ଭୁବନେଶ୍ୱର :ବିଏମ୍ସି ଓ ଆର୍ଏମ୍ଆର୍ସି ପକ୍ଷରୁ ଆଜିଠାରୁ ରାଜଧାନୀରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି। ଏଥିରେ ୧୦ଟି ୱାର୍ଡର ବିଭିନ୍ନ ଅଞ୍ଚଳରୁ ୬୩୫ଜଣଙ୍କର ନମୁନା ସଂଗ୍ରହ ହୋଇଛି। ବିଶେଷକରି ବସ୍ତି ଓ କଲୋନି ଅଞ୍ଚଳରୁ ଏହି ନମୁନା ସଂଗ୍ରହ ହୋଇଛି। କେତେକ ସ୍ଥାନରେ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ଅଞ୍ଚଳରେ ସେରୋଲୋଜିକାଲ ସର୍ଭେ କରାଯାଇଛି। ଆଜି ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ନମୁନା ସଂଗ୍ରହ କରାଯାଇଥିଲା। ଏଥିରେ ୱାର୍ଡ-୯ର ଗାଡ଼କଣ, ୱାର୍ଡ-୧୨ର ପାତ୍ର ସାହି,ୱାର୍ଡ-୨୨ରେ ଭରତପୁର ବସ୍ତି, ୱାର୍ଡ-୨୪ରେ ଆର୍ବିଆଇ କଲୋନି, ୱାର୍ଡ-୩୫ର ବାୟାବାବା ମଠ ଲେନ୍, ୱାର୍ଡ-୩୭ରେ ତ୍ରିଷ୍ଣା ଆପାର୍ଟମେଣ୍ଟ, ୱାର୍ଡ-୪୮ରେ ପାଇକ ନଗର, ୱାର୍ଡ-୫୧ରେ ଶତାବ୍ଦୀ ନଗର, ୱାର୍ଡ-୬୨ରେ କାରଗିଲ ବସ୍ତି, ୱାର୍ଡ-୬୫ରେ ଡୁମଡୁମାର ଫେଜ୍ ୪ରୁ ନମୁନା ସଂଗ୍ରହ କରାଯାଇଥିଲା। ଦୁଇଦିନରେ ପ୍ରାୟ ୧୫୦୦ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିବାରୁ ଶନିବାର ପ୍ରାୟ ୯୦୦ ନମୁନା ସଂଗ୍ରହ କରାଯିବ। ଏଥିରେ ବିଏମ୍ସି ସଫେଇ କର୍ମଚାରୀ, ପୁଲିସ, ବ୍ୟାଙ୍କ, ସ୍ବାସ୍ଥ୍ୟ କର୍ମଚାରୀ, ବିଭିନ୍ନ ବର୍ଗର କରୋନା ଯୋଦ୍ଧା ଏବଂ ସେବା ଯୋଗାଉଥିବା କର୍ମଚାରୀଙ୍କର ନମୁନା ସଂଗ୍ରହ କରାଯିବ।
ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ : ୧୦ ୱାର୍ଡରୁ ୬୩୫ ନମୁନା ସଂଗ୍ରହ
/sambad/media/post_attachments/wp-content/uploads/2020/08/sero-survey.jpeg.jpg)