ଭୁବନେଶ୍ୱର : ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ, ତାହା ଜାଣିବା ପାଇଁ ଜୁଲାଇ ମାସରେ ଆରଏମ୍ଆର୍ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ ହୋଇଥିଲା। ଏଥିରେ ଜଣାପଡ଼ିଥିଲା ଯେ ୧.୪୨% ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି। ଏହି ସର୍ଭେରେ ଜୁନ୍ ମାସର ସ୍ଥିତି ଜଣାପଡ଼ିଥିଲା। କିନ୍ତୁ ଜୁଲାଇ ଓ ଅଗଷ୍ଟରେ ପ୍ରାୟ ୮ହଜାର ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବାରୁ କେତେ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି, କେଉଁ ପ୍ରକାରର ଲୋକ ଅଧିକ ଆକ୍ରାନ୍ତ ହେଉଛନ୍ତି, ଗୋଷ୍ଠୀସଂକ୍ରମଣ ହୋଇଛି କି ନାହିଁ, କରୋନା କେଉଁ ବର୍ଗର ଲୋକଙ୍କୁ ଅଧିକ ଆକ୍ରାନ୍ତ କରୁଛି ସେନେଇ ସର୍ଭେ ହେବ। ଏହାଦ୍ବାରା ଭୁବନେଶ୍ବର ପାଇଁ ବିଏମ୍ସି ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିପାରିବ।
ଦ୍ବିତୀୟ ପର୍ଯ୍ୟାୟ ସେରୋସର୍ଭେରେ ଦୁଇ ଦିନରେ ୧୫୦୦ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ୫ଟି ଟିମ୍ ୨୫ଟି ୱାର୍ଡରୁ ୧୫୦୦ ନମୁନା ସଂଗ୍ରହ କରିବ। ଅଗଷ୍ଟ ୨୮ ଓ ୨୯ଦୁଇଦିନ ଧରି ନମୁନା ସଂଗ୍ରହ ହେବ। ଆସନ୍ତାକାଲି ୱାର୍ଡ-୨ର ଶିଖରଚଣ୍ଡୀ ବସ୍ତି, ୱାର୍ଡ- ୪ର ହରିଦାସପୁର, ୱାର୍ଡ-୭ରେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଶୈଳଶ୍ରୀବିହାର, ୱାର୍ଡ-୧୪ର ଲୁମ୍ବିନି ବିହାର, ୱାର୍ଡ-୧୭ର ବିଶେଶ୍ବର ବସ୍ତି, ୱାର୍ଡ-୧୯ର ବସୁନ୍ଧରା ଆପାର୍ଟମେଣ୍ଟ, ୱାର୍ଡ-୨୭ରେ ନୂଆପଲ୍ଲୀ ଥାନା ଅଞ୍ଚଳ, ୱାର୍ଡ-୨୯ରେ ୟୁନିଟ-୯ ଫ୍ଲାଟ୍, ୱାର୍ଡ-୩୨ରେ ଲକ୍ଷ୍ମୀସାଗର ବ୍ରିଟ୍ କଲୋନି ଷ୍ଟେଜ୍-୨, ୱାର୍ଡ-୪୦ରେ କମଳାନେହରୁ ମହିଳା ମହାବିଦ୍ୟାଳୟ, ୱାର୍ଡ-୪୨ରେ ଲକ୍ଷ୍ମୀସାଗର ମେଳଣ ପଡ଼ିଆ, ୱାର୍ଡ-୪୫ର ଶବର ସାହି, ୱାର୍ଡ-୫୪ରେ ପୂଜାପଣ୍ଡା ସାହି, ୱାର୍ଡ-୫୬ରେ ମ୍ୟୁଜିୟମ କଲୋନି, ୱାର୍ଡ-୫୯ରେ ହରିପୁର ପାଟଣା ଅଞ୍ଚଳରେ ଲୋକଙ୍କର ନମୁନା ସଂଗ୍ରହ କରାଯିବ। ଏହି ସବୁ ଅଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଠାରେ ପ୍ରକୃତରେ କେତେ ଆକ୍ରାନ୍ତ ହୋଇଛନ୍ତି, କେତେ ଆକ୍ରାନ୍ତ ବିନା ଚିକିତ୍ସାରେ ସୁସ୍ଥ ହୋଇଛନ୍ତି, ସେନେଇ ସର୍ଭେ କରାଯିବ। ସର୍ଭେ ରିପୋର୍ଟ ଆସିବା ପରେ ବିଏମ୍ସି ଆବଶ୍ୟକ ପଦକ୍ଷେପ ନେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/corona-india.jpg)