ଚନ୍ଦ୍ରଶେଖରପୁରରେ ଦ୍ବିତୀୟ ଟ୍ରାଫିକ ଥାନା, ଉଦ୍‌ଘାଟନ କଲେ ପୁଲିସ ଡିଜି,  ଅଧୀନରେ ରହିଲା ୮ଟି ଥାନା

ଚନ୍ଦ୍ରଶେଖରପୁର : ରାଜଧାନୀର ବଢ଼ୁଥିବା କଳେବରକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହୋଇଛି ଦ୍ବିତୀୟ ଟ୍ରାଫିକ୍‌ ଥାନା। ଚନ୍ଦ୍ରଶେଖରପୁର ଥାନା ପରିସରରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଟ୍ରାଫିକ ଥାନାକୁ ପୁଲିସ ଡିଜି ବିଜୟ କୁମାର ଶର୍ମା ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଟ୍ରାଫିକ୍‌ ଥାନା ଅଧୀନରେ ଖଣ୍ଡଗିରି, ନୟାପଲ୍ଲୀ, ତମାଣ୍ଡୋ, ଜଟଣୀ, ଚନ୍ଦ୍ରଶେଖରପୁର, ଇନଫୋସିଟି, ନନ୍ଦନକାନନ ଓ ଚନ୍ଦକା ଥାନାର ସମସ୍ତ ରାସ୍ତା ଓ ଛକ ରହିବ। ଏହି ଥାନା‌ ପାଇଁ ଜଣେ ଇନ୍ସପେକ୍ଟର, ୬ ଜଣ ଏସ୍‌ଆଇ, ୧୦ ଜଣ ଲେଖାଏ ଏଏସ୍‌ଆଇ ଓ ହାବିଲଦାର, ୧୪୦ ଜଣ କନଷ୍ଟେବଲ ଓ ୪ଜଣ ସହକାରୀ ଡ୍ରାଇଭର ଏଭଳି ଭାବେ ୧୭୧ ପଦବିକୁ ମଞ୍ଜୁର କରାଯାଇଛି। ତେବେ ଏବେ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ଦିଆଯାଇ ନାହିଁ। ଏବେ ଏହି ଦ୍ବିତୀୟ ଥାନାରେ ଜଣେ ଇନ୍ସପେକ୍ଟର, ୨ ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୨୦ ଜଣ କନଷ୍ଟେବଲ, ୫ ଜଣ ଓଏପିଏଫ୍‌, ଜଣେ ସହକାରୀ ଡ୍ରାଇଭର, ୨୨ ଜଣ ହୋମଗାର୍ଡ ଏହିପରି ‌ଭାବେ ମୋଟ ୫୪ ଜଣ ନିଯୁକ୍ତ ହୋଇଛନ୍ତି।

ଉଦ୍‌ଘାଟନ ଅବସରରେ ପୁଲିସ ଡିଜି ଶ୍ରୀ ଶର୍ମା କହିଲେ ଦିନକୁ ଦିନ ସହରର ଆକାର ବଢ଼ୁଛି। ଗୋଟିଏ ଥାନା ଅଧୀନରେ ସାରା ସହର ରହିବା ସମ୍ଭାବପର ହେଉ ନାହିଁ। ‌ଟ୍ରାଫିକ୍‌ ପରିଚାଳନାରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ଜୟଦେବବିହାର-ନନ୍ଦନକାନନ ରାସ୍ତା‌ ଦେଇ ଭୁବନେଶ୍ବରରୁ କଟକକୁ ଗମନାଗମନ ସୁବିଧା ହେବା ପରେ ଟ୍ରାଫିକ୍‌ ପରିଚାଳନା ଆହ୍ବାନ ସୃଷ୍ଟି କରିଛି। ତାହାକୁ ଦୃଷ୍ଟିରେ ରଖି ଦ୍ବିତୀୟ ଟ୍ରାଫିକ୍‌ ଥାନା ପ୍ରତିଷ୍ଠା କରାଯାଇଛି। ଖୁବ୍‌ଶୀଘ୍ର ସମସ୍ତ ପଦବି ପୂରଣ କରାଯିବା ସହ ଟ୍ରାଫିକ୍‌ ପରିଚାଳନାକୁ ଆହୁରି ସହଜ ଓ ସରଳ କରାଯାଇପାରିବ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସହର ବଢ଼ିବା ସହ ଗାଡ଼ି ମୋଟର ସଂଖ୍ୟା ମଧ୍ୟ ବଢୁଛି। ଫଳରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ସହରରେ ଆଉ ଦୁଇଟି ଟ୍ରାଫିକ ଥାନାର ଆବଶ୍ୟକ ଥିବା ନେଇ କମିଶନରେଟ ପୁଲିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା। ରସୁଲଗଡ଼ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଟ୍ରାଫିକ ଥାନା କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ସରକାର ଏହାର ତର୍ଜମା କରି ଗୋଟିଏ ଟ୍ରାଫିକ ଥାନାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପରବର୍ତୀ ସମୟରେ ଖଣ୍ଡଗିରି, ଉତ୍ତରା ଓ ରସୁଲଗଡ଼ରେ ଟ୍ରାଫିକ ଥାନା ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି।

ଉଦ୍‌ଘାଟନ ଉତ୍ସବରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ, ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ଶ୍ରୀବିହାର, ପଟିଆ, ଡମଣା, ଇନ୍‌ଫୋ‌ସିଟି ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କମିସନରେଟ୍‌ ପୁଲିସର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଭିନ୍ନ ସମସ୍ୟା ନେଇ ପୁଲିସ ଡିଜିଙ୍କ ସହ ଆଲୋଚନା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର