ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା : ଜଗିବେ ୮୦ ପ୍ଲାଟୁନ୍‌ ଫୋର୍ସ, ୨୫୦ ଅଫିସର

ଭୁବନେଶ୍ୱର: ଆଉ ମାତ୍ର ଦିନକ ପରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶାରେ ଦୁଇ ଦିନ ରହଣି ମଧ୍ୟରେ ସେ କଟକ, ପୁରୀ ଓ ଜଟଣୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏ ନେଇ କମିସନରେଟ୍‌ ପୁଲିସ ଏବଂ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୁବନେଶ୍ୱରରେ ରହଣି ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ୮୦ ପ୍ଲାଟୁନରୁ ଅଧିକ ଫୋର୍ସ,୨୫୦ ଜଣ ଅଫିସର ଓ ୪ ଜଣ ଡିସିପି ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ଏହାଛଡ଼ା ଆଜି ଅପରାହ୍ଣରେ ରାଜଧାନୀରେ ରାଷ୍ଟ୍ରପତିଙ୍କ କାର୍‌କେଡ୍‌ ରିହାରସାଲ ମଧ୍ୟ କରାଯାଇଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ୧୭ ତାରିଖ ସକାଳ ପ୍ରାୟ ୧୧ଟାବେଳେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସେଠାରେ ସ୍ୱାଗତ କରିବେ। ଏଠାରୁ ରାଷ୍ଟପ୍ରତି ସଡ଼କ ପଥରେ ସିଧା କଟକ ଯିବେ। ସେଠାରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ, ଆନନ୍ଦ ଭବନ, ନ୍ୟାସନାଲ ଲ’ ୟୁନିଭର୍ସିଟି ଏବଂ ଇନ୍‌ଡୋର ଷ୍ଟାଡିୟମରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହିସବୁ କାର୍ଯ୍ୟକ୍ରମ ଶେଷ ହେବା ପରେ ଅପରାହ୍ଣରେ ସେ ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ ଏବଂ ରାତିରେ ପୁରୀ ସର୍କିଟ ହାଉସ୍‌ରେ ବିଶ୍ରାମ କରି ପରଦିନ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏହାପରେ ଅପରାହ୍ଣରେ ସେ ହେଲିକପ୍ଟର ଯୋଗେ ପୁରୀରୁ ଭୁବନେଶ୍ୱର ଆସିବେ ଏବଂ ସଡ଼କ ପଥରେ ଜଟଣୀ ଅରୁଗୁଳସ୍ଥିତ ଆଇଆଇଟି କ୍ୟାମ୍ପସରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତନ ଉତ୍ସବରେ ଯୋଗ ଦେବେ। ତେଣୁ ରାଷ୍ଟ୍ରପତିଙ୍କ ଏହିସବୁ କାର୍ଯ୍ୟକ୍ରମ କିପରି ଶୃଙ୍ଖଳିତ ଭାବେ ଶେଷ ହେବ ସେ ନେଇ ଆଜି କମିସନରେଟ୍‌ ପୁଲିସ ପକ୍ଷରୁ ବିମାନବନ୍ଦର, କଟକ ଓ ଜଟଣୀ କାର୍ଯ୍ୟକ୍ରମସ୍ଥଳକୁ ଯାଇ ଯାଞ୍ଚ ଓ ସମୀକ୍ଷା କରାଯାଇଛି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ଗୁଇନ୍ଦା ନିର୍ଦେଶକ ସୁନୀଲ ରଏ, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇଙ୍କ ସମେତ ଟ୍ରାଫିକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆଜି ଅପରାହ୍‌ଣରେ ଏକ କାରକେଡ୍‌ ଭୁବନେଶ୍ୱର ବିମାନବନ୍ଦରରୁ ରାଜଭବନ ଏବଂ ସେଠାରୁ ଜଟଣୀ ଅରୁଗୁଳକୁ ଯାଇ ପ୍ରାକ୍‌ ଅଭ୍ୟାସ କରିଛି। ପୁଲିସ କମିସନର ଶ୍ରୀ ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ବିମାନବନ୍ଦରରୁ ରାଷ୍ଟ୍ରପତି ସଡ଼କ ପଥରେ କଟକ ଯିବାର କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱରରୁ କଟକ ରାସ୍ତାରେ ଟ୍ରାଫିକ୍‌ ଓ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯିବ। ଯେଉଁ ରାସ୍ତାରେ ରାଷ୍ଟ୍ରପତି ଯିବେ, ସେହି ରାସ୍ତାକୁ ୨୫ ମିନିଟ ପୂର୍ବରୁ ନୋ ମ୍ୟାନ ଜୋନ୍‌ ଭାବେ ଘୋଷଣା କରାଯିବ। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ଲାଗିବ। ବିମାନବନ୍ଦରରୁ ରାଜଭବନ ଛକ ଓ ଜୟଦେବବିହାର ଛକ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକରେ ପୁଲିସ ଫୋର୍ସ ମୁତୟନ ହେବେ। ସନ୍ଧାନୀ କୁକୁର ଓ ଗୁଇନ୍ଦା ପୁଲିସକୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଯେଉଁ ସବୁ ସ୍ଥାନକୁ ରାଷ୍ଟ୍ରପତି ଯିବେ ସେହି ସ୍ଥାନକୁ ପୁଲିସ ତନ୍ନତନ୍ନ କରି ଯାଞ୍ଚ କରିଛି। ଅନ୍ୟପକ୍ଷରେ ଆଜିଠାରୁ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ଗେଷ୍ଟ ହାଉସ, ହୋଟେଲ, ଲଜ୍‌ରେ ପୁଲିସ ଆଗୁଆ ଯାଞ୍ଚ ଆରମ୍ଭ କରିଛି। ବିଳମ୍ବିତ ରାତିରେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ଲକିଂ ହେବ ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର