ଭୁବନେଶ୍ୱର : ଖୁବ୍ ଶୀଘ୍ର କମିସନରେଟ୍ ପୁଲିସ ଭୁବନେଶ୍ୱର ସହରାଞ୍ଚଳରେ ଆଉ ଜଣେ ଡିସିପି ନିଯୁକ୍ତି ହେବେ। ଏନେଇ ଏକ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ଗୃହ ବିଭାଗକୁ ଏହି ପ୍ରସ୍ତାବ ପ୍ରଦାନ କରାଯିବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ଖୁରାନିଆଙ୍କ କହିବା ଅନୁଯାୟୀ ଦିନକୁ ଦିନ ରାଜଧାନୀର କଳେବର ବଢ଼ିବାରେ ଲାଗିଛି। ସେହି ଅନୁପାତରେ ଜନସଂଖ୍ୟା ବଢ଼ିଛି। ଏଥିପାଇଁ ବିଭିନ୍ନ ସମୟରେ ଅପରାଧ ଓ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ଜଣେ ଡିସିପିଙ୍କ ପକ୍ଷେ କଷ୍ଟକର ହୋଇ ପଡ଼ୁଛି। ତେଣୁ ଆଉ ଜଣେ ରୁରାଲ ଡିସିପିଙ୍କୁ ନିଯୁକ୍ତି ଦିଆଯିବ। ଭୁବନେଶ୍ୱର ସହରାଞ୍ଚଳ ପୁଲିସକୁ ଦୁଇଟି ଜୋନ୍ରେ ବିଭକ୍ତ କରାଯିବ। ଜଣେ ଡିସିପିଙ୍କ ଅଧୀନରେ ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ସହିଦନଗର, ଖାରବେଳନଗର, କ୍ୟାପିଟାଲ, ମହିଳା, ବଡ଼ଗଡ଼, ଧଉଳି, ଶ୍ରୀ ଲିଙ୍ଗରାଜ ପ୍ରମୁଖ ଥାନା ରହିବ। ଅନ୍ୟ ଜଣେ ଡିସିପିଙ୍କ ଅଧୀନରେ ଜଟଣୀ, ତମାଣ୍ଡୋ, ଖଣ୍ଡଗିରି, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଚନ୍ଦକା, ନନ୍ଦନକାନନ ଆଦି ଥାନା ରହିବ।
ତେବେ କଟକରେ ଦୁଇ ଜଣ ଡିସିପି ନିଯୁକ୍ତି ଯୋଜନା ଏବେ ନାହିଁ ବୋଲି ପୁଲିସ କମିସନର ଖୁରାନିଆ କହିଛନ୍ତି। ଭୁବନେଶ୍ୱର ସହରାଞ୍ଚଳରେ ଏବେ ୨୦ଟି ଥାନା ରହିଛି। ପ୍ରତ୍ୟେକ ଥାନା ଅଧୀନରେ ଦିନକୁ ଦିନ ଆଇନଶୃଙ୍ଖଳା ଓ ଅପରାଧ ବଢ଼ି ବଢ଼ି ଚାଲିଛି। କମିସନରେଟ ପୁଲିସ ବ୍ୟବସ୍ଥା ଲାଗୁ ହେବା ପରେ ଭୁବନେଶ୍ୱର ସହରାଞ୍ଚଳରେ ଡିସିପି କ୍ରାଇମ୍, ଡିସିପି ଆଇନଶୃଙ୍ଖଳା, ଡିସିପି ଟ୍ରାଫିକ୍, ଡିସିପି ମୁଖ୍ୟାଳୟ ନିଯୁକ୍ତ ନିୟମ ରହିଛି। କିନ୍ତୁ ଏବେ ଜଣେ ଡିସିପି ଓ ଡିସିପି ମୁଖ୍ୟାଳୟ ଅଛନ୍ତି। ଅନ୍ୟ ପଦବି ଏବେ ଖାଲି ରହିଛି।