ଧାରଣାରେ ବସିଲେ ସୁରକ୍ଷାକର୍ମୀ

ଭୁବନେଶ୍ବର: ଦରମା ପ୍ରଦାନ ଦାବିରେ ଆଜି କ୍ୟାପିଟାଲ ହସ୍ପିଟାଲ୍‌ରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଦୀର୍ଘ ବର୍ଷ ହେବ ଜଗନ୍ନାଥ ସିକ୍ୟୁରିଟି ସିର୍ଭିସ ହସ୍ପିଟାଲ୍‌ରେ ସୁରକ୍ଷା ଯୋଗାଇ ଆସୁଛି। ତେବେ ଗତ ୨ମାସ ହେବ କର୍ମଚାରୀମାନେ ଦରମା ନ ପାଇ ଅସନ୍ତୋଷ ପ୍ରକାଶ କରିଥିଲେ। ଦରମା ପାଇଁ ସଂସ୍ଥା ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସଂସ୍ଥା ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ସୁରକ୍ଷାକର୍ମୀମାନେ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ହସ୍ପିଟାଲ ସମ୍ମୁଖରେ ଧାରଣାରେ ବସି ରହିଥିଲେ। କ୍ୟାପିଟାଲ ଥାନା ପୁଲିସ ସୁରକ୍ଷାକର୍ମୀଙ୍କୁ ବୁଝାସୁଝା କରିବା ସହ ସଂସ୍ଥାର ମୁଖ୍ୟଙ୍କୁ ଡକାଇ ସମସ୍ୟା ଉପରେ ଆଲୋଚନା କରିଥିଲା। ୨ମାସର ଦରମା ଦେବା ପାଇଁ ପ୍ରତିଶ୍ରୁତି ପାଇବା ପରେ ସୁରକ୍ଷାକର୍ମୀମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର