ଭୁବନେଶ୍ବର: ୧୯୮୦ ମସିହା ଆଡ଼କୁ ରାଜଧାନୀକୁ ଅଧିକ ବିକଶିତ କରିବା, ଶିଳ୍ପର ସହରରେ ପରିଣତ କରିବା ତଥା ଏଠାରେ ଅଧିକ ନିଯୁକ୍ତି ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ କସରତ ଆରମ୍ଭ ହୋଇଯାଇଥାଏ। ଏହି କ୍ରମରେ ସରକାର ‘ହଜାରେ ଦିନରେ ହଜାର ଶିଳ୍ପ’ ପ୍ରତିଷ୍ଠାର ନିଷ୍ପତ୍ତି ନେଇଥିଲେ। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ମଞ୍ଚେଶ୍ୱର ତଥା ରସୁଲଗଡ଼ ଶିଳ୍ପାଞ୍ଚଳ। ତେବେ ଶିଳ୍ପାଞ୍ଚଳ ଓ ଶିଳ୍ପ ସିନା ପ୍ରତିଷ୍ଠା ହୋଇଗଲା, କିନ୍ତୁ ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ରହିବେ କିଭଳି? ଏଥିପାଇଁ ଏକ କଲୋନି ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା। ୧୯୮୪ ମସିହା ଆଡ଼କୁ ରସୁଲଗଡ଼ର ଏକ ପାର୍ଶ୍ବରେ ନିର୍ମାଣ ହୋଇଯାଇଥିଲା ‘ଗଡ଼ ଗୋପୀନାଥ ପ୍ରସାଦ କଲୋନି’ ଓରଫ୍‌ ‘ଜିଜିପି କଲୋନି’। ତେବେ ଏହି କଲୋନିର ଏଭଳି ନାମକରଣ କାହିଁକି ହୋଇଛି ଆସନ୍ତୁ ଜାଣିବା।

Advertisment

publive-image

ପଞ୍ଚସ୍ତରୀ ବର୍ଷର ରାଜଧାନୀ ପୁସ୍ତକରେ ବିଶିଷ୍ଟ ସଂସ୍କୃତି ଗବେଷକ ଗୋଲକ ବିହାରୀ ସିଂହ ଉଲ୍ଲେଖ କହିଛନ୍ତି, ଉତ୍କଳ ସାମ୍ରାଜ୍ୟର ଏକାମ୍ର ନଗରର ଭିତର ସୀମା ଭାବେ ଚିହ୍ନିତ ହେଉଥିବା ବଣ ଜଙ୍ଗଲ ଘେରା ପ୍ରଶସ୍ତ ଅଞ୍ଚଳକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଜା ଅନଙ୍ଗଭୀମଦେବ କେତେଗୁଡ଼ିଏ ଗଡ଼ ପ୍ରତିଷ୍ଠା କରିଥିଲେ। ତନ୍ମଧ୍ୟରୁ ‘ଗଡ଼ ଗୋପୀନାଥ ପ୍ରସାଦ’ ଥିଲା ଅନ୍ୟତମ ପ୍ରତିଷ୍ଠିତ ଗଡ଼। ପୂର୍ବର ଏହି ଗଡ଼ ତଥା ଏବେକାର ରସୁଲଗଡ଼ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଗୋପୀନାଥ ଦେବଙ୍କ ନାମାନୁସାରେ ନାମିତ ହୋଇଥିଲା ‘ଗଡ଼ ଗୋପୀନାଥ ପ୍ରସାଦ’। ସମୟକ୍ରମେ ଗଡ଼ଟି ଭାଙ୍ଗିଯିବା ସହ ଅଞ୍ଚଳଟି ଏକ ଲଟା ଗୁଳ୍ମ ବିଶିଷ୍ଟ ଜଙ୍ଗଲରେ ପରିଣତ ହୋଇ ‘ଡିହନଟା’ ନାମରେ ପରିଚିତ ହେବାକୁ ଲାଗିଲା। ଗଡ଼ର ଅନତି ଦୂରରେ ଥିବା ପାଇକ କ୍ଷତ୍ରୀୟ ଜନବସତିଟି ‘ରସୁଲଗଡ଼’ ଭାବେ ନାମିତ ହେବା ସହ ପ୍ରତିଷ୍ଠା ଅର୍ଜ୍ଜନ ପୂର୍ବକ ନଗରର ପ୍ରବେଶ ଦ୍ୱାର ଭାବେ ସ୍ୱୀକୃତି ଲାଭ କଲା। ଗ୍ରାମବାସୀମାନେ ଗାଁର ପୂର୍ବ ଦିଗରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଗଡ଼ ତଥା ଜଙ୍ଗଲକୁ ଶ୍ମଶାନ ଭାବେ ବ୍ୟବହାର କରିବାକୁ ଲାଗିଲେ। ସମୟକ୍ରମେ ସେଠାରେ ଥୋରିଆ ସମ୍ପ୍ରଦାୟର କିଛି ଲୋକ ବସବାସ କରିବା ଆରମ୍ଭ କଲେ, ଯେଉଁମାନଙ୍କର ବୃତ୍ତି ଥିଲା ବଳଦ ଗାଡ଼ିରେ ଜିନିଷପତ୍ର ବୁହାବୋହି କରିବା।

publive-image

୧୯୮୦ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହଜାରେ ଦିନରେ ହଜାର ଶିଳ୍ପ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ରାଜଧାନୀ ଉପକଣ୍ଠରେ ଗଢ଼ି ଉଠିଥିଲା ମଞ୍ଚେଶ୍ୱର ତଥା ରସୁଲଗଡ଼ ଶିଳ୍ପାଞ୍ଚଳ। ସେହି ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଭୁବନେଶ୍ୱର ବାହାରର ଲୋକଙ୍କ ରହିବା ପାଇଁ ଏଠାରେ ଏକ କଲୋନି କରାଯିବାକୁ ପ୍ରସ୍ତୁତି ଆରମ୍ଭ ହେଲା। ‘ରାଜ୍ୟ ଗୃହ ନିର୍ମାଣ ବୋର୍ଡ’ ପକ୍ଷରୁ ୧୯୮୧ରୁ ଆରମ୍ଭ ହୋଇଥିବା ଏହି କଲୋନିଟି ୧୯୮୪ ମସିହାରେ ବାସୋପଯୋଗୀ ହେବା ସହ ‘ଗଡ଼ ଗୋପୀନାଥ ପ୍ରସାଦ କଲୋନି’ ଓରଫ୍‌ ‘ଜିଜିପି କଲୋନି’ ନାମରେ ପରିଚିତି ଲାଭ କଲା। ପ୍ରାୟ ଦଶ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଆବାସିକ କଲୋନିଟି ପାଞ୍ଚ ହଜାର ଲୋକଙ୍କ ରହଣି ପାଇଁ ପରିକଳ୍ପିତ ହୋଇଥିଲା।