ଇନ୍ଦ୍ରଧନୁ ମାର୍କେଟ୍‌ରେ ଗୋଷ୍ଠୀ ବିବାଦ: ଘନଉଛି ନିର୍ବାଚନ ସଂକଟ

ଭୁବନେଶ୍ବର: ଗତ କିଛି ଦିନ ହେଲା ଇନ୍ଦ୍ରଧନୁ ମାର୍କେଟ୍‌ରେ ବ୍ୟବସାୟୀ ଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀମାନଙ୍କୁ ନେଇ ଗଠିତ ଦୁଇ ବିପରୀତ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି। ବିଶେଷକରି କର୍ମକର୍ତ୍ତା ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ଛକାପଞ୍ଝା ହୋଇ ରହୁଥିବା ଜଣାପଡ଼ିଛି। କିଛି ବ୍ୟବସାୟୀ ବାଇ-ଲ’ ଅନୁସାରେ ସିଧାସଳଖ ଭୋଟ୍‌ ‌ଜରିଆରେ କର୍ମକର୍ତ୍ତା ନିର୍ବାଚନ ଚାହୁଥିବା ବେଳେ ପ୍ରତିପକ୍ଷ କେବଳ ଜୋନ୍‌ ମେମ୍ବରଙ୍କୁ ନେଇ ଭୋଟ୍‌ କରିବାକୁ ଉଦ୍ୟମ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲେ ମଧ୍ୟ ଦୁଇ ଗୋଷ୍ଠୀ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ବୈଠକ ବିଫଳ ହୋଇଛି।
ସୂଚନାଯୋଗ୍ୟ, ଇନ୍ଦ୍ରଧନୁ ମାର୍କେଟ୍‌ରେ ସ୍ଥାୟୀ ଓ ଅସ୍ଥାୟୀ ଦୋକାନ କରିଥିବା ପାଖାପାଖି ୨ହଜାରରୁ ଊର୍ଦ୍ଧ୍ବ ବ୍ୟବସାୟୀ ଅଛନ୍ତି। ୨୦୦୨ ମସିହା ପରଠାରୁ ଏହି ମାର୍କେଟ୍‌ ମହାସଂଘର କର୍ମକର୍ତ୍ତା ଚୟନ ହୋଇନାହିଁ। ଦୀର୍ଘ ୨୦ ବର୍ଷ ତଳର ନିର୍ବାଚିତ କର୍ମକର୍ତ୍ତା ଏ ପର୍ଯ୍ୟନ୍ତ ଦାୟିତ୍ବରେ ଅଛନ୍ତି।

ନିୟମାନୁସାରେ ପ୍ରତି ଦୁଇ ବର୍ଷରେ ଥରେ କର୍ମକର୍ତ୍ତା ଚୟନ ହେବା କଥା ଓ ବର୍ଷକୁ ଦୁଇ ଥର ଅର୍ଥାତ୍ ଦୁଇ ବର୍ଷରେ ୪ଥର ସାଧାରଣ ବୈଠକ ବସିବା‌ କଥା। ଏଥିରେ ଆୟବ୍ୟୟର ହିସାବ, ବଜେଟ୍ ଅଟକଳ, ମାର୍କେଟ୍‌ର ଉନ୍ନତିମୂଳକ କାର୍ଯ୍ୟ ଆଦି ଉପରେ ଆଲୋଚନା ହେବା କଥା। କିନ୍ତୁ ୨୦ ବର୍ଷ ହେଲା ଏସବୁ କିଛି ହୋଇନାହିଁ। ଗୋଟିଏ ଗୋଷ୍ଠୀ ଅଭିଯୋଗ କରିଛି ଯେ ୨୦୦୨ ମସିହାରୁ ମହାସଂଘର ସଭାପତି ଭାବେ ଗଦାଧର ବେହେରା, ସମ୍ପାଦକ ଭାବେ ପ୍ରଦୀପ କୁମାର ସାହୁ ରହିଛନ୍ତି।

ନୂତନ କର୍ମକର୍ତ୍ତା ଚୟନ କରାଯାଉନାହିଁ। ନିର୍ବାଚନ ପାଇଁ ଏଡିଏମ୍‌ଙ୍କ ନିକଟକୁ ଚିଠି ଲେଖାଯାଇଥିଲା। ମହାସଂଘ ଏକତ୍ରିତ ହେବା ପରେ ନୂତନ କର୍ମକର୍ତ୍ତା ପାଇଁ ଭୋଟ୍‌ ଗ୍ରହଣ ତାରିଖ ଘୋଷଣା କରାଯିବ ବୋଲି ଏଡିଏମ୍‌ଙ୍କ ଅଫିସରୁ ଚିଠି ଆସିଥିଲା। କିନ୍ତୁ ସଭାପତି ଓ ସମ୍ପାଦକ କିଛି ବ୍ୟବସାୟୀଙ୍କୁ ନେଇ ବୈଠକ ଡାକିଥିଲେ। ଅନ୍ୟ ବ୍ୟବସାୟୀଙ୍କୁ ଏ ବିଷୟରେ ଅବଗତ କରାଯାଇନଥିଲା। ତେବେ ବୈଠକ ବସୁଥିବା ଖବର ପାଇ ସେମାନେ ସେଠାକୁ ଆସି ବୈଠକରେ ବସିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚି ବୁଝାସୁଝା କରିବା ସହ ଶାନ୍ତିଶୃଙ୍ଖଳାରେ ବୈଠକ କରାଇବାକୁ କହିଥିଲା। ମାତ୍ର ବୈଠକ ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର