ଚିନ୍ତା ବଢ଼ାଇବ ଦ୍ବିତୀୟ ଡୋଜ୍

୨୯ରୁ ୧୮-୪୪ବର୍ଗ ଦ୍ବିତୀୟ ଡୋଜ୍ ପାଳି ଆରମ୍ଭ
ଏବେ ବି ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କର ଦ୍ବିତୀୟ ଡୋଜ୍‌ ସରିନି
୪୨ଦିନ ଭିତରେ ଦ୍ବିତୀୟ ଡୋଜ୍‌ ନ ନେଲେ ଟିକା କାମ କରିବନି

ଭୁବନେଶ୍ବର : ରାଜଧାନୀରେ ଏବେ ପ୍ରାୟ ଦେଢ଼ ଲକ୍ଷ ଲୋକ (୧୮ରୁ ୪୪ବର୍ଷ ବୟସ୍କ ) ପ୍ରଥମ ‌ଡୋଜ୍ କୋଭାକ୍ସିନ୍ ଟିକା ନେଇ ସାରିଲେଣି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ କହୁଛି, କୋଭାକ୍ସିନ୍ ଟିକା ନେବାର ୪ ସପ୍ତାହ ପରେ ନିଶ୍ଚିତ ଦ୍ବିତୀୟ ଡୋଜ୍ ଟିକା ନେବାକୁ ହେବ। ଅର୍ଥାତ୍ ୨୮ରୁ ୪୨ ଦିନ ଭିତରେ ନ ନେଲେ ଟିକା କାମ କରିବନି। ରାଜଧାନୀରେ ମେ’ ୧ରେ ଯେଉଁ ୫୦ଜଣ (୧୮ରୁ ୪୪ବର୍ଷ) ପ୍ରଥମ ଡୋଜ୍‌ ନେଇଥିଲେ, ସେମାନଙ୍କର ୪ସପ୍ତାହ ଲକ୍‌-ପିରିଅଡ୍‌ ଶୁକ୍ରବାର ଶେଷ ହେବ। ଅର୍ଥାତ୍ ସେମାନେ ଶନିବାରଠାରୁ ଦ୍ବିତୀୟ ଡୋଜ୍‌ ଟିକା ନେଇପାରିବେ। ଏହାପରେ ପ୍ରତିଦିନ ହଜାର ହଜାର ଦ୍ବିତୀୟ ଡୋଜ୍‌ ଟିକା ଆଶାୟୀ ବଢ଼ି ଚାଲିବେ। ହେଲେ ବିଏମ୍‌ସି ପକ୍ଷରୁ ଏ ପର୍ଯ୍ୟନ୍ତ ଏହି ବର୍ଗର ଲୋକଙ୍କ ପାଇଁ ଦ୍ବିତୀୟ ଡୋଜ୍‌ ଟିକା ବ୍ୟବସ୍ଥା ହୋଇନି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନେ ମେ’ ୧ ପୂର୍ବରୁ ଲୁଚିଛପି କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଟିକା ନେଇଥିଲେ, ସେମାନେ ଏବେ ସେମିତି ଦ୍ବିତୀୟ ଡୋଜ୍‌ ନେଇସାରିଲେଣି। କିନ୍ତୁ ଯେଉଁମାନେ ବିଏମ୍‌ସି ସହାୟତାରେ ପ୍ରଥମ ଡୋଜ୍‌ ଟିକା ନେଇଥିଲେ, ସେମାନେ ଏବେ କିପରି ଦ୍ବିତୀୟ ‌ଡୋଜ୍‌ ଟିକା ନେବେ, ସେଇ ଚିନ୍ତାରେ। କାରଣ ଆଜି ବିଏମ୍‌ସି ପକ୍ଷରୁ ଟିକା ପାଇଁ ଅନଲାଇନ୍ ବୁକିଂ ହୋଇଥିଲେ ବି (୧୮ରୁ ୪୪ବର୍ଷ ) ଦ୍ବିତୀୟ ଡୋଜ୍‌ ଟିକା ପାଇଁ କୌଣସି ଅପସନ୍ ନଥିଲା। କେବଳ ପ୍ରଥମ ଡୋଜ୍ ବୁକିଂ ପାଇଁ ଥିଲା, ଯାହା ଏବେ ଦ୍ବିତୀୟ ଡୋଜ୍‌ ନେବାକୁ ଥିବା ଲୋକଙ୍କୁ ଆଶଙ୍କାରେ ପକାଇଛି। ଏବେ ବି ଭୁବନେଶ୍ବରରେ କୌଣସି ଗୋଟିଏ ବର୍ଗର ଲୋକଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ‌ଶତପ୍ରତିଶତ ଦିଆଯାଇନି। ସ୍ବାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଆଗଧାଡ଼ିର କର୍ମୀ, ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କ ପର୍ଯ୍ୟନ୍ତ କୌଣସି ବର୍ଗ ଶତପ୍ରତିଶତ ନେଇ ନାହାନ୍ତି। କୌଣସି ଗୋଟିଏ ବର୍ଗକୁ ଦ୍ବିତୀୟ ଡୋଜ୍‌ ଟିକାଦାନ ଶତପ୍ରତିଶତ ହୋଇ ନଥିବାରୁ ଏବେ ଏହି ସଂଖ୍ୟା ଅସମ୍ଭାଳ ହେବାକୁ ଯାଉଛି। ତେଣୁ ଏହାକୁ ବିଏମ୍‌ସି କିପରି ସାମ୍ନା କରୁଛି, ତାହା ଦେଖିବାକୁ ବାକି ରହିଲା।

ନିକଟରେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ନେବାକୁ ଆଗୁଆ ପଞ୍ଜୀକରଣ ବାଧ୍ୟତାମୂଳକ ‌ନୁହେଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିବା ପରେ ଏବେ ଟିକାଦାନ କେନ୍ଦ୍ରରେ ଦ୍ବିତୀୟ ଡୋଜ୍‌ ନେବାକୁ ଥିବା ଲୋକଙ୍କର ଅସମ୍ଭାଳ ଭିଡ଼ ଜମିବ। ଏହାକୁ ନଜରରେ ରଖି ଟିକାଦାନ କେନ୍ଦ୍ର ନବଢ଼ାଇଲେ କିମ୍ବା ଦ୍ବିତୀୟ ଡୋଜ୍‌ ଅଧିକ ଲୋକଙ୍କୁ ନଦେଲେ ସ୍ଥିତି ଅଣାୟତ୍ତ ହୋଇଯିବ।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଦ୍ବିତୀୟ ଡୋଜ୍‌ ଟିକାକୁ ଅଧିକ ଗୁରୁତ୍ବ ଦେଉଛୁ। ତେଣୁ ଯେଉଁମାନଙ୍କର ଅବଧି ଆରମ୍ଭ ହୋଇଯିବ, ଆମେ ସେମାନଙ୍କୁ ନିଶ୍ଚିତ ଟିକା ଦେବୁ। ଆବଶ୍ୟକସ୍ଥଳେ ଡ୍ରାଇଭ୍‌-ଇନ୍‌ ଟିକାକେନ୍ଦ୍ର ଓ ଦୈନିକ ଟିକା ସଂଖ୍ୟା ବଢ଼ାଯିବ। ଏବେ ଅଗ୍ରାଧିକାର ଭିତ୍ତିରେ ୪୫ ବର୍ଷରୁ ଊର୍ଧ୍ବ ଲୋକଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଉଛି। ଏହି ବର୍ଗର ବହୁ ଲୋକ ପ୍ରଥମ ଡୋଜ୍‌ ଟିକା ନେଇ ନଥିବାରୁ ସେମାନଙ୍କୁ ବି ପ୍ରାଧାନ୍ୟ ଦିଆଯାଉଛି। ୪୫ ବର୍ଷର ଲୋକଙ୍କୁ ଯେପରି ସ୍ବତନ୍ତ୍ର ଡ୍ରାଇଭ୍ କରି ଦ୍ବିତୀୟ ଡୋଜ୍‌ ଟିକା ଦିଆଗଲା, ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ବି ସେମିତି ସ୍ବତନ୍ତ୍ର ଡ୍ରାଇଭ୍ ହେବ। ବିଏମ୍‌ସି ଅଧୀନରେ ୫ଲକ୍ଷ ୧୭ହଜାର ଜଣ (୧୮ରୁ ୪୪ବର୍ଷ ବୟସ୍କ) ଟିକା ନେବାକୁ ଆକଳନ ହୋଇଥିବା ବେଳେ ଏଥିରୁ ପ୍ରାୟ ‌ଦେଢ଼ ଲକ୍ଷ ଲୋକ ଟିକା ନେଇଛନ୍ତି। ଏବେ ବି ପ୍ରାୟ ସାଢ଼େ ତିନି ଲକ୍ଷ ଲୋକ ପ୍ରଥମ ଡୋଜ୍‌ ଟିକା ନେବାକୁ ବାକି ଅଛନ୍ତି। ତେଣୁ ଦେଢ଼ ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦେବା ସହ ପ୍ରଥମ ଡୋଜ୍‌ ଅପେକ୍ଷାରେ ଥିବା ଲୋକ ଯେପରି ସୁବିଧାରେ ଟିକା ନେଇପାରିବେ, ସେ ବ୍ୟବସ୍ଥା ବି କରାଯାଉଛି। ଅପରପକ୍ଷେ ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ ୧୮ରୁ ୪୪ବର୍ଷ ବୟସ୍କଙ୍କ ଦ୍ବିତୀୟ ଡୋଜ୍‌ ନେବା ସମୟ ଆସିଲେ, ଆମେ ଆବଶ୍ୟକ ବ୍ୟବସ୍ଥା କରିବୁ।

ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ମୋଟ୍ ୩୧,୫୩୯ଜଣ ସ୍ବାସ୍ଥ୍ୟକର୍ମୀ, ୩୩, ୪୩୫ ଜଣ ଆଗଧାଡ଼ିର କର୍ମୀ, ୩,୨୫,୨୨୦ଜଣ ୪୫ବର୍ଷରୁ ଊର୍ଦ୍ଧ୍ବ ଏବଂ ୫ଲକ୍ଷ ୧୭ହଜାର ଜଣ ୧୮ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖା ଯାଇଛି।

୭ରୁ ୬ଟି କେନ୍ଦ୍ରରେ ଦିନକୁ ୬୦୦ଲେଖାଏଁ ଟିକା, ଆଉ ଦୁଇଟି ସ୍ଥାନରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ
ଭୁବନେଶ୍ବର : ୪୫ବର୍ଷରୁ ଅଧିକ ସମସ୍ତ ଲୋକଙ୍କୁ ଯଥାସମ୍ଭବ ଟିକା ଦେବାକୁ ଆଜିଠାରୁ ଆଉ ଦୁଇଟି ଡ୍ରାଇଭ୍‌-ଇନ୍ ଟିକା ଅଭିଯାନ ଜୋରଦାର୍ କରାଯାଇଛି। ପୂର୍ବରୁ ୫ଟି କେନ୍ଦ୍ରରେ ଟିକା ଅଭିଯାନ ଚାଲିଥିବା ବେଳେ ଆଜିଠୁ ଆଉ ଦୁଇଟି କେନ୍ଦ୍ର ପାଇଁ ବୁକିଂ ଆରମ୍ଭ ହୋଇଛି। ଏହାସହ ପ୍ରତି କେନ୍ଦ୍ରରେ ଅଧିକ ୧୦୦ଜଣଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୮ ଓ ୨୯ ତାରିଖ ଏବଂ ୩୧ ଓ ଜୁନ୍‌ ୧ ତାରିଖ ପାଇଁ ୪୫ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ସ୍ଲଟ୍ ବୁକିଂ ହୋଇଛି। ଏଥିରେ କଳିଙ୍ଗନଗର କେ-୭ରେ ଥିବା ବିଡିଏ କଲ୍ୟାଣମଣ୍ଡପ ଏବଂ ମୈତ୍ରୀବିହାରରେ ଥିବା ଫର୍ଚୁନ ଟାୱାର୍‌ରେ ଡ୍ରାଇଭ୍‌-ଇନ୍ ଟିକା ବ୍ୟବସ୍ଥା ଆରମ୍ଭ ହେବ। ଏଠାରେ ଦିନକୁ ୬୦୦ଟି ଲେଖାଏଁ ଡୋଜ୍‌ ଦିଆଯିବ। ଏହାବାଦ୍ ପୂର୍ବରୁ ଚାଲିଥିବା ଏସ୍‌ପ୍ଲାନେଡ୍‌ ମଲ୍‌, ଡିଏନ୍‌ ‌ରେଗାଲିଆ ମଲ୍‌, ସି‌ମ୍ଫୋନି ମଲ୍‌, କିଟ୍‌ ଷ୍ଟାଡିୟମରେ ୬୦୦ଟି ଲେଖାଏଁ ଡୋଜ୍‌ ଦିଆଯିବ। କେବଳ କଳ୍ପନା ଛକସ୍ଥିତ ଗ୍ୟାଲେରିଆ ମଲ୍‌ରେ ୫୦୦ଟି ଡୋଜ୍‌ ଦିଆଯିବ। ଏଠାରେ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟିକା ନେଇପାରିବେ।

ସମ୍ବନ୍ଧିତ ଖବର