ଖଣ୍ଡଗିରି: ଦୀର୍ଘ ଦିନର ଅସୁସ୍ଥତା ବାବଦରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ସହ ପରାମର୍ଶ କରି ଘରକୁ ମା’ ପୁଅ ଫେରୁଥିଲେ। ଏଥର ରୋଗରୁ ମୁକ୍ତି ମିଳିଯିବ ବୋଲି ବଡ଼ ଆଶା କରି ସେମାନେ ଘରମୁହାଁ ହୋଇଥିଲେ। ମାତ୍ର ବିଧିର ବିଧାନ ଥିଲା ଅଲଗା। ରୋଗ ସିନା ନେଇ ପାରିଲାନି, ହେଲେ ବାଟରେ ସଡ଼କ ଦୁର୍ଘଟଣା ନେଇଗଲା ମହିଳାଙ୍କ ଜୀବନ। ବୁଧବାର ଅପରାହ୍ଣ ପ୍ରାୟ ୧ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ବରମୁଣ୍ଡା ଓଭରବ୍ରିଜ୍ ଉପରେ ଘଟିଛି ଏହି ଦୁର୍ଘଟଣା। ମୃତ ମହିଳା ହେଲେ ଖୋର୍ଧା ଜିଲ୍ଲା ବାଘମାରୀ ଥାନା ପଙ୍ଗାରସିଂହ ଗାଁର ସୁରେନ୍ଦ୍ର ରାଉତରାୟଙ୍କ ସ୍ତ୍ରୀ ସୁକାନ୍ତି(୪୯)। ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କ ମୃତ୍ୟୁ ଘଟିଛି। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ କାର୍କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ସୂଚନାନୁସାରେ ପୁଅ ପ୍ରମୋଦକୁ ସାଙ୍ଗରେ ଧରି ସୁକାନ୍ତି କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ଦୀର୍ଘ ଦିନର ଅସୁସ୍ଥତା ବାବଦରେ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଔଷଧପତ୍ର କିଣାକିଣି କରି ସେମାନେ ଘରକୁ ଫେରିଥିଲେ। ସେମାନେ ବରମୁଣ୍ଡା ଓଭରବ୍ରିଜ୍ ଉପରେ ପହଞ୍ଚି ଥିବାବେଳେ ପଛରୁ ଦ୍ରୁତବେଗରେ ଯାଉଥିବା ଏକ ୱାଗ୍ନର କାର୍ (ଓଆର୍୦୫ଏଜି-୭୯୧୧) ସେମାନଙ୍କ ସ୍କୁଟିକୁ ପଛରୁ ପିଟି ଦେଇଥିଲା। ଫଳରେ ସ୍କୁଟି ଚଲାଉଥିବା ପ୍ରମୋଦ ଗାଡ଼ିରୁ କିଛି ଦୂର ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ କାର୍ଟି ସୁକାନ୍ତିଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ମା’ପୁଅ ରାସ୍ତାରେ ଛଟପଟ ହେଉଥିବାବେଳେ କାର୍ ଚାଳକ ଗାଡ଼ି ନେଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା, କିନ୍ତୁ ଉପସ୍ଥିତ ଲୋକେ ତାକୁ କାବୁ କରି ନେଇଥିଲେ। ସେହି କାର୍ରେ ପ୍ରମୋଦ ଓ ଗୁରୁତର ଆହତ ସୁକାନ୍ତିଙ୍କୁ ଲୋକମାନେ ଭୁବନେଶ୍ବର ଏମ୍ସ ପଠାଇଥିଲେ।
ରୋଗ ନେଇ ପାରିଲାନି ଦୁର୍ଘଟଣା ନେଇଗଲା ଜୀବନ, ସ୍କୁଟି କାର୍ ଦୁର୍ଘଟଣାରେ ମହିଳା ମୃତ
/sambad/media/post_attachments/wp-content/uploads/2019/10/accident90-news-first-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)