ନାୟକ(୩୦)। ଅପରପକ୍ଷେ ଏହି ଦୁର୍ଘଟଣାରେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ସତ୍ୟଜିତଙ୍କ ଭାଉଜ ରଶ୍ମିରେଖା ‌ବେହେରା ଓ ଝିଆରି ଏବଂ ଅନ୍ୟ ସ୍କୁଟିରେ ଥିବା ଶାସ୍ତ୍ରୀନଗର ଅଞ୍ଚଳର ହୃଷୀକେଶ ରଣା ଓ ତାଙ୍କର ଦୁଇ ବନ୍ଧୁ।

ସୂଚନା ମୁତାବକ, ସୋମବାର ରାତି ପାଖାପାଖି ସାଢ଼େ ୯ଟାରେ ସତ୍ୟଜିତ୍‌ ମାଛ ମାର୍କେଟ୍‌ରୁ କାମ ସାରି ଭାଉଜ ରଶ୍ମିରେଖା ଓ ଝିଆରିଙ୍କୁ ଧରି ଘରକୁ ଫେରୁଥିଲେ। ରାଜ୍ୟ ଗେଷ୍ଟହାଉସ୍‌ ଛକ ଅତିକ୍ରମ କରିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ସ୍କୁଟିରେ ଦ୍ରୁତଗତିରେ ଆସୁଥିବା ହୃଷୀକେଶ ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସତ୍ୟଜିତ ଓ ହୃଷୀକେଶ କିଛି ବାଟ ଦୂରରେ ପଡ଼ିଥିଲେ। ଅନ୍ୟମାନେ ମଧ୍ୟ ପଡ଼ି ଖଣ୍ଡିଆଖାବରା ହୋଇଥିଲେ। କାହା ମୁଣ୍ଡ ଫାଟିଯାଇଥିଲା ତ କାହାର ଗୋଡ଼ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ସେଠାରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ହେଲେ ଡାକ୍ତର ସେଠାରେ ସତ୍ୟଜିତ୍‌ଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସମସ୍ତ ଦିଗକୁ ନେଇ ପୁଲିସ ତନାଘନା କରୁଛି। ପୁଲିସ୍‌ ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର