ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା : ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର : ମକ୍ତେଶ୍ବରର ମୁକ୍ତା‌କାଶ ତଳେ ନଇଁ ଆସୁଥିଲା ଶୀତୁଆ ସଞ୍ଜ। ଆଉ ନୂପୁରର ରୁଣୁଝୁଣୁ ଶବ୍ଦରେ ମୁଖରିତ ହୋଇଉଠୁଥିଲା ଚତୁର୍ଦ୍ଦିଗ। ନୃତ୍ୟର ତାଳେ ତାଳେ ସମ୍ମୋହିତ ହେଲା ଭଳି କଳାକାରଙ୍କ ଓଡ଼ିଶୀ ନୃତ୍ୟାଭିନୟକୁ ଭରପୂର ଉପଭୋଗ କରୁଥିଲେ ଦର୍ଶକ।

ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତ୍ରୋତ୍ରରୁ। ସ୍ବପ୍ନେଶ୍ବର ଚକ୍ରବର୍ତ୍ତୀ ଓ ସାଥୀ ଏହା‌ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଗୁରୁ ରମେଶ ଚନ୍ଦ୍ର ଜେନା ମଙ୍ଗଳା ଚରଣରେ ଶିବ ବନ୍ଦନା, ହରଗୌରାଷ୍ଟକମ୍‌ ପରି‌ବେଷଣ କରିଥିଲେ। ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ ଓ ଗୁରୁ ଅରୁଣା ମହାନ୍ତି। ଗୁରୁ ରାମହରି ଦାସ ଓ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ତାଳ ସଂଯୋଜନା କରିଥିଲେ। ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ବିଜୟ କୁମାର ବାରିକ ଏବଂ ଅଭିନୟ ରୂପ ଦେଇଥିଲେ କେଦାର ମିଶ୍ର। ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ଶତାବ୍ଦୀ ମଲ୍ଲିକ ଓ ନୀଳାଦ୍ରି ମହାନ୍ତି ପ୍ରଥମେ ପରିବେଷଣ କରିଥିଲେ ଶିବ ରୂପ ମହାଦେବଙ୍କ ଧ୍ୟାନରେ ମଙ୍ଗଳାଚରଣ। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ପରେ ପରେ ରାଘେଶ୍ୱରୀ ପଲ୍ଲବୀର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ନିରଞ୍ଜନ ପାତ୍ର। ସେମାନଙ୍କର ଅନ୍ତିମ ପ୍ରସ୍ତୁତି ଥିଲା ଅଭିନୟ ବୈଦନାଥ ପଞ୍ଚପଦି। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ସେମାନଙ୍କର ସମସ୍ତ ପ୍ରସ୍ତୁତିର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର।

ଶେଷ କାର୍ଯ୍ୟକ୍ରମ ଥିଲା ଡୋନା ଗାଙ୍ଗୁଲି ଓ ସାଥୀଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ। କିନ୍ତୁ ପାରିବାରିକ ଅସୁବିଧା ପାଇଁ ଡୋନା ଏହି ଉତ୍ସବରେ ଯୋଗ ଦେଇ ପାରିନଥିଲେ। କିନ୍ତୁ ତାଙ୍କ ନିର୍ଦ୍ଦେଶନାରେ ଦଳର ପ୍ରଥମ ପ୍ରସ୍ତୁତିରେ ଥିଲା ଦଶାବତାର ଯାହା ରାଗ-କଲ୍ୟାଣ, ତାଳ-ଝମ୍ପା ଉପରେ ନିବଦ୍ଧ ଥିଲା। ଏହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ତାଳ ସଂରଚନା କରିଥିଲେ ସ୍ବର୍ଗତ ଗୁରୁ କେଳୁଚରଣ ମହାପାତ୍ର। ପରେ ପରେ ସେମାନେ ପ୍ରସ୍ତୁତ କରିଥିଲେ ଅଭିନୟ ଅର୍ଦ୍ଧନାରୀଶ୍ୱର। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ। ସେମାନଙ୍କର ଶେଷ ପ୍ରସ୍ତୁତିରେ ଥିଲା ଶଙ୍କରାଭରଣ ପଲ୍ଲବୀ।

ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ସୃଜନ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ବିଶିଷ୍ଟ ମର୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଦୁର୍ଗାପ୍ରସାଦ ମହାପାତ୍ର, ସହକାରୀ ନିର୍ଦ୍ଦେଶକ ଡ. ରତିକାନ୍ତ ପଟ୍ଟନାୟକ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ଏବଂ ସଂହତି ପାଣି। ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ତିନିଦିନିଆ ନୃତ୍ୟୋତ୍ସବର ଶେଷ ସନ୍ଧ୍ୟା ଅସନ୍ତାକାଲି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର