ସିଟ୍‌ ନ ପାଇ ଫେରିଗଲେ ଶତାଧିକ ଦର୍ଶକ

ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’

ଧଉଳି: ପର୍ଯ୍ୟଟନ ବିଭାଗ ପକ୍ଷରୁ ଶାନ୍ତିସ୍ତୂପ ପରିସରରେ ଚାଲିଥିବା ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଜଣାପଡ଼ିଛି । ବିଶେଷ କରି ରଜ ୩ ଦିନଯାକ ଧଉଳି ବୁଲାବୁଲି ସାରି ସନ୍ଧ୍ୟାରେ ସୋ ଦେଖିବାକୁ ଆସିଥିବା ଅଧିକାଂଶ ଦର୍ଶକ ଟିକେଟ୍‌ ନପାଇ ଶେଷରେ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ପରିବାର ସହ ମନୋରଂଜନ କରିବାକୁ ଆସିଥବା ଏହି ଦର୍ଶକମାନଙ୍କ ମଧ୍ୟରେ ଟିକେଟ କାଉଣ୍ଟର୍‌ ନିକଟରେ ଏନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୁଇଟିଯାକ ପର୍ଯ୍ୟାୟରେ ପ୍ରତିଦିନ ୨୦୦ ରୁ ଅଧିକ ଦର୍ଶକ ଠିଆ ହୋଇ ସୋ ଦେଖିଥିବା ନେଇ ସୂଚନା ମିଳିଛି। ସୋ’ ଶେଷ ହେବା ପର୍ଯ୍ୟନ୍ତ ସେମାନଙ୍କ ସହ ଛୋଟ ଛୋଟ ପିଲାମାନେ ଦୀର୍ଘ ୩୫ ମିନିଟ୍‌ ସମୟ ଧରି ବି ଏଭଳି ହିନସ୍ତା ଭୋଗିଥିଲେ। ମାତ୍ର ଟିକେଟ୍‌ ନକରି ଠିଆ ହୋଇ ସୋ’ ଦେଖିଥିବା ସଂପୃକ୍ତ ଦର୍ଶକମାନଙ୍କଠାରୁ କିନ୍ତୁ ଦାୟିତ୍ୱରେ ଥିବା ପର୍ଯ୍ୟଟନ ବିଭାଗ କର୍ମଚାରୀମାନେ ହଜାର ହଜାର ଟଙ୍କା ଫି ଆଦାୟ କରିଥିଲେ। ବିଶେଷ କରି ପାର୍ବଣ ସମୟରେ ବିନା ରସିଦ୍‌ରେ ଦର୍ଶକମାନଙ୍କ ନିକଟରୁ ଆଦାୟ ହେଉଥିବା ବିପୁଳ ଟଙ୍କା କାହା ପକେଟ୍‌କୁ ଯାଉଛି, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏଭଳି ଉପାୟରେ ସୋ’ ପ୍ରଦର୍ଶନରେ ହେଉଥିବା ଟଙ୍କା ବାଟମାରଣାର ତୁରନ୍ତ ତଦନ୍ତ ହେବା ଦରକାର ବୋଲି ଜଣେ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ଅଜୟ ରାଉତଙ୍କ ସୂଚନାନୁସାରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଦେଖିବା ପାଇଁ ଶାନ୍ତିସ୍ତୂପରେ ସର୍ବାଧିକ ୨୦୦ଟି ସିଟ୍‌ର ବ୍ୟବସ୍ଥା ଅଛି। ସିଟ୍‌ରେ ବସି ସୋ’ ଦେଖିବା ପାଇଁ ଦର୍ଶକମାନଙ୍କଠାରୁ ୨୫ ଟଙ୍କା ଲେଖାଏଁ ଟିକେଟ୍‌ ଫି ଆଦାୟ ହୋଇଥାଏ । ସେହିପରି ତଳେ ଜରିପାଲ ଉପରେ ବସି ସୋ ଦେଖିବା ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଠାରୁ ୧୦ ଟଙ୍କା ଲେଖାଏଁ ଟିକେଟ୍‌ ହୋଇଥାଏ। ହେଲେ ଫି ଆଦାୟ କ୍ଷେତ୍ରରେ ଏଠାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ଏହି କାରସାଦିରେ ଅସାଧୁ ଅଧିକାରୀ ଓ କର୍ମଚାରୀମାନେ ସଂପୃକ୍ତ ଥିବା କୁହାଯାଉଛି। ଆଜି ସନ୍ଧ୍ୟାରେ ତଳେ ବସି ସୋ’ ଦେଖୁଥିବା ବୟସ୍କ ଦର୍ଶକମାନଙ୍କଠାରୁ ୨୫ ଟଙ୍କା ଲେଖାଏଁ ଆଦାୟ ହୋଇଥିବା ବେଳେ ଠିଆ ହୋଇ ସୋ’ ଦେଖିଥିବା ଦର୍ଶକମାନଙ୍କଠାରୁ ମଧ୍ୟ ୨୫ ଟଙ୍କା ଲେଖାଏଁ ଟିକେଟ୍‌ ଫି ଆଦାୟ ହୋଇଛି। ହେଲେ ସୋ’ ଦେଖିବା ପାଇଁ ଏଠାକୁ ଆସିଥିବା ଆହୁରି ଅନେକ ଦର୍ଶକ ମଧ୍ୟ ସନ୍ଧ୍ୟାରେ ସ୍ଥାନ ଅଭାବରୁ ଫେରିଯାଇଥିବା ଜଣାପଡ଼ିଛି। ବର୍ଷକ ୧୨ ମାସରେ ପାର୍ବଣ ଓ ଅନ୍ୟ ଯାନିଯାତ୍ରା ସମୟରେ ସୋ ପ୍ରଦର୍ଶନରେ ଉପରୋକ୍ତ ଅନିୟମିତତା ଲାଗି ରହିଥିବା ନେଇ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଏ ଦିଗରେ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଉକ୍ତ ଦିନରେ ସିଟ୍‌ ସଂଖ୍ୟା ବୃଦ୍ଧି କରିବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ସପ୍ତାହର ପ୍ରତି ସୋମବାର ସୋ’ ବନ୍ଦ ରହୁଥିବା ବେଳେ ଅନ୍ୟ ଦିନମାନଙ୍କରେ ସନ୍ଧ୍ୟା ୭ଟାରୁ ୭ଟା ୩୫ ପର୍ଯ୍ୟନ୍ତ ପ୍ରଥମ ସୋ ଓ ୭୪୫ ରୁ ୮୨୦ ସମୟ ପର୍ଯ୍ୟନ୍ତ ଦ୍ୱିତୀୟ ସୋ’ ପ୍ରଦର୍ଶିତ ହୋଇଥାଏ।

ସମ୍ବନ୍ଧିତ ଖବର