ରାଜଧାନୀରେ ଦ୍ବିତୀୟ ଡୋଜ୍‌ ଟିକା ପାଇଁ ଆହୁରି ଲକ୍ଷେ ବାକି, ସାବାସି ନେବାକୁ ବିଏମ୍‌ସି ବିକଳ

ଅଗଷ୍ଟ ଶେଷ ସୁଦ୍ଧା ବି ଟା‌ର୍ଗେଟ୍ ପୂରଣ ହେବନି

ଭୁବନେଶ୍ବର: ରାଜଧାନୀରେ ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ କୋଭାକ୍ସିନ୍ ଟିକା ଦେବାକୁ ବିଏମ୍‌ସି ଯୋଜନା କରିଥିଲା। ଜାନୁଆରି ମାସରୁ ଏହି ଟିକାକରଣ ଆରମ୍ଭ ହୋଇଥିବାବେଳେ ଜୁଲାଇ ମାସ ସୁଦ୍ଧା ରାଜଧାନୀର ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଟିକାକରଣ ଏପରି ଚାଲିଥିଲା ଯେ, ସମସ୍ତଙ୍କୁ ଟିକା ଦେବାରେ ଭୁବନେଶ୍ବର ପ୍ରଥମ ସହର ପାଲଟିବାର ସୁଯୋଗ ସୃଷ୍ଟି ହୋଇଥିଲା। ଏହି ଟାର୍ଗେଟ୍ ହାସଲ ପାଇଁ ଭୁବନେଶ୍ବରରେ ଦିନକୁ ପ୍ରାୟ ୨୮ରୁ ୨୯ହଜାର ଲୋକଙ୍କୁ ବି ଟିକା ଦିଆଗଲା। ହେଲେ ଜୁଲାଇ ମାସ ଶେଷ ସୁଦ୍ଧା ଟାର୍ଗେଟ୍ ଲୋକଙ୍କୁ ଦୁଇ ଡୋଜ୍ ଟିକା ଦିଆଯାଇ ପାରିଲାନି। କିନ୍ତୁ ବିଏମ୍‌ସି ଘୋଷଣା କରିଦେଲା ଯେ ଶତପ୍ରତିଶତ ଟିକାକରଣ କରିବାରେ ଭୁବନେଶ୍ବର ଦେଶର ପ୍ରଥମ ସହର।

ବାସ୍ତବ ସ୍ଥିତି କିନ୍ତୁ ଅଲଗା। ଏବେବି କୌଣସି ବର୍ଗର ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଦିଆଯାଇନି। ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା, ୪୫ବର୍ଷରୁ ଉର୍ଦ୍ଧ୍ବ ଏବଂ ଯୁବବର୍ଗଙ୍କ ପର୍ଯ୍ୟନ୍ତ ସବୁଥିରେ ଦୁଇ ଡୋଜ୍ ଟିକା ନେବା ଲୋକଙ୍କ ସଂଖ୍ୟା ବାକି ଅଛି। ଏପରିକି ଯେତିକି ଲୋକଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଥିଲା, ସେଥିରୁ ୧ଲକ୍ଷ ୨ହଜାର ଲୋକ ଦୁଇ ଡୋଜ୍ ଟିକା ନେଇନାହାନ୍ତି। ଟାର୍ଗେଟ୍ ଲୋକଙ୍କୁ ଦୁଇ ଡୋଜ୍ ଟିକା ନଦେଇ ବିଏମ୍‌ସି କର୍ତ୍ତୃପକ୍ଷ କାହିଁକି ବିକଳ ହୋଇ ଏମିତି ଘୋଷଣା କରିଦେଲେ, ସେନେଇ ପ୍ରଶ୍ନ ଉଠିଲାଣି।

ଟିକାକରଣର ଏମିତି ଚାଲିଲେ ଟାର୍ଗେଟ୍ ଲୋକଙ୍କୁ ଦୁଇ ଡୋଜ୍ ଟିକା ଦେବାକୁ ଆହୁରି ଏକ ମାସରୁ ଅଧିକ ସମୟ ଲାଗିବ। ଅଗଷ୍ଟ ଶେଷ ସୁଦ୍ଧା ବି ପ୍ରଥମ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦେବା କାଠିକାର ପାଠ ହେବ। ଏବେ ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନ୍ ଟିକା ଦିଆଯାଉଥିବାରୁ ଭୁବନେଶ୍ବରରେ ଆବଶ୍ୟକ ଟିକା ନାହିଁ। ଯେଉଁଥିପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଏବେ ଆବଶ୍ୟକତା ଅନୁଯାୟୀ ଟିକାକରଣ କରିପାରୁନାହାନ୍ତି। ବହୁ ଲୋକ ଟିକା ନେବାକୁ ଯାଇ ଟିକାଦାନ କେନ୍ଦ୍ରରୁ ଫେରୁଛନ୍ତି। ହେଲେ ସାବାସି ନେବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଘୋଷଣା କରିଦେଉଛନ୍ତି ଆମେ ଟିକାକରଣରେ ସାରା ଦେଶରେ ଆଗୁଆ। ଏନେଇ ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖିଥିଲୁ। ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଦେଇଥିଲେ ୧୮ଲକ୍ଷ ୧୪ହଜାର ୩୮୮ ଡୋଜ୍ ଟିକା ଦେଇଥାନ୍ତୁ। ଆମେ ମୋଟ୍ ଡୋଜ୍ ଟାର୍ଗେଟ୍ ହାସଲ କରିଥିବାରୁ ଘୋଷଣା କରିଦେଲୁ। ଏବେ ଭୁବନେଶ୍ବର ବାହାରର ବହୁ ଲୋକ ଟିକା ନେଉଛନ୍ତି। ଭୁବନେଶ୍ବରର ସବୁ ବାସିନ୍ଦା ଦୁଇ ଡୋଜ୍ ଟିକା ନେଇସାରିଲେଣି।

ଯଦି ଭୁବନେଶ୍ବରର ସବୁ ଲୋକ ଦୁଇ ଡୋଜ୍ ଟିକା ନେଇସାରିଲେଣି ତେବେ ବିଏମ୍‌ସି କ’ଣ ହିସାବ କରି ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ଟିକା ଦେବ ବୋଲି ଟାର୍ଗେଟ କରିଥିଲା ? ଯଦି ଭୁବନେଶ୍ବରରେ ଏତେ ଲୋକ ନଥିଲେ ତେବେ ବିଏମ୍‌ସି କାହିଁକି ଅଧିକ ସଂଖ୍ୟା କହିଥିଲା? ଯଦି ଭୁବନେଶ୍ବରରେ ୧୮ବର୍ଷରୁ ଉର୍ଦ୍ଧ୍ବ ୯ଲକ୍ଷରୁ ଅଧିକ ଲୋକ ଅଛନ୍ତି ତେବେ ବିଏମ୍‌ସି କାହିଁକି ୮ଲକ୍ଷ ଲୋକଙ୍କୁ ଟିକା ଦେଇ ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଦିଆ ହୋଇଗଲା ବୋଲି ଘୋଷଣା କଲା? ଏସବୁ ପ୍ରଶ୍ନର ଉତ୍ତର କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଦେବାକୁ ନାରାଜ। ଏପରିକି ଗଞ୍ଜାମ ପାଇଁ ଏବେ ରାଜଧାନୀରେ ଟିକାକରଣ ଟାର୍ଗେଟ୍ ପୂରଣ ହୋଇପାରୁନି ତାହା ବି ବାବୁଙ୍କୁ କହିବାକୁ ଡର ଲାଗୁଛି।
ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଅାଜି ସୁଦ୍ଧା ୧୮ଲକ୍ଷ ୭୭ହଜାର ୧୭୮ ଡୋଜ୍ ଟିକା ଦିଆସରିଛି। ଏଥିରୁ ୧୦ଲକ୍ଷ ୭୧ହଜାର ୬୭୬ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୮ଲକ୍ଷ ୫ହଜାର ୫୦୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ରାଜଧାନୀରେ ୩୧,୫୩୯ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ୩୫,୯୭୮ଜଣ ପ୍ରଥମ ଡୋଜ୍ ଏବଂ ୩୦,୦୪୨ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୩୩,୪୩୫ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ୫୬,୨୨୭ଜଣ ପ୍ରଥମ ଡୋଜ୍ ଏବଂ ୪୭,୪୬୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୧୮ରୁ ୪୪ବର୍ଷ ମଧ୍ୟରେ ୫ଲକ୍ଷ ୧୭ହଜାର ଜଣ ଟିକା ନେବାକୁ ଟାର୍ଗେଟ୍ ରଖାଯାଇଥିବାବେଳେ ଏବେ ସୁଦ୍ଧା ୫ଲକ୍ଷ ୭୬ହଜାର ୧୪୫ଜଣ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି। ଏଥିରୁ ୪ଲକ୍ଷ ୪ହଜାର ୧୮୦ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ୪୫ବର୍ଷରୁ ୫୯ବର୍ଷ ମଧ୍ୟରେ ୨,୬୫,୭୨୫ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୨,୧୨,୬୯୧ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୬୦ବର୍ଷରୁ ଅଧିକ ୧,୩୭,୬୦୧ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୧,୧୧, ୧୨୬ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

ସମ୍ବନ୍ଧିତ ଖବର