ରାତିରେ ଖୋଜିଲେ: ମଦ ମିଳୁଛି, ଔଷଧ ମିଳୁନି

ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ବାଲିପାଟଣା ଅଞ୍ଚଳ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ସର୍ବପୁରାତନ ବାଲିପାଟଣା ଥାନା ଅଞ୍ଚଳ ନିଶାଦ୍ରବ୍ୟ କାରବାରର ହବ୍‌ ପାଲଟିଛି ବୋଲି ଅଭିଯୋଗ ହେଉଛି। ଅବକାରୀ ବିଭାଗ ଓ ପୁଲିସର ନିଷ୍କ୍ରିୟତାର ସୁଯୋଗ ନେଇ ଚୋରା ନିଶାବେପାରୀ ଏହି ଅଞ୍ଚଳରେ ନିଜ ପସରା ମେଲାଇଛନ୍ତି। ସେମାନଙ୍କର କାୟା କ୍ରମଶଃ ବଢ଼ିବାରେ ଲାଗିଛି। ଫଳରେ ଏହି ଅଞ୍ଚଳର ଗାଁ ଗହଳିରେ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ଅତି ସହଜରେ ଉପଲବ୍ଧ ହେଉଛି। ତେଣୁ ସାଧାରଣ ଲୋକ ଓ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଅଞ୍ଚଳର ଯୁବପିଢ଼ି ଅବାଟରେ ଯିବା ସହିତ ଅପରାଧ ମଧ୍ୟ ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।

ଅଭିଯୋଗ ଅନୁସାରେ, ବାଲିପାଟଣା, ଦରଡ଼ା, ବନମାଳୀପୁର, ମାର୍ଥାପୁର, ଅଠାନ୍ତର, ଧାନହରା, ଆମେଣାକୁଦ, ମଝିହରା, ନରିଶୋ, ନରଦା, ରାଜସ ଓ ବସନ୍ତମାଳ ପ୍ରଭ୍ରୁତି ଅଞ୍ଚଳରେ ବର୍ତ୍ତମାନ ବେଧଡ଼କ ନିଶା କାରବାର ହେଉଛି। ଦେଶୀ ବିଦେଶୀ ଚୋରାମଦ ସାଙ୍ଗକୁ ଗଞ୍ଜେଇ ଓ ବ୍ରାଉନସୁଗାରର କାରବାର ବୃଦ୍ଧି ପାଉଛି। ଏପରିକି ଅଧିକାଂଶ ଗାଁର ସାଧାରଣ ଦୋକାନରେ ମଧ୍ୟ ଚୋରାରେ ମଦ ବିକ୍ରି ହେଉଛି। ଏହା ଏତେ ପରିମାଣରେ ମିଳୁଛି ଯେ ରାତିଅଧରେ ସାଧାରଣ ରୋଗର ବଟିକାଟିଏ ମଧ୍ୟ ଯେଉଁଠି ମିଳିବନାହିଁ, ସେଠାରେ ଏକାଧିକ ସ୍ଥାନରେ ସହଜରେ ମଦ ମିଳି ଯାଉଛି। ଅଞ୍ଚଳର ଅପରିତ୍ୟକ୍ତ ସରକାରୀ ଓ ବେସରକାରୀ ଘର, ନଦୀ, କେନାଲ ବ୍ରିଜ ଓ ଅନ୍ୟ ନିଛାଟିଆ ରାସ୍ତାଠାରୁ ଆରମ୍ଭକରି ସର୍ବସାଧାରଣ ଆତଯାତ ହେଉଥିବା ଛକ ଓ ବଜାରରେ ଦିନରାତି ନିଶାଡ଼ିଙ୍କର ଆଡା ଜମୁଛି। କଲେଜ ଛାତ୍ର ନିଶା କବଳରେ ପଡୁଛନ୍ତି। ଯୁବକମାନେ ନିଶାଗ୍ରସ୍ତ ଅବସ୍ଥାରେ ସର୍ବସାଧାରଣ ସ୍ଥାନ ଓ ନିଜ ପରିବାରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ରାସ୍ତାଘାଟରେ ଦ୍ରୁତବେଗରେ ଗାଡି ଚଳାଇ ଆତଙ୍କ ଖେଳାଉଛନ୍ତି। ପୁଣି ନିଶାରେ ପଡ଼ିଯିବା ପରେ ନିଶା ସେବନ ପାଇଁ ଟଙ୍କା ଯୋଗାଡ଼ କରିବାଲାଗି ଅପରାଧ ମଧ୍ୟ କରୁଛନ୍ତି। ଏପରି ଉଦାହରଣ ଏହି ଅଞ୍ଚଳରେ ଅନେକ ରହିଛି।

ଆଉ ଗୋଟିଏ ଗୁରୁତର କଥା ହେଉଛି, ଏହି ପଥଭ୍ରଷ୍ଟ ଯୁବକଙ୍କ ଭିତରୁ କେତେଜଣ କିଛିଦିନ ନିଶା ସେବନ କରିବାପରେ ନିଜେ ବେପାର ଆରମ୍ଭ କରି ଦେଉଛନ୍ତି। ଫଳରେ ନିଶା କାରବାର ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି। କିଛି ସ୍ଥାନରେ ସଚେତନ ନାଗରିକ ଓ ଯୁବକମାନେ ନିଶା କାରବାର ବନ୍ଦ କରିବାପାଇଁ ଅଣ୍ଟା ଭିଡ଼ୁଛନ୍ତି ଅବଶ୍ୟ। କିନ୍ତୁ ସେମାନଙ୍କୁ ଉଭୟ ନିଶା ବେପାରୀ ଓ ନିଶାଡ଼ି ନାଲିଆଖି ଦେଖାଇ ଚୁପ୍‌ ରହିବାକୁ ବାଧ୍ୟ କରୁଛନ୍ତି। ଏଦିଗରେ ପୁଲିସ ନିଜର କର୍ତ୍ତବ୍ୟ କରୁନାହିଁ। ପୁଲିସ ଓ ଅବକାରି ବିଭାଗ ପକ୍ଷରୁ ମଝିରେ ମଝିରେ ଲୋକ ଦେଖାଣିଆ ଚଢ଼ାଉ ହେଉଛି। କିନ୍ତୁ ଅସଲ ବଡ଼ ବଡ଼ ବେପାରୀଙ୍କୁ ଛାଡି କୁଜି ବେପାରୀଙ୍କ ନାମରେ ମାମଲା ରୁଜୁ ହେଉଛି। ତେଣୁ ଏହାଦ୍ବାରା କିଛି ଲାଭ ହେଉନାହିଁ। ବାଲିପାଟଣା ଅଞ୍ଚଳରେ ସଞ୍ଚରି ଯାଉଥିବା ନିଶା ଜହରକୁ ନିୟନ୍ତ୍ରଣ କରାନଗଲେ ଏହି ଅଞ୍ଚଳର ସ୍ଥିତି ହାତଛଡ଼ା ହୋଇଯିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର