ସଂସ୍କୃତି ଚର୍ଚ୍ଚା: ଦ୍ବିତୀୟ ବିଶ୍ବଯୁଦ୍ଧର ଗୁରୁତ୍ବପୂର୍ଣ୍ଣ ରଙ୍ଗମଞ୍ଚ ଥିଲା ଓଡ଼ିଶା

ଓଡ଼ିଆ ରାଜା, ଜମିଦାରଙ୍କ ପଇସାରେ କିଣାଯାଇଥିଲା ବିମାନ

ଭୁବନେଶ୍ବର: ଦ୍ବିତୀୟ ବିଶ୍ବଯୁଦ୍ଧର ଗୁରୁତ୍ବପୂର୍ଣ୍ଣ ରଙ୍ଗମଞ୍ଚ ଥିଲା ଓଡ଼ିଶା। ଏହା ଓଡ଼ିଶାକୁ ବହୁ ଭାବେ ପ୍ରଭାବିତ କରିଥିଲା। ସେ ସମୟରେ ଗଡ଼ଜାତ ରାଜାମାନଙ୍କର ରାଜଭକ୍ତିର ବିସ୍ଫୋରଣ ଘଟିଲା। ଜର୍ମାନୀର ବିମାନ ବୋମା ବର୍ଷଣ କରିବାରୁ ବ୍ରିଟିସ୍‌ମାନେ ବି ଏହା କିଣିବାକୁ ଚାହିଁଲେ। ତତ୍କାଳୀନ ଗଭର୍ଣ୍ଣର ସାର୍‌ ଜନ୍‌ ଅଷ୍ଟିନ୍‌ ହବାକ୍‌ଙ୍କ ସମୟରେ ଓଡ଼ିଆ ରାଜା ଓ ଜମିଦାରଙ୍କ ପଇସାରେ ୪ଟି ବିମାନ କିଣାଯାଇଥିଲା। ସେଥିମଧ୍ୟରୁ ପାରଳାଖେମୁଣ୍ଡିର ରାଜା ଏକୁଟିଆ ଗୋଟେ ବିମାନର ପଇସା ଦେଇଥିଲେ। ବ୍ରିଟିସ୍‌ ସରକାରର ଏତେ ଭକ୍ତ ଥିଲେ ଯେ ସେଇ ବିମାନକୁ ସେ ଜନ୍‌ ହବାକ୍‌ଙ୍କ ନାମରେ କରିବାକୁ ସର୍ତ ରଖିଥିଲେ। ପରବର୍ତୀ ସମୟରେ ୧୦ଟି ବିମାନ ଓଡ଼ିଆଙ୍କ ପଇସାରେ କିଣାଯାଇଥିଲା। ରାଜାମାନେ ବି ଯୁଦ୍ଧ ପାଇଁ ଜବରଦସ୍ତ ଚାନ୍ଦା ଆଦାୟ କରୁଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ‘ଦ୍ବିତୀୟ ବିଶ୍ବଯୁଦ୍ଧ ଓ ଓଡ଼ିଶା’ ସଂକ୍ରାନ୍ତରେ ଗବେଷଣାମୂଳକ ମତ ରଖି ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ, ଚାରବାଟିଆ ଓ ଅମର୍ଦ୍ଦା ରୋଡ୍‌ ସମେତ ୧୭ଟି ସ୍ଥାନରେ ଏୟାରଷ୍ଟ୍ରିପ୍‌ ତିଆରି ହୋଇଥିଲା। ୱାର୍‌ ଟେକ୍ନିସିଆନ୍‌ ତଥା ଯୁଦ୍ଧ ବ୍ୟବହୃତ ଟ୍ୟାଙ୍କ ଓ ବିମାନ ମରାମତି ପାଇଁ କଟକ ଇଂଜିନିୟରିଂ ସ୍କୁଲ୍‌ ସେତେବେଳେ ସ୍ଥାପନ ହୋଇଥିଲା। ଏୟାରଷ୍ଟ୍ରିପ୍‌ ତିଆରି ସିନା ହୋଇଗଲା କିନ୍ତୁ ସେଠାରେ ଖଟିବା ପାଇଁ ଶ୍ରମିକ ମିଳୁନଥିଲେ। ତେଣୁ ଦେଶର ବିଭିନ୍ନ ଜେଲ୍‌ରେ ଥିବା ଅପରାଧୀ କଏଦୀମାନଙ୍କୁ ଆଣି ‌ସେଠାରେ କୁଲି ଭାବେ ନିୟୋଜିତ କରାଗଲା। ଚୌଦ୍ବାରର ଚାରବାଟିଆରେ ସେମାନଙ୍କୁ ଏକ ଗାଁ’ରେ ରଖାଯାଇଥିଲା। ମାତ୍ର ସେଇ ଅପରାଧୀ କୁଲିମାନେ ବାରମ୍ବାର ଗାଁ ଲୋକଙ୍କୁ ଲୁଟ୍‌ପାଟ ସହ ଗଣ୍ଡଗୋଳ କରୁଥିଲେ। ଏଭଳି ଗଣ୍ଡଗୋଳ ଲାଗି ରହିଥିବାରୁ ମହାତ୍ମା ଗାନ୍ଧୀ ସେତେବେଳେ ମୀରା ବେନ୍‌ଙ୍କୁ ଓଡ଼ିଶା ପଠାଇଲେ। ମୀରା ବେନ୍‌ ସେଠାକୁ ହରେକୃଷ୍ଣ ମହତାବଙ୍କ ସହ ଯାଇ ଏ ବାବଦରେ କମାଣ୍ଡରଙ୍କ ନିକଟରେ ଅଭିଯୋଗ କରିଥିଲେ। ଦିନେ ସେଇ କୁଲିମାନେ ଚୌଦ୍ବାରର ଗୋଟେ ଗାଁ’କୁ ସମ୍ପୂର୍ଣ୍ଣ ଭାବେ ଜାଳି ଦେଇଥିଲେ। ମୀରା ବେନ୍‌ ନିଜ ଆତ୍ମ ଜୀବନୀରେ ଏହାକୁ ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବେ ଉଲ୍ଲେଖ କରିଛନ୍ତି।

ଏୟାରଷ୍ଟ୍ରିପ୍‌ର କୁଲିମାନେ ଚୌଦ୍ବାରର ଏକ ଗାଁ’କୁ ଜାଳି ଦେଇଥିଲେ
ଏବେ ବି ମହଜୁଦ ଅଛି ୱାର୍‌ ୱାଚ୍‌ ବେସ୍‌ରୁ ଆସିଥିବା ଟେଲିଗ୍ରାମ

ସେ ସମୟରେ ଜାପାନର ଆକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ରିଟିସ୍‌ମାନେ ଓଡ଼ିଆଙ୍କ ଡଙ୍ଗାଗୁଡ଼ିକ କଣା କରିଦେଇଥିଲେ। କେନାଲ୍‌ଗୁଡ଼ିକୁ ଶୁଖାଇ ଦେଲେ। ବ୍ରିଜ୍‌ ଭାଙ୍ଗି ଦେଇଥିଲେ। ତେଣୁ ଦିନେ ଓଡ଼ିଶାବାସୀ ବ୍ରିଟିସ୍‌ଙ୍କୁ ମା ବାପ୍‌ ସରକାର ବୋଲି କହୁଥିବା ବେଳେ ଓଡ଼ିଶା ବାସୀଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦିଆଯାଉଥିବାରୁ ଓଡ଼ିଆଙ୍କ ମତ ବଦଳିଲା। ସେ ଏକଥା ବି କହିଛନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସଂକ୍ରାନ୍ତରେ ଅଭିଲେଖାଗାରରେ ସଂରକ୍ଷିତ ୧୯୪୨ ମସିହା ଏପ୍ରିଲ୍‌ ୬ ତାରିଖର ଏକ ଟେଲିଗ୍ରାମ ବହୁତ ମହତ୍ତ୍ବ ରଖୁଛି। ୱାର୍‌ ୱାଚ୍‌ ବେସ୍‌ରେ ଜଗିଥିବା ଜଣେ ସୈନିକ ଟେଲିଗ୍ରାମରେ ଜଣାଇଥିଲେ ଯେ ମତେ ଗତ ରାତିରେ ଗୋଟେ ପ୍ରଚଣ୍ଡ ଶବ୍ଦ ଶୁଣାଗଲା, ପେଟ୍ରୋଲ୍‌ ଗନ୍ଧ ଆସିଲା ଓ ଗୁଡ଼ାଏ ବିମାନ ବୁଡ଼ିଯିବା ଭଳି ଅନୁଭବ ହେଲା। ସେଇ ଟେଲିଗ୍ରାମ ପରେ ଇନ୍‌ସପେକ୍ଟର ଜେନେ‌ରାଲ୍‌ ତତ୍କାଳୀନ ଜିଲ୍ଲାପାଳଙ୍କୁ ୩ ପୃଷ୍ଠାର ରିପୋର୍ଟ ଦେଇଥିଲେ। ପରେ ଜଣାପଡ଼ିଥିଲା ଯେ ବ୍ରିଟିସ ସରକାରଙ୍କ ୬ରୁ ୭ଟା ଜାହାଜକୁ ଜାପାନିଜମାନେ ବୋମା ପକେଇ ଧ୍ବଂସ କରିଦେଇଛନ୍ତି। ସେତେବେଳେ ବର୍ଣ୍ଣ ବୈଷମ୍ୟର ଆଭାସ ମିଳିସାରିଥିଲଶ। କଟକ ହସ୍ପିଟାଲ୍‌ରେ ‌ଗୋରା, ଭାରତୀୟ ଓ ନିଗ୍ରୋ ସୈନିକଙ୍କୁ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ରଖାଯାଇଥିଲା। ବ୍ରିଟିସ୍‌ କମିସନର ସେଠାକୁ ଯାଇ ଗୋରାମାନଙ୍କୁ ସିଗାରେଟ୍‌ ଦିଆଯାଇଥିଲେ ହେଁ ନିଗ୍ରୋ ଆମେରିକୀୟ ସୈନିକଙ୍କୁ ଏକ ବିଡ଼ି ଦେଇଥିଲେ। ‌ଫଳରେ ଏହା ସେ କମିସନରଙ୍କ ମୁହଁକୁ ଫୋପାଡ଼ି ଦେଇଥିଲେ। ବିଶିଷ୍ଟ ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଆତ୍ମଜୀବନୀରୁ ଉଦ୍ଧାର କରି କହିଲେ ଯେ, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଛତ୍ରବଜାରର ଧାନ ବିଲ ଉପରେ ଜାପାନର ଏକ ବିମାନ ଉଡ଼ି ଅତିକ୍ରମ କରିବା ବେଳେ ଆଠଗଡ଼ ରାଜାଙ୍କ ବିମାନ ରହଣୀ ସ୍ଥଳରେ ଅଟକି ସେଠାରେ ତେଲ ପକାଇ ଯାଇଥିଲେ। ତେଣୁ ଆଠଗଠ ରାଜାଙ୍କୁ ଦେଶାନ୍ତର କରାଯାଇଥିଲା। ତେବେ ଏହା ଉପରେ ସତ୍ୟସତ୍ୟର ଗବେଷଣା ଆବଶ୍ୟକ ବୋଲି ସେ କହିଥିଲେ। ସେତେବେଳେ ଗାଈ ଚରାଳିଙ୍କୁ ଗୁଳି କରି ମାରି ଦିଆଯାଇଥିଲା। ଖବରକାଗଜ ଉପରେ ମଧ୍ୟ ବହୁ କଟକଣା ଥିଲା। ଏମିତି ସମୟ ଆସିଥିଲା ଯେ ବିନା ସମ୍ପାଦକୀୟରେ ଖବରକାଗଜ ବାହାରୁଥିଲା। ସେତେବେଳେ ଓଡ଼ିଶାର ବହୁ ଲୋକ ବର୍ମାରେ ଥିଲେ ହେଁ ଜାପାନିଜ୍‌ମାନେ ମାଡ଼ି ଆସିବାରୁ ସେମାନେ ଓଡ଼ିଆଙ୍କୁ ବାହାର ‌କରିଦେଲେ। ତେଣୁ ଦ୍ବିତୀୟ ବିଶ୍ବଯୁଦ୍ଧର କରୁଣ ଅନୁଭୂତିକୁ ନେଇ ସେମାନେ ଫେରିଥିଲେ। ସେ ସମୟରେ ଅଭାବ ଅନଟନ ଏମିତି ଗ୍ରାସିଥିଲା ଯେ ଆଲ୍‌ପିନ୍ ମଧ୍ୟ ମିଳୁନଥିଲା। କାଗଜ ଏତେ ଦୁଷ୍ପ୍ରାପ୍ୟ ହୋଇଗଲା ଯେ ଗୋଟେ ଲଫାପା ୮ଥର ବ୍ୟବହାର ହେଉଥିଲା। ଚାଉଳ ୧ଟଙ୍କାରେ ୮ ସେର ମିଳୁଥିଲେ ହେଁ ୪ ସେର ମିଳିଲା। ତେଣୁ ଧୀ‌ରେଧୀରେ ସବୁ ପରିବର୍ତନ ଘଟିଥିଲା। ବୋଲି ସେ କହିଥିଲେ। ଏହି ଅବସରରେ ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଓ ନିର୍ଦେଶକ ବିଜୟ ନାୟକ ଉପସ୍ଥିତ ଥିଲେ। ଅଭିଲେଖାଗାରର ଅଧୀକ୍ଷକ ଡ.ସେକ୍‌ ସୁଲେମାନ ଅଲ୍ଲୀ ପ୍ରାରମ୍ଭିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର