ଭୁବନେଶ୍ବର: ନୂଆ ବର୍ଷ ନୁହେଁ କି ଉତ୍କଳ ଦିବସ। ତଥାପି ଫୁଲରେ ସଜେଇ ହେଲା ରାଜ୍ୟ ସଚିବାଳୟ। ମଙ୍ଗଳବାର ସଚିବାଳୟର ଫୁଲ ସଜା ଦେଖି ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭ କରି ଅଫିସର ସମସ୍ତେ ଚକିତ ହୋଇଥିଲେ। କେହି କହୁଥିଲେ ପଞ୍ଚାୟତି ରାଜ ଦିବସ ପାଇଁ ଏପରି ସଜା ହୋଇଥିବ, ଆଉ କେହି ପୁଣି କହୁଥିଲେ ୫ ବର୍ଷ ତଳେ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରାଯାଇଥିବାରୁ ଏ ସଜବାଜ।

Advertisment

ମଙ୍ଗଳବାର ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସରକାରୀ ଛୁଟି ଦିନ ଥିଲା। ତାହା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍‌ଣ ୪ଟା ୧୫ରେ ମନ୍ତ୍ରୀ ପରିଷଦ ବୈଠକ ଡକାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବରୁ ମନ୍ତ୍ରୀମାନେ ପହଞ୍ଚିଯାଇଥିଲେ। ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟରେ ମୁଖ୍ୟମନ୍ତ୍ରୀ ପହଞ୍ଚିଲା ପରେ ବୈଠକ ଆରମ୍ଭ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ଶାସନର ଶେଷ ମନ୍ତ୍ରୀ ପରିଷଦ ବୈଠକ ଥିବାରୁ ସ୍ବାଭାବିକ ଭାବେ ସାରା ରାଜ୍ୟର ନଜର ତାହା ଉପରେ ରହିଥିଲା। କିନ୍ତୁ ସଚିବାଳୟରେ ବେଶି ଚର୍ଚ୍ଚା ଥିଲା ସାଜସଜାକୁ ନେଇ। ସଚିବାଳୟ ମୁଖ୍ୟ ପ୍ରବେଶ ପଥରେ ବାହାଘର ତୋରଣ ପରି ଫୁଲ ସଜା ହୋଇଥିଲା। ପୁଣି ସବୁଜ ରଙ୍ଗର ନୂଆ ମ୍ୟାଟ୍‌ ପଡ଼ିଥିଲା। ଗତ ପାଞ୍ଚ ବର୍ଷ ଭିତରେ ସରକାର ରାଜ୍ୟବାସୀଙ୍କୁ ଦେଇଥିବା ବିଭିନ୍ନ ଯୋଜନା ଓ ଉପଲବ୍ଧି ବିଷୟରେ ଫଟୋ ସମ୍ବଳିତ ଷ୍ଟାଣ୍ଡି ରଖାଯାଇଥିଲା। ସେହିପରି ତଳ ମହଲାରୁ ତୃତୀୟ ମହଲା ପର୍ଯ୍ୟନ୍ତ ପାହାଚ ପାଖରେ ଖୁନ୍ଦି ଦିଆଯାଇଥିଲା ଦେଶୀବିଦେଶୀ ଫୁଲ। ଯିଏ ସେହିପଟେ ଯାଉଥିଲେ, ଫୁଲର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ କିଛି ସମୟ ଠିଆ ହେବାକୁ ବାଧ୍ୟ ହେଉଥିଲେ। ଏ ବର୍ଷ ହଠାତ ପଞ୍ଚାୟତିରାଜ ଦିବସରେ ସଚିବାଳୟ ଭିତରେ କାହିଁକି ଏମିତି ସାଜସଜା ହୋଇଛି ବୋଲି କେହି ବୁଝିପାରୁ ନ ଥିଲେ। ଖୋଦ୍ ମନ୍ତ୍ରୀମାନେ ଏ ସାଜସଜା ଦେଖି ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଥିଲେ। ତେବେ ଆଜି ଛୁଟି ଥିବାରୁ ସଚିବାଳୟର କର୍ମଚାରୀମାନେ ଏହି ସାଜସଜା ଦେଖିବାରୁ ବଞ୍ଚିତ ହୋଇଥିଲେ।