ଚନ୍ଦ୍ରଶେଖରପୁର : ସକାଳୁ ସକାଳୁ ଶୀତୁଆ ପାଗରେ ଜନତା ମଇଦାନରେ ଏକାଠି ହୋଇଥିଲେ ପ୍ରାୟ ୫୦୦୦ ବ୍ୟକ୍ତି। ଅଧିକାଂଶ ଥିଲେ ଯୁବକ ଓ ଛାତ୍ରଛାତ୍ରୀ। ସେମାନଙ୍କର ମଧ୍ୟରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ ରହିଥିଲେ। ଆଉ ସମସ୍ତେ ଦୌଡ଼ିଥିଲେ ସାମର୍ଥ୍ୟର ମାରାଥନ୍‌। ଉତ୍ସାହ ବଢ଼ାଇଥିଲେ ଲୋକପ୍ରିୟ ବଲିଉଡ୍‍ ତାରକା ତଥା ମାରାଥନ୍‌ ରନର୍‌ ମିଲିନ୍ଦ ସୋମନ। ନିଜର ଫିଟ୍‌ନେସ୍‌ ନିମନ୍ତେ ଜଣାଶୁଣା ମିଲିନ୍ଦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସଏସଇପିଡ଼ି) ପକ୍ଷରୁ ଆୟୋଜିତ ଦ୍ୱିତୀୟ ଆବିଲିଟି ମାରାଥନ୍‌ରେ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ। ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନର ଆଜି ଦ୍ୱିତୀୟ ଦିନରେ ଆୟୋଜିତ ଏହି ଆବିଲିଟି ମାରାଥନ୍‌କୁ ମନ୍ତ୍ରୀ ପ୍ରଫୁଲ ସାମଲ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ସଚିବ ନିତେନ ଚନ୍ଦ୍ରା, ଏସଏସଇପିଡ଼ି କମିସନର୍‌ ମିନତି ବେହେରା, ନିର୍ଦ୍ଦେଶକ ମାନସୀ ନିମ୍ବାଲ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ୧୦ କିମି, ୫କିମି ଓ ୧କିମି ଭଳି ତିନି ଭିନ୍ନ ଭିନ୍ନ ବର୍ଗରେ ୫୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ। ଏହି ମାରାଥନରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଂଶଗ୍ରହଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ହୁଇଲ୍‌ଚେୟାର୍‌, ଟ୍ରାଇସାଇକେଲ୍‌, କ୍ରଚେସ୍‌, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ, ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି ଓ ମାନସିକ ଭାବରେ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି ମାରାଥନ୍‌ରେ ଅଂଶଗ୍ରହଣ କରିଥିଲେ। ଏହାସହ ଉଭୟ ଲିଙ୍ଗୀ, ବରିଷ୍ଠ ନାଗରିକଙ୍କ ଅଂଶଗ୍ରହଣ ମଧ୍ୟ ଏହି ମାରାଥନରେ ଉତ୍ସାହ ଭରିଥିଲା। ଏହି ମାରାଥନରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ରବିବାର ଦିନ ଆଦିବାସୀ ପଡ଼ିଆରେ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।