ଭୁବନେଶ୍ବର: ୟୁନିଟ୍-୨ ଅଞ୍ଚଳରେ ଜବରଦଖଲରେ ଥିବା ସରକାରୀ କ୍ବାର୍ଟର୍ସକୁ ସରକାର ଜବରଦଖଲମୁକ୍ତ କରିଥିଲେ। ଜବରଦଖଲମୁକ୍ତ ପରେ ଏସବୁ କ୍ବାର୍ଟର୍ସ ସିଲ୍ ହୋଇଥିଲା। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କ୍ବାର୍ଟର୍ସକୁ ସିଲ୍ କରି ଫେରିଥିଲା ଜିଏ(ସାଧାରଣ ପ୍ରଶାସନ) ବିଭାଗ ସହ ବିଡିଏ, ବିଏମ୍ସି, କମିସନରେଟ୍ ପୁଲିସଙ୍କ ଯୁଗ୍ମ ଦଳ। କିନ୍ତୁ ଏହା ପରେ କେହି ଦେଖିଲେନି।
ଏଣୁ ଜବରଦଖଲକାରୀମାନେ ପୁନର୍ବାର ସରକାରୀ କ୍ବାର୍ଟର୍ସଗୁଡ଼ିକୁ ମାଡ଼ି ବସିଥିଲେ। ସେ ପୁଣି ସିଲ୍ ହୋଇଥିବା ତାଲା ଭାଙ୍ଗି। ଏହା ଜଣାପଡ଼ିବା ପରେ ଆଜି ପୁନର୍ବାର ସାଧାରଣ ପ୍ରଶାସନ ବିଭାଗ ସହ ବିଡିଏ, ବିଏମ୍ସି, ପରେ ଏସବୁ ସରକାରୀ କ୍ବାର୍ଟର୍ସକୁ ଜବରଦଖଲମୁକ୍ତ କରାଯାଇଛି। ଆଜି ୨୩ଟି କ୍ବାର୍ଟର୍ସରୁ ୨୧ଟି କ୍ବାର୍ଟର୍ସକୁ ଜବରଦଖଲମୁକ୍ତ କରାଯାଇଛି। ଆସନ୍ତାକାଲି ଆଉ ୨ଟି ସରକାରୀ କ୍ବାର୍ଟର୍ସକୁ ଜବରଦଖଲମୁକ୍ତ କରାଯିବ। ପୂର୍ବରୁ ୟୁନିଟ୍-୨ ଅଞ୍ଚଳରେ ଥିବା ଶତାଧିକ କ୍ବାର୍ଟର୍ସ ଅନାମଧେୟ ଲୋକଙ୍କ ଜବରଦଖଲରେ ରହିଥିଲା। ଜବରଦଖଲକାରୀମାନେ କେଉଁଠି ଫଳ ଗୋଦାମ ତ କେଉଁଠି ସିମେଣ୍ଟ ଓ ଲୁହାଛଡ଼ ଗୋଦାମ ଖୋଲିଥିଲେ। ଆଉ କେଉଁଠି ହୋଟେଲ୍ ଖୋଲାଯାଇଥିଲା ଏବଂ କଲ୍ୟାଣମଣ୍ଡପ କରି ଭୋଜିଭାତର ଆୟୋଜନ ଚାଲିଥିଲା। ସରକାରୀ କ୍ବାର୍ଟର୍ସ ଭଡ଼ାରେ ଲାଗିଥିବା ଜଣାପଡ଼ିଥିଲା। ବର୍ଷ ବର୍ଷ ଧରି ଏମାନେ ସବୁ କ୍ବାର୍ଟର୍ସକୁ ଦଖଲରେ ରଖିଥିଲେ। ସେ ପୁଣି ଏ ସଂପର୍କରେ ଅଭିଯୋଗ ଉଠିବା ପରେ ଗତ ମେ’ ୨୧ ତାରିଖରେ ଜିଏ ଓ ପୂର୍ତ୍ତ ବିଭାଗ ସହ ବିଏମ୍ସି ଓ ବିଡିଏର ପ୍ରାୟ ୫୦ ଜଣିଆ ଏନ୍ଫୋର୍ସମେଣ୍ଟ ଟିମ୍ଜବରଦଖଲରେ ଥିବା ଜିଏ ବିଭାଗର ଏହି ଶତାଧିକ କ୍ବାର୍ଟର୍ସକୁ ଜବରଦଖଲମୁକ୍ତ ସହ ସିଲ୍ କରିଥିଲେ। ପୁନର୍ବାର ଜବରଦଖଲକାରୀମାନେ ସିଲ୍ ତାଲାକୁ ଭାଙ୍ଗି ଏହାକୁ ଦଖଲକୁ ନେଇ ଯାଇଥିଲେ। ଆଜି ସମସ୍ତଙ୍କୁ ଉଚ୍ଛେଦ କରାଯାଇଛି। ୟୁନିଟ୍-୨ ଅଞ୍ଚଳର ସରକାରୀ କ୍ବାର୍ଟର୍ସ ନମ୍ବର ଆଇଭିଏ-୩୪/୩, ୩୪/୪, ୪୫/୪, ୪୫/୫, ୪୫/୬ ଆଦିକୁ ଜବରଦଖଲମୁକ୍ତ କରାଯାଇଛି। ବିଡିଏ ଏନଫୋର୍ସମେଣ୍ଟ ଟିମ୍ ସାଙ୍ଗକୁ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୁଲିସ ବଳ ନିୟୋଜିତ ଥିଲେ।
କ୍ବାର୍ଟର୍ସରେ ଚାଲିଥିଲା କୁକୁର ବନ୍ଧ୍ୟାକରଣ
ସରକାରୀ କ୍ବାର୍ଟର୍ସରେ ଚାଲିଥିଲା କୁକୁର ବନ୍ଧ୍ୟାକରଣ। ଡାକ୍ତରୀ ଯନ୍ତ୍ରପାତି ସହ ଅନ୍ୟାନ୍ୟ ଆସବାବ ବି ରହିଥିଲା। ଡାକ୍ତର ଆସି ବନ୍ଧ୍ୟାକରଣ କରି ଫେରୁଥିଲେ। ବନ୍ଧ୍ୟାକରଣ ପରେ କୁକୁରଙ୍କୁ ଏଠାରେ ରଖାଯାଇଥିଲା। ଏକ ଏନ୍ଜିଓ ସଂସ୍ଥା ଏଭଳି କାମ କରୁଥିଲା। ଆଜି ୟୁନିଟ୍-୨ ଅଞ୍ଚଳରୁ ସରକାରୀ କ୍ବାର୍ଟର୍ସ ଜବରଦଖଲମୁକ୍ତ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆସନ୍ତାକାଲି ସୁଦ୍ଧା ଏହି ସଂସ୍ଥାକୁ କ୍ବାର୍ଟର୍ସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ପ୍ରକ୍ରିୟା ଜାରି ରହିଛି। ହାଇଦ୍ରାବାଦର ଏକ ଏନ୍ଜିଓ ସଂସ୍ଥା ଏହି କାମ କରୁଛି। ଏହି ଏନ୍ଜିଓ ୟୁନିଟ୍-୨ ଅଞ୍ଚଳରେ ଦୁଇଟି କ୍ବାର୍ଟର୍ସ ନିଜ ଦଖଲରେ ରଖି ଏଠାରେ କୁକୁର ବନ୍ଧ୍ୟାକରଣ କରୁଥିଲା। ଏଥିପାଇଁ କାହାଠାରୁ ଅନୁମତି ମିଳି ନଥିଲା। କୁକୁର ବନ୍ଧ୍ୟାକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ମଞ୍ଚେଶ୍ବର ଓ ଅନ୍ୟାନ୍ୟ ସ୍ଥାନରେ ଡଗ୍ କେନେଲ୍ ସବୁ ରହିଛି। କିନ୍ତୁ ଏଠାରେ ବନ୍ଧ୍ୟାକରଣ ନ କରି ସରକାରୀ କ୍ବାର୍ଟର୍ସରେ ସଂପୃକ୍ତ ସଂସ୍ଥା କିଭଳି ଓ କାହିଁକି ବନ୍ଧ୍ୟାକରଣ କରୁଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପରିତ୍ୟକ୍ତ ସରକାରୀ କ୍ବାର୍ଟର୍ସର ପୁନରୁଦ୍ଧାର କେବେ?
ୟୁନିଟ୍୨ ଅଞ୍ଚଳରେ ଜିଏ ବିଭାଗର ସବୁ ସରକାରୀ କ୍ବାର୍ଟର୍ସ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। କେଉଁଠି ଲତାବୁଦା, ଶିଉଳି ଚରିଗଲାଣି ତ କେଉଁଠି ଉଇହୁଙ୍କା ଉଠିଗଲାଣି। ଘର ଭିତର ଓ ବାହାର କଥା ନ କହିବା ଭଲ। ବିଷଧର ଜନ୍ତୁଜୁନ୍ତା ରହୁଛନ୍ତି। ଏଭଳି ପରିତ୍ୟକ୍ତ ଅବସ୍ଥାରେ ବର୍ଷ ବର୍ଷ ଧରି ସରକାରୀ କ୍ବାର୍ଟର୍ସ ପଡ଼ି ରହିବାରୁ ଲୋକେ ଏହାକୁ ଜବରଦଖଲ କରିବାକୁ ସାହସ ଜୁଟାଉଛନ୍ତି। ଏଣୁ ଏହି ସରକାରୀ କ୍ବାର୍ଟର୍ସର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ସରକାରୀ କର୍ମଚାରୀ ସଂଘ ବି ଅଭିଯୋଗ କରିଛି, ଜଣେ ସରକାରୀ କର୍ମଚାରୀ ବର୍ଷ ବର୍ଷ ଧରି ସେବା ଦେଲେ ମଧ୍ୟ ଖଣ୍ଡେ ସରକାରୀ କ୍ବାର୍ଟର୍ସ ପାଇପାରୁନାହାନ୍ତି। ହେଲେ ଦଲାଲ୍ଙ୍କ ଜରିଆରେ ଅସାମାଜିକ ଲୋକଙ୍କ ହାତରେ ସରକାରୀ କୋଠା ଟେକି ଦିଆଯାଉଛି। ସରକାର ଯେଉଁ ସଂସ୍ଥା ଓ ବ୍ୟକ୍ତିଙ୍କୁ ଯେଉଁ ଉଦ୍ଦେଶ୍ୟରେ ଘର ଦେଉଛନ୍ତି, ତାହା ସାର୍ବଜନୀନ କରନ୍ତୁ।
ଚନ୍ଦ୍ରଶେଖରପୁରରେ ଜବରଦଖଲ ଉଚ୍ଛେଦ
ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆଜି ଚନ୍ଦ୍ରଶେଖରପୁର କାନନବିହାର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରାଯାଇଛି। ୧୭ଟି ବ୍ୟକ୍ତିଗତ ଘର ଓ ଦୋକାନ ଉଚ୍ଛେଦ କରାଯାଇଛି। ଏଥିରେ ୧୧ଟି କ୍ୟାବିନ୍, ୩ଟି ଟିଣ ଦୋକାନ, ୩ଟି ଆଜବେଷ୍ଟସ୍ ଘର, ୨ଟି ହୋଟେଲ୍ ରହିଛି। ବିଡିଏ ଅଧିକାରୀଙ୍କ ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନବିହାରରେ ରାଜ୍ୟ ହାଉସିଂବୋର୍ଡର ଜାଗା ରହିଛି। ଏହି ଜାଗାକୁ ମାଡ଼ି ବସି ଲୋକେ ଘର, ହୋଟେଲ୍, ଦୋକାନ ଆଦି କରି ଦେଇଥିଲେ। ଗତକାଲି ରାଜ୍ୟ ହାଉସିଂବୋର୍ଡ଼ ଉଚ୍ଛେଦ ପାଇଁ ଚିଠି କରିଥିଲା। ଏହି ଚିଠି ଆଧାରରେ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ରାଜ୍ୟ ହାଉସିଂବୋର୍ଡର ପ୍ରାୟ ୨୦ ଡେସିମାଲ୍ ସରକାରୀ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ଜବରଦଖଲରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଧିକାରୀ ଦେବରାଜ ସେଠୀ, ଶୁଭ୍ରାଂଶୁ ଶେଖର ମହାନ୍ତି, ଜେଇଓ ସିଦ୍ଧାନ୍ତ ସାହୁ, ଏଓ ବିବେକାନନ୍ଦ ମାହାଲି, ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ସୁଶ୍ରୀ ସର୍ମିଷ୍ଠା ପ୍ରମୁଖ ଉପସ୍ଥିତ ଥିଲେ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ସହ ୧ ପ୍ଲାଟୁନ୍ ରିଜର୍ଭ ପୁଲିସ ଓ ୧ ସେକ୍ସନ୍ ମହିଳା ପୁଲିସ ନିୟୋଜିତ ହୋଇଥିଲେ।