ରେଳଷ୍ଟେସନ୍‌ରେ ଖୋଲିଲା ଦ୍ବିତୀୟ ଫୁଡ୍‌ ପ୍ଲାଜା

ଭୁବନେଶ୍ବର : ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଦ୍ବିତୀୟ ଫୁଡ୍‌ ପ୍ଲାଜାକୁ ଯାତ୍ରୀମାନଙ୍କ ପାଇଁ ସମର୍ପିତ କରାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଆଜି ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଦେବରାଜ ପଣ୍ଡାଙ୍କ ଉପସ୍ଥିତିରେ ୬ ନମ୍ବର ପ୍ଲାଟଫର୍ମରେ ଏହି ଅତ୍ୟାଧୁନିକ ଫୁଡ୍‌ ପ୍ଲାଜାକୁ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ଭୁବନେଶ୍ୱର ରେଳଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମଠାରେ ଏକ ଫୁଡ୍‌ ପ୍ଲାଜା ଚାଲୁ ରହିଛି। ୬ ନମ୍ବର ପ୍ଲାଟଫର୍ମ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଆଗରୁ ଅସୁବିଧା ଅନୁଭବ କରି ଖାଇବା ପାଇଁ ଏକ ନମ୍ବର ପ୍ଲାଟଫର୍ମ କିମ୍ବା ଷ୍ଟେସନ୍‌ ବାହାର ଦୋକାନଗୁଡ଼ିକ ଉପରେ ନିର୍ଭର କରୁଥିଲେ।

୬ ନମ୍ବର ପ୍ଲାଟଫର୍ମରେ ଦ୍ବିତୀୟ ଫୁଡ୍‌ ପ୍ଲାଜା ଚାଲୁ ହେବା ପରେ ଯାତ୍ରୀମାନଙ୍କୁ ଏଣିକି ଆଉ ୬ ନମ୍ବରରୁ ୧ ନମ୍ବର ପ୍ଲାଟଫର୍ମକୁ ଯିବାକୁ ପଡ଼ିବନି। ୧୫୬୦ ବର୍ଗଫୁଟ୍‌ରେ ନିର୍ମିତ ମଲ୍ଟିକୁଜିନ ଫୁଡ୍‌ ପ୍ଲାଜାରେ ପ୍ରାୟ ୫୦ଜଣ ଯାତ୍ରୀ ଏକକାଳୀନ ଖାଦ୍ୟ ଖାଇବା ପାଇଁ ବ୍ୟବହାର କରିପାରିବେ। ଏହି ଫୁଡ୍‌ ପ୍ଲାଜାରେ ଶୀତତାପ ନିୟନ୍ତ୍ରିତ ହଲ୍‌ ସହ ମ୍ୟୁଜିକ ସିଷ୍ଟମ, ଟିଭି, ସିସିଟିଭି ଥିବାବେଳେ ଯାତ୍ରୀମାନେ ଖରାବେଳ ଓ ରାତ୍ରି ଭୋଜନ(ଉଭୟ ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ସହିତ ଚାଇନିଜ) ସହିତ ଜଳଖିଆ, ଚକୋଲେଟ, ଆଇସ୍‌କ୍ରିମ, ଚା’, କଫି ଓ ଫଳରସ ପାଇପାରିବେ। ଏହା ଦିନରାତି(୨୪X୭) ଖୋଲା ରହିବ। ଫଳରେ ଯାତ୍ରୀମାନେ ସେମାନଙ୍କ ଖାଦ୍ୟ ପାନୀୟ ସେଠାରୁ ପାଇପାରିବେ। ଟ୍ରେନ୍‌ଗୁଡ଼ିକର ଆଗମନ ଓ ପ୍ରସ୍ଥାନ ପାଇଁ ମଧ୍ୟ ଏଠାରେ ସୂଚନା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର