ସଚିବାଳୟ-ବିଧାନସଭାକୁ ଯୋଡ଼ିବ ଓ୍ଵାକ୍‌ େଓ୍ଵ

ଭୁବନେଶ୍ୱର: ସଚିବାଳୟ ଓ ବିଧାନସଭାକୁ ଯାତାୟାତ କରିବାକୁ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହି ଦୁଇଟି ବିଲ୍‌ଡିଂ ମଧ୍ୟରେ ଯାତାୟାତ କରିବାକୁ ଏକ ଓ୍ଵାକ୍‌ େଓ୍ଵ ନିର୍ମାଣ କରାଯିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ସମୟରେ ବିଭିନ୍ନ ବିଭାଗର ସଚିବଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ସମୟରେ ବିଧାନସଭାରେ ଉପସ୍ଥିତ ରହିବାକୁ ପଡ଼ିଥାଏ। ପ୍ରଶ୍ନକାଳ ସମୟରେ ଅଧିକାରୀମାନେ ବି ଉପସ୍ଥିତ ହୋଇଥାନ୍ତି। ଏହାବାଦ୍‌ ସଚିବାଳୟରେ ନିୟମିତ କାର୍ଯ୍ୟ ଓ ବୈଠକରେ ଯୋଗଦେବାକୁ ପଡ଼ିଥାଏ। ତେଣୁ ଅଧିକାରୀମାନଙ୍କୁ ବିଧାନସଭା ପାସ୍‌ କରିବା ସହ ସଚିବାଳୟ ମାର୍ଗ ରାସ୍ତା ଦେଇ ବିଧାନସଭାକୁ ଯିବାକୁ ପଡ଼ିଥାଏ।   କେବଳ ଅଧିକାରୀମାନେ ନୁହେଁ ମନ୍ତ୍ରୀ, ବିଧାୟକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ଅଧିବେଶନ ସମୟରେ ସଚିବାଳୟକୁ ଆସିବାକୁ ପଡ଼ିଥାଏ। ଏଥିରେ ବହୁ ସମୟ ଯାଉଥିବାରୁ ବିଧାନସଭା ଓ ସଚିବାଳୟକୁ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏକ ପ୍ରଶସ୍ତ ଓ୍ଵାକ୍‌ େଓ୍ଵ ନିର୍ମାଣ କରାଯିବ। ଏହାଦ୍ୱାରା ସଚିବାଳୟରୁ ବିଧାନସଭାକୁ ଚାଲି ଚାଲି ଯାଇ ହେବ। ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆର୍‌.ଏନ୍‌ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସଚିବାଳୟ ଓ ବିଧାନସଭାକୁ ଯୋଡ଼ିବା ପାଇଁ ଏକ ସୁନ୍ଦର ଓ୍ଵାକ୍‌ େଓ୍ଵ ନିର୍ମାଣ କରାଯିବ। ଏହାର ଦୁଇ ପାର୍ଶ୍ୱରେ ସୁନ୍ଦର ଗଛ, ଲ୍ୟାଣ୍ଡ ସ୍କେପ୍‌ ରହିବ। ଉପରେ ବିମାନବନ୍ଦରରେ ଯେପରି ଛାତ ପଡ଼ିଛି ସେହିପରି ପଡ଼ିବ। ଏହି ଓ୍ଵାକ୍‌ େଓ୍ଵ ପାଇଁ ଡିଜାଇନ୍‌ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହିଁ ଏହାର ନିର୍ମାଣ କରାଯିବ।

ଶ୍ରୀ ପ୍ରଧାନଙ୍କ କହିବାନୁଯାୟୀ, ଏଥିପାଇଁ ଟେଣ୍ଡର ଡକାଯାଇଥିବାବେଳେ ଏହା ସିଙ୍ଗିଲ୍‌ ଟେଣ୍ଡର ହୋଇଥିଲା। ତେଣୁ ପୁଣି ଥରେ ନୂଆ ଟେଣ୍ଡର ଡକାଯାଇଛି। ଏହି ଓ୍ଵାକ୍‌ େଓ୍ଵ ପାଇଁ ୪୫ଲକ୍ଷ ୩ହଜାର ୫୫୯ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି। ଅପରପକ୍ଷେ ପୂର୍ବରୁ ଏହାର ଖର୍ଚ୍ଚ ଅଟକଳ ପ୍ରାୟ ୩୬ଲକ୍ଷ ଟଙ୍କା ଥିବାବେଳେ ଏବେ ଏହା କିପରି ଆଉ ୯ଲକ୍ଷ ଟଙ୍କା ବଢ଼ିଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୂର୍ତ୍ତ ବିଭାଗ ଏହି ଓ୍ଵାକ୍‌ େଓ୍ଵ ଡିଜାଇନ୍‌ ପ୍ରସ୍ତୁତ କରିଥିବାବେଳେ ଏହା କିପରି ହେବ, କ’ଣ କ’ଣ ସୁବିଧା ରହିବ ସେନେଇ ଆସନ୍ତା ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଆଗରେ ପାଓ୍ଵାରପଏଣ୍ଟ ଉପସ୍ଥାପନ କରିବାକୁ କୁହାଯାଇଛି।

ସେହିପରି ସଚିବାଳୟ ପଛ ପାର୍ଶ୍ୱରେ ହେବାକୁ ଥିବା ସମନ୍ଵିତ ପାର୍କିଂ ଷ୍ଟାଣ୍ଡ (ଦୁଇ ଚକିଆ ଯାନ ପାଇଁ), ନିର୍ମାଣ ହୋଇଥିବା ବହୁତଳ କୋଠା (ନୂଆ ନ’ତାଲା), ସଚିବାଳୟ ମଧ୍ୟରେ ନିର୍ମାଣ ହେଉଥିବା କନଭେନ୍‌ସନ୍‌ ହଲ୍‌ ନେଇ ମୁଖ୍ୟ ସଚିବଙ୍କ ଆଗରେ ପାଓ୍ଵାରପଏଣ୍ଟ ଉପସ୍ଥାପନ କରିବାକୁ କୁହାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ଶେଷ ସୁଦ୍ଧା ଏହି କନଭେନ୍‌ସନ୍‌ ସେଣ୍ଟର୍‌ ନିର୍ମାଣ କାର୍ଯ୍ୟ ଶେଷ ହେବ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ଶାସନ ସଚିବ ଏହି ସମସ୍ତ ପ୍ରକଳ୍ପର ଅଗ୍ରଗତି ଦେଖିବା ପରେ ଏହା କେବେ ଉଦ୍‌ଘାଟନ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର