ଭୁବନେଶ୍ବର: ବିଏମ୍ସି ଅଫିସ୍ରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କୌଣସି ବିଭାଗ କି ପୂରା ଅଫିସକୁ ସିଲ୍ କରାନଯାଇ କେବଳ ଦୁଇଟି ଚାମ୍ବରକୁ ସିଲ୍ କରାଯାଇଛି। ଗତ ତିନି ଦିନ ଭିତରେ ବିଏମ୍ସିରେ ଜଣେ ବରିଷ୍ଠ ଅଧିକାରୀଙ୍କ ପିଅନ ଓ ଜଣେ ବରିଷ୍ଠ ଅଧିକାରୀଙ୍କ ପରିବାରରେ କରୋନା ଆକ୍ରାନ୍ତ ବାହାରିବା ପରେ ଦୁଇ ଅଧିକାରୀଙ୍କ ଚାମ୍ବରକୁ ସିଲ୍ କରିଦିଆଯାଇଛି। ଏହାସହ ଉକ୍ତ ଅଧିକାରୀ ବସୁଥିବା କରିଡର୍କୁ ବିଶୋଧନ କରାଯାଇଛି। ଏହି ଦୁଇ ଅଧିକାରୀଙ୍କୁ ୧୪ ଦିନିଆ ସଙ୍ଗରୋଧରେ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିଏମ୍ସି ପ୍ରଶାସକ ବସୁଥିବା ପ୍ରକୋଷ୍ଠ ସମ୍ମୁଖରେ ତଥା ବିଏମ୍ସିର ଅତିରିକ୍ତ କମିସନର ବସୁଥିବା ପ୍ରକୋଷ୍ଠ ନିକଟରେ ଜଣେ ବରିଷ୍ଠ ଅଧିକାରୀ ବସନ୍ତି। ତାଙ୍କ ପିଅନ କରୋନା ଆକ୍ରାନ୍ତ ହୋଇଥିବା ତିନି ଦିନ ତଳେ ଜଣାପଡ଼ିବା ପରେ ତାଙ୍କ ଚାମ୍ବରକୁ ସିଲ୍ କରିଦିଆଯାଇଛି। ହେଲେ ଏହି କରିଡର୍ରେ ୫ରୁ ଅଧିକ ବରିଷ୍ଠ ଅଧିକାରୀ ବସୁଥିବା ବେଳେ ଏଠାରେ ପ୍ରାୟ ୮ଜଣ ପିଅନ ଡ୍ୟୁଟି କରନ୍ତି। ପିଅନମାନେ ନିଜ ନିଜ ମଧ୍ୟରେ ମିଳାମିଶା କରନ୍ତି। ବାବୁମାନଙ୍କୁ ଚା’, କଫି, ପାଣି, ଜଳଖିଆ ସବୁ ଦେଇଛନ୍ତି। ତେଣୁ ଏହି ପିଅନଜଣଙ୍କ ଆକ୍ରାନ୍ତ ହେବା ପରେ ଏବେ ବିଏମ୍ସି ଅଫିସରେ ସମସ୍ତେ ଛାନିଆ ହୋଇଯାଇଛନ୍ତି।
ସେହିପରି ବିତ୍ତ ବିଭାଗର ଜଣେ ଅଧିକାରୀଙ୍କ ପରିବାରରେ କରୋନା ଆକ୍ରାନ୍ତ ବାହାରିଥିବା ଜଣାପଡ଼ିବା ପରେ ତାଙ୍କୁ ୧୪ଦିନ ଛୁଟିରେ ପଠାଇ ଦିଆଯାଇଛି। ତାଙ୍କ ଚାମ୍ବରକୁ ସିଲ୍ କରି ବିଶୋଧନ କରାଯାଇଛି। ହେଲେ ଏହି ଅଧିକାରୀଙ୍କ ପାଖକୁ ଫାଇଲ୍ ନେଇ ଯାଇଥିବା କର୍ମଚାରୀ, ପିଅନ, କିରାଣିମାନେ ଏବେ ଭୟଭୀତ ହୋଇଯାଇଛନ୍ତି। ରାଜଧାନୀରେ କରୋନା ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟର ପରିଚାଳନା ଦାୟିତ୍ବ ବିଏମ୍ସିର। ହେଲେ ଏବେ ବିଏମ୍ସି ଅଫିସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଆଗକୁ ବିଏମ୍ସି ପାଇଁ କଡ଼ା ଚାଲେଞ୍ଜ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି।