ଧଉଳି : ଓଡ଼ଶା ଲଳିତ କଳା ଏକାଡେମି ଓ ବିପ୍ରଚରଣ ଫାଉଣ୍ଡେସନ୍‌ ଟ୍ରଷ୍ଟର ମିଳିତ ସହଯୋଗରେ ଧଉଳି ଶାନ୍ତିସ୍ତୂପଠାରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ବିପ୍ରଚରଣ ମହାନ୍ତିଙ୍କ ୯୦ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାବେଶକୁ ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ।

Advertisment

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଶତପଥୀ ବିପ୍ରଚରଣଙ୍କ କୃତି ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାଠାରୁ ଦିଲ୍ଲୀ ଯାଏ ତାଙ୍କର ଭାସ୍କର୍ଯ୍ୟ କଳାର ଖ୍ୟାତି ସଂପର୍କରେ କହିଥିଲେ ଏବଂ ବିପ୍ରଚରଣଙ୍କ ନାଁରେ କୌଣସି ଏକ କଳା ମହାବିଦ୍ୟାଳୟକୁ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ମିଶ୍ର ବିପ୍ରଚରଣଙ୍କ ନାମରେ ଭୁବନେଶ୍ୱର କୌଣସି ଏକ ରାସ୍ତାର ନାମକରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ବିଭୂତି ଚାରୁ ଓ କାରୁକଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଲେଖ ଚରଣ ସାହୁ ସମାବେଶରେ ପୌରୋହିତ୍ୟ କରିଥିବା ବେଳେ ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ରୀତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଧଉଳି ଚାରୁକଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପାନନ ସାମଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମ୍ପାଦକ ମିହିରକାନ୍ତ ପ୍ରହରାଜ ବକ୍ତବ୍ୟ ରଖିଥିବା ବେଳେ ଓଡ଼ିଶା ଲଳିତ କଳା ଏକାଡେମିର ସମ୍ପାଦକ ତାରାକାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବୟୋଜ୍ୟେଷ୍ଠ ନାରୀଶିଳ୍ପୀ ବସନ୍ତ କୁମାରୀ ସାମନ୍ତ ଓ ଜ୍ୟୋତିର୍ମୟୀ ମହାନ୍ତି ଏବଂ ଦିବ୍ୟାଙ୍ଗ ଶିଳ୍ପୀ ହରିହର କାନୁନ୍‌ଗୋଙ୍କୁ ବିପ୍ରଚରଣ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ସବ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଭାସ୍କର୍ଯ୍ୟ କଳା ଶିବିରର ଶ୍ରେଷ୍ଠ ତିନିଜଣ ଶିଳ୍ପୀ ମନୋରଞ୍ଜନ ଦାସ, ବିଶ୍ୱରଞ୍ଜନ ଦାଶ ଓ ଦୀପକ କୁମାର ବେହେରାଙ୍କୁ ମଧ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।