ଗ୍ରାମ ସ୍ୱରାଜକୁ କାର୍ଯ୍ୟକାରୀ କରିବାରେ ଦୋଳଗୋବିନ୍ଦ ଥିଲେ ଅଗ୍ରଣୀ ନେତା: ନିରଞ୍ଜନ

ଦ୍ୱିତୀୟ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଆଜି ପାଳିତ ହୋଇଯାଇଛି। ପୂର୍ବାହ୍ନରେ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଆର୍ଯ୍ୟଭବନ ଠାରେ ବୈଦିକ ଶାନ୍ତି ଯଜ୍ଞ କରାଯିବା ସହ ବୁଦ୍ଧମନ୍ଦିରରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସାମୂହିକ ଦୀପଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ଉଦ୍‌ଘାଟନ କରିଥିଲେ। କୋଳଥିଆ ସ୍ମୃତିବନ ଠାରେ ବିଶିଷ୍ଟ ସମାଜସେବୀ ସୀତାବଲ୍ଲଭ ମହାପାତ୍ର ଓ ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର ବୃକ୍ଷ ପୂଜା କରିଥିଲେ। ସ୍ୱର୍ଗତ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତିଷ୍ଠାନ ପକ୍ଷରୁ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜୁମ୍ ଭିଡିଓ ଯୋଗେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ସନ୍ଥ ଶ୍ରୀମଦ୍ ବାବା ବଳିଆ କହିଲେ, ଛାତ୍ର ଜୀବନରୁ ବାନର ସେନାରେ ଯୋଗଦେଇ ସେ ବ୍ରିଟିଶ ସରକାର ଦ୍ୱାରା ବନ୍ଦୀ ହୋଇଥିଲେ। ଜେଲ୍‌ରେ ରହିବା ସମୟରେ ସେ ବହୁତ କିଛି ଶିକ୍ଷା କଲେ, ଯାହାକୁ ସେ ତାଙ୍କ ଜୀବନକାଳରେ ପ୍ରୟୋଗ କରି ନିରୋଗ ଜୀବନଯାପନ କରିପାରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜକୁ କାର୍ଯ୍ୟକାରୀ କରିବାରେ ଦୋଳଗୋବିନ୍ଦ ଅଗ୍ରଣୀ ନେତା ଥିଲେ। ଗ୍ରାମ ସ୍ୱରାଜ ଆନ୍ଦୋଳନକୁ ସେ ନିଜ ଅଞ୍ଚଳରେ ଠିକଣା ଭାବେ ପ୍ରୟୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମା’ଘରର ସଭାନେତ୍ରୀ ଋତୁପର୍ଣ୍ଣା ମହାନ୍ତି, ଉତ୍କଳ ମେଲ୍‌ର ମୁଖ୍ୟ ସଂପାଦକ ପୀତବାସ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସ୍ୱର୍ଗତ ପ୍ରଧାନଙ୍କ ପୁତ୍ର ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିବେକାନନ୍ଦ ପାତ୍ର, ମନୋଜ ଲେଙ୍କା, ସୌରେନ୍ଦ୍ର କୁମାର ମହାପାତ୍ର, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଆର୍ତତ୍ରାଣ ମିଶ୍ର, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ, ରଶ୍ମି ଦାସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଦେବରାଜ ପ୍ରଧାନ, ପୃଥ୍ୱୀରାଜ ପ୍ରଧାନ ଓ ପ୍ରଜ୍ଞାରାଜ ପ୍ରଧାନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର