ଭୁବନେଶ୍ବର: ଅଭାବ ଅନଟନରେ କଟିଲା ଶୈଶବ। ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ପଡ଼ିଲା। କୈଶୋରାବସ୍ଥାରେ ସଂସାରର ବୋଝ ତାଙ୍କୁ ଅଣନିଃଶ୍ବାସୀ କରିଦେଉଥିଲା। କିନ୍ତୁ ଅବସୋସର ଜୀବନ ଭିତରେ ସେ ସ୍ବପ୍ନ ଦେଖିବା କେବେ ଛାଡ଼ି ନଥିଲେ। ସତକୁ ସତ ଭାଗ୍ୟ ବଦଳିଲା ଓ ଦିନେ ହଠାତ୍‌ ତନ୍ତଶାଳରୁ ମୁକୁଳି ଯିବାକୁ ତାଙ୍କୁ ବାଟ ମିଳିଗଲା। ଜମିଦାରୀ ଦାୟିତ୍ବ ସମ୍ଭାଳିବା ଭିତରେ ରାଜକୀୟ, ସମ୍ଭ୍ରାନ୍ତୀୟ ଓ ବୌଦ୍ଧିକ ପୃଷ୍ଠପୋଷକତା ତାଙ୍କୁ କାବ୍ୟ ପୁରୁଷ ଭାବେ ପରିଣତ କରିଦେଇଥିଲା। ଜୀବନ ଯାକର ସୁଖ-ଦୁଃଖ ଓ ହାରିବା-ଜିତିବାର ଅନୁଭୂତି, ବିଷବଳୟ ଭିତରେ ମଧୁପାନର ତୃଷ୍ଣା, ଉତ୍‌ଥାନ ପତନର ଖେଳକୁ ସେ କାଗଜ ପୃଷ୍ଠାରେ ଉତାରି ପାଲଟି ଯାଇଥିଲେ ସ୍ବଭାବ କବି। ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଅନୁଷ୍ଠିତ ‘ନାଟକ ଉତ୍ସବ’ର ଦ୍ବିତୀୟ ସଂଧ୍ୟାରେ ପରିବେଷିତ ନାଟକ ‘କାବ୍ୟଶିଳ୍ପୀ ଗଙ୍ଗାଧର’‌ରେ ସ୍ବଭାବ କବିଙ୍କ ଜୀବନୀ ମଞ୍ଚ ଉପରେ ଫୁଟି ଉଠିଥିଲା।

Advertisment

ଅଶୋକ ବହିଦାରଙ୍କ ରଚିତ ଏହି ନାଟକକୁ କେଶରଂଜନ ପ୍ରଧାନ ନିର୍ଦ୍ଦେଶନା ଦେଇଥିଲେ। ଦେଢ଼ ଘଣ୍ଟା ଅବଧିର ନାଟକରେ ବରଗଡ଼ ଜିଲ୍ଲା ପଦ୍ମପୁରର ଅବର୍ଣ୍ଣିର୍‌ ଗୁଁଡ଼ା ନାଟ୍ୟ ସଂସଦର କଳାକାର କେଶ ପ୍ରଧାନ, ଅଶୋକ ବହିଦାର, ବିଶ୍ରାମ ମେହେର, ମନୋରଂଜନ ପୁରୋହିତ, ଯତି ଶତପଥୀ, ଆଶିଷ ବୈକାର, ପରମେଶ୍ବର ବିଶି, ତେନେସ ପଣ୍ଡା, ରମେଶ ମେହେର, ମାଧବ ବରିହା, ଦୀପକ ଦାଶ, ସୁଶାନ୍ତ ମହାପାତ୍ର, ପ୍ରେମାନନ୍ଦ ତୁରିଆ, ସୁବ୍ରତ ପଟ୍ଟନାୟକ, ଶୁଭ୍ରାଂଶୁ ସରାଫ, ରାଜ କୁମାର ସାହୁ, ବିକାଶ ଡନସନା, ସୁବର୍ଣ୍ଣ ସାହୁ, ମମତା ଦୀପ, ଦୟାସାଗର ଧରୁଆ, ରଞ୍ଜିତ ସାହୁ, ସୁଚିତ୍ରା, ସ୍ନେହା, ରାନୀ, ଇତିଶ୍ରୀ, ସ୍ନିଗ୍ଧା, ଏଲିସା, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲା ଓ ଗଜାନନ ନାଗ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ।

ଅତିଥି ଭାବେ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ୱେୟାର୍‌ ହାଉସିଂ କର୍ପୋରେସନ୍‌ର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇ, ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। ଶୁକ୍ରବାର ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଭକ୍ତକବି ଦୀନକୃଷ୍ଣ ଦାସ ଜୀବନୀ ଉପରେ ଆଧାରିତ ନାଟକ ‘ଅଦୃଶ୍ୟ ନଟ’ ମଞ୍ଚସ୍ଥ ହେବ।