ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ତାଙ୍କ ସହିତ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଇଡ୍କୋ ପ୍ରଦର୍ଶନୀ ପଡ଼ିଆକୁ ପ୍ରସ୍ତୁତ କରାଯାଉଛି। ଆଜି ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୁଲିସ କମିସନର ସତ୍ୟଜିତ ମହାନ୍ତି, ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଦୀର୍ଘ ଏକ ଘଣ୍ଟା ଧରି ସେ ପଡ଼ିଆରେ ବୁଲି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଯାଉଥିବା ପାଖାପାଖି ୫ ହଜାର ଲୋକଙ୍କ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ଡିଜି କହିଛନ୍ତି। ପଡ଼ିଆର ଚାରିପାଖରେ ଥିବା ଉଚ୍ଚ କୋଠାରେ ବନ୍ଧୁକଧାରୀ ପୁଲିସ ମୁତୟନ ରହି ପଡ଼ିଆ ଉପରେ କଡ଼ା ନଜର ରଖିବା ସହ ପ୍ରବେଶ ଓ ପ୍ରସ୍ଥାନ ଫାଟକ ସମେତ ଅନ୍ୟ ସମସ୍ତ ଜାଗାକୁ କଡ଼ା ସୁରକ୍ଷା ବଳୟରେ ରହିବ ବୋଲି ସେ ସୂଚନା ଦେଇଛନ୍ତି। ତା’ ଛଡ଼ା ବସ୍ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ମଧ୍ୟ କଡ଼ା ନଜର ରଖାଯାଉଛି। ୫ ଜଣ ଅଫିସର ଏହି ସୁରକ୍ଷା ଦାୟିତ୍ବ ନେବେ। ଏତଦ୍ବ୍ୟତୀତ ଟ୍ରାଫିକ୍ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକ ଯେଭଳି ସମ୍ୟାରେ ନ ପଡ଼ନ୍ତି ସେଥିପାଇଁ ମଧ୍ୟ ନଜର ଦିଆଯାଇଛି।
ରାମମନ୍ଦିର ଠାରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତା ସାଧାରଣ ଲୋକଙ୍କ ଯାନ ପ୍ରବେଶ ପାଇଁ ବନ୍ଦ ରହିଛି। ଚାଲି ଚାଲି ଯେ କେହି ଯାଇ ପାରିବେ। ଯେଉଁମାନେ ଏହି ଶପଥ ଗ୍ରହଣ ଉତ୍ସବ ଦେଖିବାକୁ ଚାହିଁବେ ସେମାନଙ୍କ ପାଇଁ ଗାଡ଼ି ରଖିବା ବ୍ୟବସ୍ଥା ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଅନ୍ୟ ରାସ୍ତା ଦେଇ ସେମାନେ ହାଇସ୍କୁଲ୍ରେ ପାର୍କିଂ କରି ପ୍ରଦର୍ଶନୀ ପଡ଼ିଆକୁ ଆସିପାରିବେ। ପ୍ରବେଶ ପାଇଁ ୩ଟି ଫାଟକ ରହିବ। ଭିଭିଆଇପି ଓ ଅନ୍ୟ ନେତାମାନେ କେଶରୀ ଟକିଜ୍ ଦେଇ ପ୍ରଦର୍ଶନୀ ପଡ଼ିଆକୁ ପ୍ରବେଶ କରିବେ। ଭିଆଇପି ଓ ସାଧାରଣ ଲୋକମାନେ ଅନ୍ୟ ଦୁଇଟି ଫାଟକ ଦେଇ ପ୍ରବେଶ କରିବେ। ରାମମନ୍ଦିର-ହାଉସିଂବୋର୍ଡ ରାସ୍ତା ଉଭୟ ପାର୍ଶ୍ବରେ ପାର୍କିଂ ପାଇଁ ଦିଆଯିବ। ଏଠାରେ ପାର୍କିଂ ପାଇଁ ସ୍ବତନ୍ତ୍ର ପାସ୍ ବ୍ୟବସ୍ଥା ହେବ। ତେବେ ଏ ଯାବତ୍ କୌଣସି ଠୋସ୍ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଘଡ଼ିକୁ ଘଡ଼ି କାର୍ଯ୍ୟକ୍ରମ ପରିବର୍ତ୍ତନ ହେଉଥିବାରୁ ଏହି ସୁରକ୍ଷା ବ୍ୟବସ୍ଥାକୁ ନେଇ ନିଷ୍ପତ୍ତି ନେବା ପାଇଁ କମିସନରେଟ୍ ପୁଲିସ ଦ୍ବନ୍ଦ୍ବରେ ପଡ଼ିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-16-16.jpg)