ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ସିକ୍ୟୁରିଟିଙ୍କୁ ଛଟେଇ ପ୍ରତିବାଦରେ ଧାରଣା

ଭୁବନେଶ୍ୱର : ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର କର୍ତୃପକ୍ଷଙ୍କ ବେଆଇନ ଭାବେ କାର୍ଯ୍ୟରତ ୪୫ଜଣ ସିକ୍ୟୁରିଟି ଗାର୍ଡ଼ଙ୍କୁ ଛଟେଇ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟକାଳ ପାଇଁ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଓଡ଼ିଶା ସିକ୍ୟୁରିଟି ଏଣ୍ଡ ସର୍ଭିସ ଏମ୍ପ୍ଲଇଜ ୟୁନିୟନ ନେତୃତ୍ୱରେ କାର୍ଯ୍ୟରୁ ଛଟେଇ ହୋଇଥିବା କର୍ମଚାରୀମାନେ ଏଥିରେ ସାମିଲ ହୋଇଛନ୍ତି।

ସଂଘର କହିବାନୁଯାୟୀ, ୧୯୮୭/୮୮ ମସିହାରୁ ଦୀର୍ଘ ୩୦ବର୍ଷ ହେବ ୪୫ଜଣ ସିକ୍ୟୁରିଟି ଓ୍ଵିନର୍ସ ସିକ୍ୟୁରିଟି ସର୍ଭିସେସ୍‌ ଜରିଆରେ ସେମାନେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଚଳିତବର୍ଷ ଜାନୁଆରି ମାସରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ସିକ୍ୟୁରିଟି ଗାର୍ଡଙ୍କ ଦୈନିକ ମଜୁରୀ ୩୫୩ଟଙ୍କାରୁ ୫୭୯ଟଙ୍କା ଓ ସିକ୍ୟୁରିଟି ସୁପରଭାଇଜରଙ୍କ ୪୧୪ଟଙ୍କାରୁ ୬୩୭ଟଙ୍କାକୁ ବୃଦ୍ଧି କରାଯାଇଥିଲା। ମାତ୍ର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ କର୍ତୃପକ୍ଷ ଦୀର୍ଘ ୬ମାସ ପର୍ଯ୍ୟନ୍ତ ଏହାକୁ ଲାଗୁ କରି ନ ଥିଲେ। ଏହା ବିରୋଧରେ ଶ୍ରମ ବିଭାଗରେ କର୍ମଚାରୀମାନେ ଅଭିଯୋଗ କରିଥିଲେ।

ଏଥିରେ ପ୍ରତିଷ୍ଠାନର କର୍ତୃପକ୍ଷ ବିରକ୍ତି ପ୍ରକାଶ କରି ସିକ୍ୟୁରିଟି ସଂସ୍ଥାର ମିଆଦକୁ ନିୟମିତ ନ କରି ଛଟେଇ ନୋଟିସ୍‌ ଜାରି କରିଥିଲେ। ଫଳରେ ଅଗଷ୍ଟ ମାସରୁ ୪୫ଜଣ କର୍ମଚାରୀଙ୍କୁ କୌଣସି ପ୍ରକାର ଛଟେଇ ସୁବିଧା ସୁଯୋଗ ପ୍ରଦାନ ନ କରି ଛଟେଇ କରି ଦେଇଛନ୍ତି। ଛଟେଇ କର୍ମଚାରୀଙ୍କୁ ପୁଣିଥରେ କାର୍ଯ୍ୟରେ ନିଯୁକ୍ତି ଦେବା ପାଇଁ କର୍ତୃପକ୍ଷଙ୍କୁ ନିବେଦନ କରାଯାଇଥିଲେ ହେଁ କର୍ତୃପକ୍ଷ ଏହା ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏହାର ପ୍ରତିବାଦରେ ଛଟେଇ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର