ଅଖାରୁ ୩୦ ଲକ୍ଷ ଜବତ ଘଟଣାର ଗୁମର ଫିଟୁଛି: ରାଜ୍ୟସାରା ମାଡ଼ିଛି ନକଲି ଜର୍ଦ୍ଦା କାରବାର ଚେର

ଜଗତପୁରରେ ନକଲି ପାନମସଲା କାରଖାନାରେ ଚଢ଼ଉ, ବନ୍ଦ ଆଇସକ୍ରିମ୍‌ କମ୍ପାନି ପଛପଟେ ଚାଲୁଥିଲା ନକଲି କାରଖାନା

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ୍‌ ଅଖାରୁ ଜବତ କରିଥିବା ୩୦ ଲକ୍ଷ ଟଙ୍କା ମାମଲାର ଗୁମର ଖୋଲିବାରେ ଲାଗିଛି। ମାତ୍ର ୩୦ ଲକ୍ଷ ଟଙ୍କା ଜବତ ହୋଇଥିଲେ ବି ଏହା ପଛରେ କୋଟି କୋଟି ଟଙ୍କାର କଳା କାରବାର ଜଡ଼ିତ ରହିଛି। ନକଲି ଜର୍ଦ୍ଦା କାରବାର ସମ୍ପୃକ୍ତି ଜଣାପଡ଼ିଛି। ଏହି କଳା କାରବାରର ଚେର ରାଜ୍ୟ ସାରା ମାଡ଼ି ଯାଇଛି ବୋଲି ଜଣାପଡ଼ିଲାଣି। ଗତକାଲି ଏହି ଲିଙ୍କ୍‌ରେ ଥିବା କଟକ ଟାଙ୍ଗୀରେ ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ପୁଲିସ ସିଲ୍‌ କରିଥିବା ବେଳେ ଆଜି ଜଗତପୁରରେ ଆଉ ଏକ ଫ୍ୟାକ୍ଟ୍ରି ସିଲ୍‌ କରାଯାଇଛି। ଗତକାଲିର ଚଢ଼ଉରେ ପୁଲିସ ଦୁଇ ଜଣଙ୍କୁ ଧରିଥିଲା। କିନ୍ତୁ ଆଜିର ଚଢ଼ଉରେ ପୁଲିସ ଜଣେ ହେଲେ ବି କାହାକୁ ଧରିବାରେ ସକ୍ଷମ ହୋଇପାରିନାହିଁ। ୩୦ ଲକ୍ଷ ଟଙ୍କା ଜବତ ହେବା ପରେ ପୁଲିସ ତଦନ୍ତ ଆଳରେ ବେଶ୍‌‌ କିଛି ଦିନ ଢିଲା ମାରିବାରୁ ଏହି କଳା କାରନାମା ପଛରେ ଥିବା ଖଳନାୟକମାନେ ଖସିଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଆର୍ଥିକ କାରବାରର ତଦନ୍ତ ନିଜ ପରିସରଭୁକ୍ତ ନୁହେଁ କହି କମିସନରେଟ୍‌ ପୁଲିସ ମାମଲାକୁ ଆୟକର ବିଭାଗ ହାତରେ ଛାଡ଼ି ଖସି ଯାଉଥିଲା। ତେଣୁ ଏହି ମାମଲାରେ ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହା ପଛରେ ଥିବା ବଡ଼ବଡ଼ିଆଙ୍କୁ ସୁରକ୍ଷା ଦେବାକୁ ଯାଇ ପୁଲିସ ଜାଣି ଜାଣି ଏଭଳି ଢିଲା ମାରିଥିଲା ବୋଲି ଚର୍ଚ୍ଚା ହେଲାଣି। ଏହି ମାମଲାର ଖୋଳତାଡ଼ରୁ ବଡ଼ କାରବାରର ରହସ୍ୟ ପଦାକୁ ଆସିଛି। କେବଳ ନିର୍ଗୁଣ୍ଡି କିମ୍ବା ଜଗତପୁରରେ ନୁହେଁ, ବରଂ ଜଟଣୀ ଓ ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ନକଲି କାରବାରର ସନ୍ଧାନ ମିଳିଛି। କିନ୍ତୁ ପୁଲିସ ପ୍ରଥମରୁ ଢିଲା ମାରିଥିବାରୁ ସଫଳତା ମିଳିବା ସମ୍ଭାବନା କ୍ଷୀଣ ହୋଇ ପଡ଼ିଛି। ନିକଟ ଅତୀତରେ ବାଲିପାଟଣା ସମେତ ଜଟଣୀ ଓ ଅନ୍ୟାନ୍ୟ ଜାଗାରେ ପୁଲିସ ଚଢ଼ଉ କରି ନକଲି ଜର୍ଦ୍ଦା କାରଖାନା ଠାବ କରିଥିଲା। ସେହି ମାମଲାରେ ମଧ୍ୟ ବଡ଼ବଡ଼ିଆଙ୍କୁ ପୁଲିସ ଗିରଫ କରିପାରିନାହିଁ। କେବଳ କେତେକ ତଳିଆ କର୍ମଚାରୀଙ୍କୁ ଗିରଫ କରି ପୁଲିସ ବସି ଯାଇଛି। ସେହିଭଳି ଏହି ମାମଲାରେ ମଧ୍ୟ ୩୦ ଲକ୍ଷ ଟଙ୍କା ଆଣି ଆସିଥିବା ଯୁବକକୁ ପୁଲିସ ଛାଡ଼ି ଦେଇଛି ଓ ଏଜେଣ୍ଟଙ୍କୁ ମଧ୍ୟ ପଚରାଉଚରା କରିନାହିଁ।

ସୂଚନାଯୋଗ୍ୟ, ଗତ ୧୯ ତାରିଖ ଦିନ ଅଖା ବ୍ୟାଗ୍‌ରେ ୩୦ ଲକ୍ଷ ଟଙ୍କା ଧରି ପାରଳାଖେମୁଣ୍ଡିରୁ ଭୁବନେଶ୍ବର ଫେରୁଥିବା ଯାଜପୁର ଛତିଆ ଅଞ୍ଚଳର ମହାବୀର ପ୍ରସାଦ ଦାସକୁ ଖଣ୍ଡଗିରି ପୁଲିସ ଧରିଥିଲା। ସେ ଜୟଦେବ ବିହାରଛକସ୍ଥିତ ହୋଟେଲ କଣ୍ଟ୍ରି ଷ୍ଟାଇଲ୍‌ର ମାଲିକ ପ୍ରଳୟ ପାଢ଼ୀଙ୍କ ପାଖରେ କାମ କରନ୍ତି। ପ୍ରଳୟ ପାନ ମସଲାର ସି ଆଣ୍ଡ ଏଫ୍‌ ଏଜେଣ୍ଟ ଅଟନ୍ତି। ଏହି ୩୦ ଲକ୍ଷ ଟଙ୍କା ଲିଙ୍କ୍‌ରେ ଗତକାଲି ଟାଙ୍ଗୀରେ ସିଲ୍‌ ହୋଇଥିବା ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରିର ମାଲିକ ହେଉଛନ୍ତି କ୍ଷୀରୋଦ କୁମାର ନାଥ। ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ମୁତାବକ, ନକଲି ଜର୍ଦ୍ଦା ଏହି ସବୁ ଫ୍ୟାକ୍ଟ୍ରିରେ ତିଆରି ‌ହୁଏ। ନକଲି ଜର୍ଦ୍ଦାକୁ ଏହି ଏଜେଣ୍ଟଙ୍କ ଜରିଆରେ ରାଜ୍ୟର ବିଭିନ୍ନ ସହରକୁ ପଠାଇ ଦିଆଯାଏ। ସେଥିରେ ମୋଟା ଅଙ୍କର ଅର୍ଥ ରୋଜଗାର ହୁଏ। ଜବତ ୩୦ ଲକ୍ଷ ଟଙ୍କା କେବଳ ଗଜପତି ଜିଲ୍ଲାରୁ ଆସୁଥିଲା। ତେଣୁ ସାରା ଓଡ଼ିଶାର ହିସାବ କଲେ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଅନ୍ୟପଟେ ନକଲି ଜର୍ଦ୍ଦା କାରବାରକୁ ନେଇ ଟାଙ୍ଗୀ ଓ ଜଗତପୁରରେ ଦୁଇଟି ମାମଲା ରୁଜୁ ହୋଇଛି। ସେହି ମାମଲାରେ ଏମାନଙ୍କର ସମ୍ପୃକ୍ତି ଥିବାରୁ ମାମଲାକୁ ଖଣ୍ଡଗିରିରୁ ସେହି ଦୁଇ ଥାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୩୦ ଲକ୍ଷ ଟଙ୍କାର ତଦନ୍ତ ଆୟକର ବିଭାଗ କରୁଛି। ଜବତ କାଗଜପତ୍ରର ଯାଞ୍ଚ ଚାଲିଛି।

ଜଗତପୁରରେ ନକଲି ପାନମସଲା କାରଖାନାରେ ଚଢ଼ଉ, ବନ୍ଦ ଆଇସକ୍ରିମ୍‌ କମ୍ପାନି ପଛପଟେ ଚାଲୁଥିଲା ନକଲି କାରଖାନା
କଟକ-ଜଗତପୁର, ଜଗତପୁର ନୂତନ ଶିଳ୍ପାଞ୍ଚଳସ୍ଥିତ ଫେଜ୍‌-୩ରେ ଚାଲୁଥିବା ଏକ ନକଲି ପାନମସଲା(ଜର୍ଦ୍ଦା) କାରଖାନାରେ ଆଜି ପୁଲିସ ଚଢ଼ଉ କରିଛି। ଚଢ଼ଉ ସମୟରେ ବିପୁଳ ପରିମାଣରେ କଞ୍ଚାମାଲ୍‌, ପ୍ରସ୍ତୁତ ମସଲା ଓ ମେସିନ ଜବତ କରାଯାଇଛି। ତେବେ, ନକଲି କାରଖାନାର ମାଲିକ ଓ କର୍ମଚାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି।

ମିଳିଥିବା ତଥ୍ୟ ମୁତାବକ, ଜଗତପୁରର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୩ର ଏକ ଅଚଳ ଆଇସକ୍ରିମ କମ୍ପାନି ପଛପଟ କୋଠାରେ ନକଲି ପାନମସଲା କମ୍ପାନି ଚାଲିଥିବା ନେଇ ପୁଲିସ ଖବର ପାଇଥିଲା। ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର ଓ କଟକ ଜୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍‌ ସେଠାରେ ଚଢ଼ଉ କରିବା ପାଇଁ ପହଞ୍ଚିଥିଲା। ସେତେବେଳକୁ କାରଖାନାର ମାଲିକ ଓ କର୍ମଚାରୀମାନେ ଫେରାର୍‌ ହୋଇଯାଇଥିଲେ। ପୁଲିସ ଟିମ୍‌ ସେଠାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନମ୍ବର-୧ ବ୍ରାଣ୍ଡ୍‌ ପ୍ରିଣ୍ଟ୍‌ ଥିବା ପାନମସଲା, କଞ୍ଚାମାଲ, ବ୍ୟବହାର ହେଉଥିବା‌ କେମିକାଲ ଏବଂ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମେସିନ ଜବତ କରିଥିଲା। ଜବତ କଞ୍ଚାମାଲ ମଧ୍ୟରେ ଅଳେଇଚ, ଗୁଜୁରାତି ଗୁଣ୍ଡ, ଗୁଆ, ମୁଲତାନ ମାଟି, ଜର୍ଦା ସାମଗ୍ରୀ ଥିବା ୪୦ରୁ ଅଧିକ ବସ୍ତା ତଥା ପ୍ରସ୍ତୁତ ହୋଇଥିବା ବିପୁଳ ପରିମାଣ ମସଲା ମିଳିଥିଲା।

ଏଠାରେ ପ୍ରସ୍ତୁତ ମସଲା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା‌ ପଶ୍ଚିମବଙ୍ଗକୁ ବିକ୍ରି ପାଇଁ ପଠାଯାଉଥିବା ପୁଲିସକୁ ସୂଚନା ମିଳିଛି। ପୁଲିସ ତଦନ୍ତ ସମୟରେ ଏହି ପାନମସଲା କାରଖାନାର କୌଣସି ଟ୍ରେଡିଂ ଲାଇସେନ୍ସ ଓ ବ୍ୟାଚ ନମ୍ବର ନଥିବା ଜଣାପଡ଼ିଛି। ସାମଗ୍ରୀର ପ୍ରସ୍ତୁତି ଓ ଏକ୍ସପାୟା‌ରି ତାରିଖ ଲେଖା ନଥିବାରୁ ଏହା ସମ୍ପୂର୍ଣ୍ଣ ବେଆଇନ କାରଖାନା ବୋଲି ପ୍ରମାଣ ମିଳିଛି। ଏ ସମ୍ପର୍କରେ ପୁଲିସ ଏକ ମାମଲା (୪୯୪/୨୦) ରୁଜୁ କରି ତଦନ୍ତ ଜାରି ରଖିଛି। ଖୁବ ଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ଆଇଆଇସି ରବୀନ୍ଦ୍ରନାଥ ମେହେର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର