ଗୋଠପାଟଣାରେ ରମାଦେବୀର ଦ୍ବିତୀୟ କ୍ୟାମ୍ପସ

ଜମିକୁ ନେଇ କୁଳପତି ଅସନ୍ତୁଷ୍ଟ

ଭୁବନେଶ୍ୱର:ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ପ୍ରତିଷ୍ଠା ହେବ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ। ଏଥିପାଇଁ ୩୦ ଏକର ଜମି ଚିହ୍ନଟ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ କମିଟି ରିପୋର୍ଟ ଆଧାରରେ ଏହି ଜାଗାରେ ଚୂଡ଼ାନ୍ତ ମୋହର ଲଗାଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ଜାଗା ଚିହ୍ନଟ ପାଇଁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସହ ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ମାତ୍ର ୨୦ କିମି ହେବ। ତେବେ ସେଠାରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ‌େଯ ସେଠାରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଗଲା ଛାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ହେବନି। ତଥାପି ଯେଉଁ ଜମି ଚିହ୍ନଟ ହୋଇଛି ‌େସଠାରେ ୭୦ ଏକର ଜମି ଯୋଗାଇ ଦେବାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ କୁହାଯାଇଥିଲା। କିନ୍ତୁ ଏବେ ମନ୍ତ୍ରୀ କହୁଛନ୍ତି ୩୦ ଏକର ଜମି ଦେବେ। ଅଳ୍ପ ପରିମାଣ ଜମିରେ ଦ୍ବିତୀୟ କ୍ୟାମ୍ପସ ହୋଇପାରିବ ନାହିଁ। ‌ତେଣୁ ନିଷ୍ପତ୍ତିିର ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯିବ। ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ଜମି ଚାରିପାଖରେ ଆଇଆଇଆଇଟି ସମେତ ବିର୍ଲା ମ୍ୟାନେଜ୍‌ମେଣ୍ଟ କଲେଜ, ରାଜସ୍ବ ବିଭାଗର ପ୍ରଶିକ୍ଷଣ କେନ୍ଦ୍ର, ଏକାଧିକ ଘରୋଇ ଶିକ୍ଷାନୁଷ୍ଠାନ ଗଢ଼ିଉଠିଛି। ଏହା ବରମୁଣ୍ତା ବସ୍‌ଷ୍ଟାଣ୍ତରୁ ମାତ୍ର ୭ କିମି ହୋଇଥିବା ବେଳେ ବିମାନବନ୍ଦର ନିକଟରୁ ପ୍ରାୟ ୧୨ କିମି ଓ ରେଳଷ୍ଟେସନଠାରୁ ୧୩ କିମି ହେବ। ଓଡ଼ିଶାରେ ଆଇଆଇଏମ୍‌ ପ୍ରତିଷ୍ଠା ସମୟରେ ଏହି ଜମିକୁ ପ୍ରଥମେ ଚିହ୍ନଟ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ଲାଗି ଗତ ଜାନୁଆରି ୩୦ରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ କ୍ୟାମ୍ପସ କରିବାକୁ ପ୍ରସ୍ତାବ ବି ରହିଥିଲା। ଏନେଇ ବିରୋଧ ହେବା ପରେ ରାଜ୍ୟ ସରକାର ନିଷ୍ପତ୍ତିରୁ ଓହରିଥିଲେ। ପୂର୍ବରୁ ଗଠିତ ହୋଇଥିବା କମିଟିକୁ ପୁନର୍ଗଠିତ କରାଯାଇ ରମାଦେବୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା।

ନୂତନ ହଷ୍ଟେଲ ଉଦ୍‌ଘାଟିତ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ନବନିର୍ମିତ ଛାତ୍ରୀନିବାସ ‘ଅନ୍ନପୂର୍ଣ୍ଣା’ ଉଦ୍‌ଘାଟିତ ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଛାତ୍ରୀନିବାସକୁ ଉଦ୍‌ଘାଟନ କରିଥିଲେ। ୪୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ପାଇଁ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଭାଷା, ସାହିତ୍ୟ, ସ˚ସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, ସା˚ସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ଭୁବନେଶ୍ବର ମେୟର ଅନନ୍ତ ନାରାୟଣ ଜେନା, ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ପିଜି କାଉନସିଲ ଅଧକ୍ଷ ଡ. ଦୁର୍ଗା ଶଙ୍କର ଷଡଙ୍ଗୀ, କୁଳସଚିବ ଇତିଶ୍ରୀ ଦାସ, ୱାର୍ଡେନ ଡ. ମଧୁମିତା ପତି ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ବାତିଲ୍‌ ହୋଇଥିଲା।

ସମ୍ବନ୍ଧିତ ଖବର