ରାଜଧାନୀର ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ

ଭୁବନେଶ୍ୱର: ବୁଧବାର ରାଜଧାନୀର ଦ୍ୱିତୀୟ ଟ୍ରାଫିକ ଥାନା ଉଦଘାଟିତ ହୋଇଯାଇଛି । ପୁଲିସ ଡିଜି ବିଜୟ କୁମାର ଶର୍ମା ଏହାକୁ ଉଦଘାଟନ କରିଛନ୍ତି । ଏହି ଦ୍ୱିତୀୟ ଟ୍ରାଫିକ ଥାନାଟି ଚନ୍ଦ୍ରଶେଖରପୁର ଥାନା ପରିସରରେ ଅସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଏହା ନାମ ଟ୍ରାଫିକ ଥାନା ନର୍ଥ ରଖାଯାଇଛି । ବର୍ତମାନ ଏଜି ଛକରେ ଥିବା ଟ୍ରାଫିକ ଥାନାର ନାଁ ‘ସେଂଟ୍ରାଲ ଟ୍ରାଫିକ ଥାନା’କୁ ବଦଳାଯାଇଛି ।

ସହର ବଢ଼ିବା ସହ ଗାଡି ମୋଟର ସଂଖ୍ୟା ମଧ୍ୟ ବଢୁଛି । ଫଳରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ସହରରେ ଆଉ ଦୁଇଟି ଟ୍ରାଫିକ ଥାନାର ଆବଶ୍ୟକ ଥିବା ନେଇ କମିସନରେଟ ପୁଲିସ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା । ଗୋଟିଏ ରସୁଲଗଡ ଓ ଗୋଟିଏ ଚନ୍ଦ୍ରଶେଖରପୁର ଅଂଚଳରେ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ସରକାର ଏହାର ତର୍ଜମା କରି ଗୋଟିଏ ଟ୍ରାଫିକ ଥାନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହେବାକୁ ଯାଉଥିବା ଟ୍ରାଫିକ ଥାନା ନର୍ଥରେ ପରିସୀମା ମଧ୍ୟ ସ୍ଥିର କରାଯାଇଛି । ଟ୍ରାଫିକ ଥାନା ନର୍ଥ ଅଧିନରେ ୮ଟି ଥାନା ଯଥା ଖଣ୍ଡଗିରି, ନୂଆପଲ୍ଲୀ, ତମାଣ୍ଡୋ, ଜଟଣୀ, ଚନ୍ଦ୍ରଶେଖରପୁର, ଇନଫୋସିଟି, ନନ୍ଦନକାନନ ଓ ଚନ୍ଦକା ଥାନା ଅଧିନରେ ଥିବା ସମସ୍ତ ରାସ୍ତା ଓ ଛକ ରହିବ ।

ଏଥିପାଇଁ ଜଣେ ଇନ୍ସପେକ୍ଟର, ୧୦ଜଣ ଅଫିସର, ୧୦ଜଣ ହାବିଲଦାର, ୧୪୦ଜଣ କନଷ୍ଟେବଲ ଓ ୪ ଜଣ ସହକାରୀ ଡ୍ରାଇଭରଙ୍କୁ ନିଯୁକ୍ତ କରାଯିବ । ଏଥିପାଇଁ ସରକାରୀ ଅନୁମତି ମିଳିସାରିଛି । ଏହି ଥାନା ଉଦଘାଟନ ପରେ ସହରରେ ଟ୍ରାଫିକ ନିୟନ୍ତ୍ରଣ ଲାଗି ବେଶ ସହାୟକ ହେବ । ପରବର୍ତ୍ତୀ ସମୟରେ ଖଣ୍ଡଗିରି, ଉତ୍ତରା ଓ  ରସୁଲଗଡରେ ଟ୍ରାଫିକ ଥାନା ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।

ଉଲ୍ଲେଖଥାଉ କି, ଟ୍ରାଫିକ ୟୁନିଟକୁ ଥାନାରେ ପରିବର୍ତ୍ତନ କରାଯାଇଛି । ଉଦଘାଟନ ଉତ୍ସବରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ, ଡିସିପି ଟ୍ରାଫିକ ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର