ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବା ବେଳେ ବିଏମ୍ସି ପକ୍ଷରୁ ଟିକାକରଣକୁ ଜୋରଦାର୍ କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ଦୁଇ ଡୋଜ୍ ଟିକାକରଣ ଶେଷ ହେବାକୁ ଥିବା ବେଳେ ଜୁଲାଇ ୧୫ ସୁଦ୍ଧା ୧୮ରୁ ୪୪ବର୍ଗର ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। ସେପ୍ଟେମ୍ବର ପହିଲା ପୂର୍ବରୁ ରାଜଧାନୀରେ ୧୮ବର୍ଷରୁ ଅଧିକ ସମସ୍ତଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ପ୍ରାୟ ୨ଲକ୍ଷ ଯୁବବର୍ଗଙ୍କୁ ଟିକା ଦିଆଯାଉଥିବାରୁ ଆଉ ମାସକ ମଧ୍ୟରେ ଏହି ୩ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଛି। ଏଥିପାଇଁ ବିଏମ୍ସି ପକ୍ଷରୁ ସୋମବାରଠାରୁ ଟିକାକରଣ କେନ୍ଦ୍ର ବଢ଼ାଯିବା ସହ ପୂର୍ବରୁ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ଅଧିକ ଲୋକଙ୍କୁ ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ବିଏମ୍ସି କମିସନର ସଂଜୟ ସିଂହ କହିଛନ୍ତି ଯେ ଜୁନ୍ ୧୫ରୁ ଟିକାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। କମ୍ ଦିନରେ ଅଧିକ ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ପ୍ରତ୍ୟେକ କେନ୍ଦ୍ରରେ ସକାଳ ବେଳା କେବଳ ପ୍ରଥମ ଡୋଜ୍ ଏବଂ ଅପରାହ୍ଣରେ କେବଳ ଦ୍ବିତୀୟ ଡୋଜ୍ ଦିଆଯିବ। ଏଥିରୁ ୧୮ରୁ ୪୪ବର୍ଷ ଓ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ଯେଉଁମାନଙ୍କର ଏବେ ସୁଦ୍ଧା ଦ୍ବିତୀୟ ଡୋଜ୍ ନେବାକୁ ଅଛି, ସେମାନଙ୍କୁ ସୋମବାର ସୁଦ୍ଧା ଟିକା ଦେଇ ଦିଆଯିବ। ଏହା ପରଠାରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ। କେବଳ ଏତିକି ନୁହେଁ, ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସ୍ବତନ୍ତ୍ର ଶିବିର ଆୟୋଜନ କରି ଟିକା ଦିଆଯିବ। ରାଜଧାନୀରେ ୧୮ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଯେପରି ଦୁଇ ଡୋଜ୍ ଠିକ୍ ସମୟରେ ମିଳିବ ସେନେଇ ବିଏମ୍ସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।
/sambad/media/post_attachments/wp-content/uploads/2021/06/biswajit.jpg)
୫୪୧ଖାଦ୍ୟ ବିତରକ ନେଲେ ଟିକା
ବିଏମ୍ସି ପକ୍ଷରୁ ନିକଟରେ ବ୍ୟାଙ୍କ କର୍ମଚାରୀ, ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର ଟିକା ଶିବିର ଅାେୟାଜନ କରି ଟିକା ଦିଆଯାଇଥିବା ବେଳେ ଆଜି ଖାଦ୍ୟ ବିତରଣ କରୁଥିବା ସଂସ୍ଥାର କର୍ମଚାରୀଙ୍କୁ ଟିକା ଦିଆଯାଇଛି। ସପ୍ତମ ବାଟାଲିଅନ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ଆଜି ସ୍ବିଗି ଓ ଜୋମାଟୋର ୫୪୧ ଜଣ କର୍ମଚାରୀଙ୍କୁ ଟିକା ଦିଆଯାଇଛି। କରୋନା କଟକଣା ପାଇଁ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି କର୍ମଚାରୀମାେନ ଲୋକଙ୍କ ଘରେ ଖାଦ୍ୟ ପହଞ୍ଚାଉଛନ୍ତି। ତେଣୁ ସେମାନଙ୍କୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରୁଥିବା ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଆଜି ଏହି ଶିବିର ଆୟୋଜନ କରାଯାଇଥିଲା।
ଦୁଇ ଦିନରେ ହଜାରେ ହୋଟେଲ କର୍ମଚାରୀ ଟିକା ନେଲେ
ଲକ୍ଡାଉନ୍ ଖୋଲିବା ପରେ ସମସ୍ତ ହୋଟେଲ ଓ ରେସ୍ତୋରାଁ ଖୋଲିବାକୁ ଥିବାରୁ ଏଠାରେ କାମ କରୁଥିବା ଲୋକ ଯେପରି ସୁରକ୍ଷିତ ଭାବେ ଲୋକଙ୍କୁ ସେବା ଯୋଗାଇ ପାରିବେ, ସେଥିପାଇଁ ବିଏମ୍ସି ପକ୍ଷରୁ ହାରୋ ସହାୟତାରେ ସମସ୍ତ ହୋଟେଲ ଓ ରେସ୍ତୋରାଁର କର୍ମଚାରୀଙ୍କୁ ଟିକା ଦିଆଯାଇଛି। ଆଜି ଆଇଆର୍ସି ଭିଲେଜ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଶିବିରରେ ୪୨୦ଜଣ ହୋଟେଲ କର୍ମଚାରୀଙ୍କୁ ଟିକା ଦିଆଯାଇଛି। ଦୁଇ ଦିନରେ ହଜାରେ ହୋଟେଲ କର୍ମଚାରୀଙ୍କୁ ଟିକା ଦିଆଯାଇଛି। ସେହିପରି ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ସମସ୍ତଙ୍କୁ ଯଥାସମ୍ଭବ ଶୀଘ୍ର ଟିକା ଦେବା ପାଇଁ ବିଏମ୍ସି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି।
ମେ’ ୨୨ ସୁଦ୍ଧା ପ୍ରଥମ ଡୋଜ୍ ନେଇଥିଲେ ଜୁନ୍ ୧୯ ସୁଦ୍ଧା ଦ୍ବିତୀୟ ଡୋଜ୍
ଯେଉଁମାନେ ମେ’ ୧୮ରୁ ୨୨ତାରିଖ ମଧ୍ୟରେ ପ୍ରଥମ ଡୋଜ୍ ଟିକା ନେଇଥିଲେ, ସେମାନଙ୍କୁ ଜୁନ୍ ୧୫ରୁ ୧୯ତାରିଖ ମଧ୍ୟରେ ଦ୍ବିତୀୟ ଡୋଜ୍ ଟିକା ଦିଆଯିବ। ଯେଉଁମାନେ ଯେଉଁଠି ପ୍ରଥମ ଡୋଜ୍ ନେଇଥିଲେ, ସେମାନେ ସେହିଠାରେ ଅପରାହ୍ଣ ୩ଟାରୁ ୫ଟା ମଧ୍ୟରେ ଦ୍ବିତୀୟ ଡୋଜ୍ ନେବେ। ମେ’ ୧୮ରେ ଟିକା ନେଇଥିବା ଲୋକ ଜୁନ୍ ୧୫ରେ, ମେ’ ୧୯ରେ ନେଇଥିବା ଲୋକ ଜୁନ୍ ୧୬ରେ, ମେ’ ୨୦ରେ ନେଇଥିବା ଲୋକ ଜୁନ୍ ୧୭ରେ, ମେ’ ୨୧ରେ ନେଇଥିବା ଲୋକ ଜୁନ୍ ୧୮ରେ ଏବଂ ମେ ୨୨ରେ ନେଇଥିବା ଲୋକ ଜୁନ୍ ୧୯ରେ ଦ୍ବିତୀୟ ଡୋଜ୍ ଟିକା ନେବେ। ସେମାନେ ଟିକା କେନ୍ଦ୍ରରେ ପ୍ରଥମ ଡୋଜ୍ ଟିକା ସାର୍ଟିଫିକେଟ୍ ଦେଖାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/COVID-19-Vaccine-.png)