ଭୁବନେଶ୍ବର : ବହୁ ବର୍ଷ ଧରି ଚନ୍ଦ୍ରଶେଖରପୁର ଥାନା କୋଠାରେ ଅସ୍ଥାୟୀ ଭାବେ ଚାଲିଥିବା ଟ୍ରାଫିକ୍-୨ ଥାନା ଖୁବ୍ଶୀଘ୍ର ନିଜସ୍ବ କୋଠାରେ କାର୍ଯ୍ୟ କରିବ। ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ନିର୍ମାଣାଧୀନ ଥାନା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମ୍ଭବତଃ ଆଉ ଦୁଇ ମାସ ଭିତରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମେ’ ସୁଦ୍ଧା ନୂଆ କୋଠାରେ ଥାନା ଚାଲିବ ବୋଲି ଆଶା କରାଯାଉଛି। ଅତ୍ୟାଧୁନିକ ଡିଜାଇନ୍ରେ ଏହି କୋଠା ତିଆରି ହେଉଛି। କମିସନରେଟ୍ ପୁଲିସର ମୁଖ୍ୟାଳୟ ତଥା ପୁଲିସ ସେବା ଭବନ ଢାଞ୍ଚାରେ ଏହା ନିର୍ମାଣ ହେଲା ଭଳି ପ୍ରତୀୟମାନ ହେଉଛି। ଏହି ଥାନା ହେବା ପରେ ଜଟଣୀରୁ ନୂଆପଲ୍ଲୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ ବୋଲି କୁହାଯାଉଛି। ସେହିପରି ବେହେରା ସାହି ପାଖରୁ ନନ୍ଦନକାନନ ପର୍ଯ୍ୟନ୍ତ ମଧ୍ୟ ଟ୍ରାଫିକ୍ ପରିଚାଳନା ଦାୟିତ୍ବ ଥାନା ହାତରେ ରହିଛି। ଏହି ଟ୍ରାଫିକ୍ ଥାନା ଅଧୀନରେ ୮ଟି ପୁଲିସ ଥାନା ଆସୁଛି। ସେଗୁଡ଼ିକ ହେଲା, ନନ୍ଦନକାନନ, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଜଟଣୀ, ତମାଣ୍ଡୋ, ଖଣ୍ଡଗିରି, ଚନ୍ଦକା ଓ ନୂଆପଲ୍ଲୀ। ସେହିପରି ଥାନାରେ ସ୍ମାର୍ଟସିଟି ଡିଜିଟାଲ୍ ଓ୍ଵାଲ୍ ଲଗାଯିବ। ଏହା ମାଧ୍ୟମରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ପାଖକୁ ସ୍ବୟଂଚାଳିତ ବ୍ୟବସ୍ଥାରେ ଅନଲାଇନ୍ ଚାଲାଣ ଯିବ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଟ୍ରାଫିକ୍-୨ ଥାନା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୧୯ ଅଗଷ୍ଟ ୨୭ ତାରିଖରେ ୧ଏକର ଜମି ମିଳିଥିଲା। ୨୦୨୦ ଜୁଲାଇ ୨୪ ତାରିଖରେ କାର୍ଯ୍ୟାଦେଶ ମିଳିଥିଲା। ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଏହି କୋଠା ତିଆରି କରୁଥିବା ବେଳେ ବ୍ୟୟ ଅଟକଳ ୧ କୋଟି ୬୪ ଲକ୍ଷ ଟଙ୍କା ରହିଛି। ଫୁଲେଶ୍ବରୀ ବସ୍ତିରେ ଥାନା ନିର୍ମାଣ ପାଇଁ ଜାଗା ଚିହ୍ନଟ ହେବା ପରେ ଅନେକ ସମସ୍ୟା ସାମ୍ନାକୁ ଆସିଥିଲା। ଏହି ଜମି ଜବରଦଖଲ ଥିବା ବେଳେ ଟ୍ରାଫିକ୍ ପକ୍ଷରୁ ବିଏମ୍ସିକୁ ଚିଠି ଲେଖାଯାଇଥିଲା। ଏହା ପରେ ଉଚ୍ଛେଦ ହୋଇଥିଲା। ଜଙ୍ଗଲ ଅଞ୍ଚଳରେ ଆସୁଥିବାରୁ ୬୭ଟି ଗଛ କାଟିବା ଲାଗି ସିଟି ଡିଏଫ୍ଓଙ୍କ ଅନୁମତି ଲୋଡ଼ିଥିଲେ ଟ୍ରାଫିକ୍ ଏସିପି ସ୍ବସ୍ତିକ ପଣ୍ଡା। ମଞ୍ଜୁରି ମିଳିବା ପରେ ଗଛ କଟା ଯାଇ ନିର୍ମାଣ କାର୍ଯ୍ୟ ହୋଇଥିଲା।