‘ଓଡ଼ିଶା କଳା ଓ ସାହିତ୍ୟ ଉତ୍ସବ’ର ଦ୍ୱିତୀୟ ଦିବସ : ଯୋଗଦେଲେ ବହୁ ଅନ୍ତର୍ଜାତୀୟ ଲେଖକ

ଭୁବନେଶ୍ୱର : ସ୍ଥାନୀୟ ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ଆୟୋଜିତ କଳା, ସାହିତ୍ୟ, ସଂଗୀତ ଓ ନୃତ୍ୟର ପର୍ବ ‘ଓଡ଼ିଶା କଳା ଓ ସାହିତ୍ୟ ଉତ୍ସବ’ର ଆଜି ଥିଲା ଦ୍ୱିତୀୟ ଦିନ। ଏହି ଅବସରରେ ବିଭିନ୍ନ ଆଲୋଚନାଚକ୍ର ସହ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ‘ଦୈନନ୍ଦିନ ଜୀବନରେ ବିଭିନ୍ନ ଲକ୍ଷଣର ଗୁରୁତ୍ୱ’ ଶୀର୍ଷକ ଆଲୋଚନାରୁ। ଏଥିରେ କିରା ଉକ୍‌, ମୁସ୍ତାଫା ଷ୍ଟିଟୋଉ, ହରାଲ୍ଡ କୋଲେଗର୍‌, କର୍‌ନେଲିଆ ଓ ସୋନିଆ ଓଲାର୍ଟ ପ୍ରମୁଖ ଉପସ୍ଥିତ ରହି ନିଜ ମତ ରଖିଥିଲେ। କବିତା ଲାମା, ରୋଚେଲ୍‌ ପୋଟ୍‌କର୍‌ ଓ ସନେଟ୍‌ ମଣ୍ଡଳ ପ୍ରମୁଖ ଏହାକୁ ସଂଯୋଜନା କରିଥିଲେ। ଏହା ପରେ ଅରେନ୍‌ଲା ସୁବୋଙ୍ଗ୍‌ ଓ ମୋଆ ସୁବୋଙ୍ଗ୍‌ ବିଭିନ୍ନ ରାଜ୍ୟର ପାହାଡ଼ି ସଙ୍ଗୀତ ପରିବେଷଣ କରିଥିଲେ। ମନୁ ଦାଶ୍‌ ଏହାର ସଂଯୋଜନା କରିଥିଲେ। ଏହା ପରେ ବିଭିନ୍ନ ଅଧିବେଶନରେ ‘ସତ୍ୟ ଓ କଳ୍ପନା’, ‘ଫକୀର ମୋହନଙ୍କ ବିଭିନ୍ନ ରହସ୍ୟ’ ସହ କବିତା ଆବୃତ୍ତି କରାଯାଇଥିଲା। କବିତା ପାଠୋତ୍ସବରେ ଭରତ ମାଝୀ, ଶୈଳବାଳା ମହାପାତ୍ର, ସୂର୍ଯ୍ୟ ମିଶ୍ର, ରକ୍ଷକ ନାୟକ, କେଦାର ମିଶ୍ର, ତାରକ୍‌ ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ। ମନୁଆ ଦାଶ ଏହାକୁ ପରିଚାଳନା କରିଥିଲେ। ଶେଷରେ ଆଇସିସିଆର୍‌ ଓ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଓଡ଼ିଆ ସାହିତ୍ୟ ସମାରୋହ ଉଦ୍‌ଯାପିତ

ଭୁବନେଶ୍ୱର : ତିନି ଦିନ ଧରି ଭଞ୍ଜଭାରତୀ ଅନୁଷ୍ଠାନ ପକ୍ଷରୁ ଜୟଦେବ ଭବନରେ ଚାଲିଥିବା ସାହିତ୍ୟ ସମାରୋହ ଆଜି ଶେଷ ହୋଇଛି। ସ୍ୱଭାବକବି ଗଙ୍ଗଧର ମେହେରଙ୍କ ସାହିତ୍ୟକୃତୀ ସମ୍ପର୍କରେ ଅନ୍ତିମ ଦିବସରେ ଆଲୋଚନା କରାଯାଇଥିଲା। ଏଥିରେ ଆଲୋଚକଭାବେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବରଗଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଗରତିଆ, ଭଞ୍ଜଭାରତୀର ସମ୍ପାଦକ ଡା. କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପୂର୍ବତନ ନିର୍ବାଚନ ଆୟୁକ୍ତ ତଥା ସାରସ୍ୱତ ସାଧକ ଅଜିତ କୁମାର ତ୍ରିପାଠୀଙ୍କୁ ‘ଭଞ୍ଜଭାରତୀ ଜୟଦେବ ଷଡ଼ଙ୍ଗୀ ସ୍ମୃତି ସମ୍ମାନ ୨୦୧୮’ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ମିଲନ କୁମାର ସାହୁ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସଦସ୍ୟା ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଦସ୍ୟ ପ୍ରାଣବନ୍ଧୁ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର