ଦ୍ବିତୀୟ ଅଜୟ ଉତ୍ସବ: ସୃଜନ ଅନୁଗ୍ରହ କଲେ ଲେଖନୀରୁ କାଗଜକୁ ଉତୁରେ: ରମାକାନ୍ତ ରଥ

ଗଳ୍ପ ଓ କବିତା ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ: ବିଭୂତି ପଟ୍ଟନାୟକ, ସମ୍ବର୍ଦ୍ଧିତ ହେଲେ ଗୌତମବୁଦ୍ଧ ଦାସ ଓ ରୀତାଞ୍ଜଳି ମହାରଣା

ଭୁବନେଶ୍ବର: ଗଳ୍ପ ବା କବିତା ଜଣେ ଚାହିଦେଲେ ଲେଖିହୁଏ ନାହିଁ। ସୃଜନ ନିଜେ ଅନୁଗ୍ରହ କଲେ ତାହା ଲେଖନୀ ମୁନରେ କାଗଜକୁ ଉତୁରିଥାଏ। ଅର୍ଥାତ କବିଟିଏ କିମ୍ବା ଲେଖକଟିଏ ଉପରେ କବିତା କିମ୍ବା ଗଳ୍ପ ଦୟା କଲେ ବା ଅନୁଗ୍ରହ କଲେ ହିଁ ଗଳ୍ପ ବା କବିତା ଲେଖି ହୁଏ। ଆଜି ‘ଅଜୟ ଉତ୍ସବ କମିଟି’ ପକ୍ଷରୁ ଆୟୋଜିତ ଦ୍ବିତୀୟ ଅଜୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ ଏହା କହିଛନ୍ତି।

ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ କହିଲେ, ଓଡ଼ିଆ ଗଳ୍ପ ଓ କବିତା ଏବେ ଏକ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଛି। କବିତା ଏବେ ଛନ୍ଦ ଓ ଭାବ ବଦଳାଉଛି। ଆମ ପ୍ରାଚୀନ ଓ ମଧ୍ୟ ଯୁଗର ଲୋକଗୀତି, ଲୋକକଥା ଓ ଗୀତି କବିତା ଆଦି ଭଲ ଭାବେ ପଠନ କରି ଏବେର କବିମାନେ କବିତା ଲେଖିବା ଉଚିତ। ଫଳରେ କବିତାର ପ୍ରାଚୁର୍ଯ୍ୟ ଓ ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବ। ତେବେ ଓଡ଼ିଆ ଗଳ୍ପ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ, ଆଜିକାଲିର ଗାଳ୍ପିକମାନଙ୍କ ଗଳ୍ପରେ ଏକ ଅଦ୍ଭୁତ ଜୀବନ ଫୁଟି ଉଠୁଛି। ଗାଳ୍ପିକମାନେ ନିଜର ସୀମିତ ଅନୁଭୂତି ଓ ଭାବନାକୁ ନେଇ ଗଳ୍ପ ରଚନା ନ କରି ଭାରତୀୟ ତଥା ବିଶ୍ବ ଅର୍ଥନୀତି, ରାଜନୀତି, ସାମାଜିକ ସ୍ଥିତାବସ୍ଥା ଓ ସମସାମୟିକ ବିଭିନ୍ନ ପ୍ରସଙ୍ଗ ଉପରେ ଗଳ୍ପ ଲେଖିବା ଉଚିତ। ସେହିପରି ବିଶିଷ୍ଟ କଥାକାର ତଥା ଗୀତିକାର ଦେବାଶିଷ ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅତିଥିମାନେ ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କୁ ‘ଅଜୟ ଉତ୍ସବ ସମ୍ମାନ’ ଓ କବି ରୀତାଞ୍ଜଳି ମହାରଣାଙ୍କୁ ‘ଅଜୟ ଉତ୍ସବ ନବୀନ ସମ୍ମାନ’ରେ ସମ୍ମାନିତ କରିଥିଲେ। ଉଭୟ ସମ୍ବର୍ଦ୍ଧନାର ଉତ୍ତର ରଖିଥିବାବେଳେ ଗୌତମବୁଦ୍ଧଙ୍କ ଏକ ଗଳ୍ପ ଓ ରୀତାଞ୍ଜଳିଙ୍କ ଏକ କବିତା ପାଠ କରାଯାଇଥିଲା।

କଥାକାର ଅଜୟ ସ୍ବାଇଁ ଓ ସୁଲେଖିକା ସାବିତ୍ରୀ ସାହୁ(ଅସୀମା)ଙ୍କ ବିବାହ ବାର୍ଷିକୀ ଅବସରରେ ଆୟୋ‌ଜିତ ଏହି ଉତ୍ସବରେ ପ୍ରାରମ୍ଭରେ ଶ୍ରୀ ସ୍ବାଇଁଙ୍କ ନୂତନ ଗଳ୍ପ ସଂକଳନ ‘ଗପର ଦେହ’ ଏବଂ ଶ୍ରୀମତୀ ସାହୁଙ୍କ ଦ୍ବାରା ଅନୂଦିତ କେଦାରନାଥ ସିଂହଙ୍କ କବିତା ସଂକଳନ ‘ପର୍ବସ୍ନାନ’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ସଂଗୀତ ନିର୍ଦ୍ଦେଶକ ଶରତ ଦାସ, କଣ୍ଠଶିଳ୍ପୀ କରୁଣାକର, ରଞ୍ଜିତା ପ୍ରମୁଖ ମନଛୁଆଁ ସଂଗୀତ ପରିବେଷଣ କରିଥିଲେ। ଅଜୟ ସ୍ବାଇଁ ଗପ ‘କଣ୍ଢେଇ’ ପାଠ କରାଯିବା ପରେ କବି ଶକ୍ତି ମହାନ୍ତି ଓ ଶ୍ରୀ ସ୍ବାଇଁଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କବି ଅଶୋକ ପୁହାଣଙ୍କ ସଭାପତତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟିର ଅଧ୍ୟକ୍ଷା ଅସୀମା ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ପକ୍ଷୀଘର ପ୍ରକାଶନୀର ପ୍ରକାଶକ ବନୋଜ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କମିଟିର ସମ୍ପାଦକ ଅକ୍ଷୟ ସ୍ବାଇଁ ଉତ୍ସବ ସମ୍ପର୍କରେ ସୂଚନା ଦେବା ସହ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର