ଶ୍ରୀଲିଙ୍ଗରାଜ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା: ଦୁଲୁକାଇଲା ଘସିଆରି

ପୁରୁଣା ଭୁବନେଶ୍ୱର: ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚାଲିଥିବା ଶ୍ରୀଲିଙ୍ଗରାଜ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଆଜି ଓଡ଼ିଶାର ସମ୍ବଲପୁରୀ ସାଙ୍ଗକୁ ଗୁଜରାଟର ଗର୍‌ଭା, ଉତ୍ତରାଖଣ୍ଡର ଘସିଆରି, ପଶ୍ଚିମବଙ୍ଗର ଲୋକନୃତ୍ୟ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା। ଓଡ଼ିଶୀରୁ ଆରମ୍ଭ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବିଭିନ୍ନ ଲୋକନୃତ୍ୟ ସହ କ୍ରିଏଟିଭ୍‌ ନୃତ୍ୟ ମଧ୍ୟ ଦର୍ଶକଙ୍କ ମନଜିଣିଥିଲା।

ପ୍ରଥମେ କଟକ କଳାବିକାଶ କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟରେ ଗଜାନନ ବନ୍ଦନା ପରିବେଷଣ କରାଯାଇଥିଲା। ପରେ ଉତ୍ତରାଖଣ୍ଡର କଳାକାରଙ୍କ ଦ୍ବାରା ଲୋକନୃତ୍ୟ ଘସିଆରି ନୃତ୍ୟ, ଗୁଜରାଟର ଗର୍‌ଭା ନୃତ୍ୟ ଲୋକଙ୍କୁ ବିମୋହିତ କରିଥିଲା। ଏହାପରେ କୋଲକାତାର ଶତାବ୍ଦୀ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ବସନ୍ତ ଉତ୍ସବ ଓ ଦୁର୍ଗା ଉତ୍ସବ ପରିବେଷଣ କରାଯାଇଥିଲା। ତେବେ ଭୁବନେଶ୍ବର ଦୟାଲ ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ ମଞ୍ଚ ଦୁଲୁକାଇଥିଲା। ଏହାପରେ ଅନୁଗୁଳର ନିଉ କ୍ରିଏସନ୍‌ ଡ୍ୟାନ୍ସ ପକ୍ଷରୁ ବାସୁଦେବ ନାଥ ସଂଯୋଜନାରେ କ୍ରିଏଟିଭ୍ ନୃତ୍ୟ ପରିବେଷଣ କରାଯାଇଥିଲା।

ପ୍ରକାଶନୀର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ଦୁର୍ନୀତି ନିବାରଣ ଏକାଡେମିର ଅତିରିକ୍ତ ସଚିବ ଦିଲ୍ଲୀପ ଛୋଟରାୟ, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶୋରୀ ପାଇକରାୟ, କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୁତି ଭୂଷଣ କର, ଓୟୁଡବ୍ଲୁଜେ ସଭାପତି ଭାଗବତ ତ୍ରିପାଠୀ, ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର ଓ ଅନୁଷ୍ଠାନର ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ରହି କଳାକାରଙ୍କୁ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର