ସ୍ବପ୍ନ ଚୂରମାର କରି ଦେଇଛି ତୃପ୍ତି: ନିମ୍ନ ମଧ୍ୟବିତ୍ତ, ଗରିବ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି

ଋଣ ଶୁଝି ନ ପାରି ଆସାମରେ ଖଟିଲେ ଦାଦନ, ଓମ୍ ମାର୍କେଟିଂରୁ ଶ୍ରୀମୋଟର୍ସ: ୧୧ ବର୍ଷ ହେଲାଣି ଠକି ଚାଲିଛି

ଭୁବନେଶ୍ବର: ବୋଲେରୋ ଖଣ୍ଡେ କିଣି ବ୍ୟବସାୟ କରିବାକୁ ଲକ୍ଷ୍ୟ ଥିଲା। ଆଉ ସେଥିରେ ପରିବାର ଚଳାଇବାକୁ ଯୋଜନା କରିଥିଲେ। ନୂଆ ବୋଲେରୋ କିଣିବାକୁ ସମ୍ବଳ ନ ଥିବାରୁ ସେକେଣ୍ଡହ୍ୟାଣ୍ଡ ଗାଡ଼ି କିଣିବାକୁ ମନସ୍ଥ କରିଥିଲେ। ଖୋଜୁଖୋଜୁ ଅନଲାଇନ୍‌ରେ ସେକେଣ୍ଡ ହ୍ୟାଣ୍ଡ ବୋଲେରୋ ବିଜ୍ଞାପନ ଦେଖିଲେ। ଗଣପତି ମୋଟର୍ସର ମାଲିକ ତୃପ୍ତି ଦାସକୁ ଫୋନରେ ଯୋଗାଯୋଗ କଲେ। ବୋଲେରୋ କିଣିବା ପାଇଁ ଧାର ଉଧାର କରି ୪ ଲକ୍ଷ ୨୦ ହଜାର ଟଙ୍କା ଦେଲେ। କିନ୍ତୁ ଗାଡ଼ି ମିଳିଲାନି କି ଟଙ୍କା ବି ମିଳିଲାନି। ଋଣ ଭାର ବଢ଼ି ଚାଲିଲା। ପୂରା ବରବାଦ ହୋଇ ଦାଦନ ଖଟିବା ପାଇଁ ଆସାମ ଚାଲିଗଲେ। ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଏକଲବ୍ୟ ମହାନ୍ତିଙ୍କ ଦୁଃଖଭରା କାହାଣୀ।

ଏକଲବ୍ୟଙ୍କ କହିବା ଅନୁସାରେ, ୨୦୧୪ରେ ଧଉଳି ଅଞ୍ଚଳର ଗଣପତି ମୋଟର୍ସରୁ ବୋଲେରୋ କିଣିବା ପାଇଁ ୪ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ। ବୋଲେରୋ ନ ମିଳିବାରୁ ସେ ଉକ୍ତ ସଂସ୍ଥାକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିଲେ। ଏ ସଂକ୍ରାନ୍ତରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ହସ୍ତକ୍ଷେପ ପରେ ସେ ୩ଲକ୍ଷ ୨୫ ହଜାର ଟଙ୍କା ଫେରି ପାଇଥିଲେ। କିନ୍ତୁ ବାକି ୯୫ ହଜାର ଟଙ୍କା ମିଳି ନଥିଲା। ୨୦୧୫ରେ ବାକି ଟଙ୍କା ମାଗିବାକୁ ଆସିଥିବା ବେଳେ ତୃପ୍ତି ବାଉନ୍ସର ଲଗାଇ ନିସ୍ତୁକ ପିଟିଥିଲା। କରଜରେ ବୁଡ଼ି ରହିଥିବା ଏକଲବ୍ୟ ଦେବାଳିଆ ହୋଇ ପଡ଼ିଥିଲେ। ଏପରିକି ଆତ୍ମହତ୍ୟା କରିବାକୁ ଥରେ ଦୁଇଥର ଚିନ୍ତା କରିଥିଲେ। ଶେଷରେ ଦାଦନ ଖଟିବାକୁ ଆସାମ ଚାଲି ଯାଇଥିଲେ। ଏବେ ତୃପ୍ତି ଧରାପଡ଼ିବା ପରେ ସେ ବଡ଼ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ କେବଳ ଏକଲବ୍ୟଙ୍କ କାହାଣୀ ନୁହେଁ, ଏମିତି ଶହଶହ ମଧ୍ୟବିତ୍ତ ଓ ଗରିବଙ୍କ ସ୍ବପ୍ନ ଚୂରମାର୍‌ କରିଦେଇଛି ଠକ ତୃପ୍ତି।

ପୁଣି ଫ୍ଲାଟରେ ଚଢ଼ଉ, ଶତକ ଆଡ଼କୁ ମୁହାଁଇଲାଣି ଅଭିଯୋଗ

ଆଜି ଦ୍ବିତୀୟଥର ପାଇଁ ବଡ଼ଗଡ଼ ଥାନା ପୁଲିସ ତୃପ୍ତିର ରଙ୍ଗବଜାରସ୍ଥିତ ଗତିକୃଷ୍ଣ ଫ୍ଲାଟରେ ଚଢ଼ଉ କରିଛି। ଚଢ଼ଉ ସମୟରେ ସେହି ଫ୍ଲାଟରୁ କିଛି କାଗଜପତ୍ର ଜବତ ହୋଇଛି। ଖୁବ୍‌ଶୀଘ୍ର ଆଉ କିଛି ସ୍ଥାନରେ ପୁଲିସ ଚଢ଼ଉ କରିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୋଗକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଠକେଇର ଶିକାର ହୋଇଥିବା ଆଉ କିଛି ବ୍ୟକ୍ତି ଆଜି ଅଭିଯୋଗ କରିଛନ୍ତି। ଏବେ ସୁଦ୍ଧା ଅଭିଯୋଗକାରୀଙ୍କ ସଂଖ୍ୟା ୭୦ ଟପିଯାଇଛି। ସାରା ରାଜ୍ୟରୁ ଅଭିଯୋଗକାରୀଙ୍କ ସୁଅ ଛୁଟୁଥିବା ବେଳେ ଏହି ସଂଖ୍ୟା ଶହେ ଆଡ଼କୁ ମୁହାଁଉଛି।

ଓମ୍ ମାର୍କେଟିଂରୁ ଶ୍ରୀମୋଟର୍ସ: ୧୧ ବର୍ଷ ହେଲାଣି ଠକି ଚାଲିଛି
ଗୋଟିଏ ପରେ ଗୋଟିଏ ସଂସ୍ଥା ନାଁ ବଦଳାଉଥିଲା ତୃପ୍ତି। ୨୦୧୦ରୁ ସେକେଣ୍ଡହ୍ୟାଣ୍ଡ ଚାରି ଚକିଆ ଗାଡ଼ି ବ୍ୟବସାୟ ଆରମ୍ଭ କରିଥିଲା। ପ୍ରଥମେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଓମ୍ ମାର୍କେଟିଂ ନାଁରେ ବ୍ୟବସାୟ କରୁଥିଲା। ସେଠାରେ ଏକାଧିକ ଠକେଇ ଅଭିଯୋଗ ପହଞ୍ଚିବା ପରେ ନାଁ ଓ ଠିକଣା ବଦଳାଇ ଧଉଳିକୁ ଆସି ଗଣପତି ମୋଟର୍ସ ନାଁରେ ସଂସ୍ଥା ଖୋଲି ସମାନ ବ୍ୟବସାୟ ଚଳାଇଥିଲା। ସେଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ପରେ ସଂସ୍ଥା ଭାଙ୍ଗି ଦେଇଥିଲା। ସମାନ ଢଙ୍ଗରେ ଠକେଇ କରିବା ପାଇଁ ମହାବୀର ମୋଟର୍ସ ନାଁରେ ସଂସ୍ଥା ଖୋଲି ଠକି ଚାଲିଥିଲା। ଥାନାରେ ଏକାଧିକ ଅଭିଯୋଗ ପହଞ୍ଚିବା ପରେ ତାକୁ ଭାଙ୍ଗି ଦେଇ ଏବେ ଶ୍ରୀ ମୋଟର୍ସ ନାଁରେ ସଂସ୍ଥା ଖୋଲିଥିଲା।

ସମ୍ବନ୍ଧିତ ଖବର